ପାଣିରେ ଭାସୁଛି ପଥର ! ଦେଖିବାକୁ ଏଠାରେ ଜମିଲାଣି ଲୋକଙ୍କ ଭିଡ

ବଳରାମ ଦାସଙ୍କ ସମାଧି ପୀଠରେ ଅଲୌକିକ ଘଟଣା, ପାଣିରେ ଭାସୁଛି ପଥର। ଇଏ କଣ ରାମ ସେତୁର ପଥର କି ?

ଗୋପ(କେନ୍ୟୁଜ୍): ପାଣିରେ ଭାସୁଛି ପଥର ! ଆପଣ ଏକଥା କେବେ ଶୁଣିଛନ୍ତି କି? ନିହାତି ଶୁଣିଥିବେ ପାଣିରେ ପଥର ଭାସିବା କଥା, ତାହା ପୁଣି ରାମାୟଣରେ। ଭଗବାନ ରାମ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ମଝିରେ ରାମସେତୁ ନିର୍ମାଣ କରିଥିଲେ। ଏହି ରାମସେତୁ ପଥରରେ ନିର୍ମିତ ହୋଇଥିଲା। ପ୍ରତିଟି ପଥର ଖଣ୍ଡରେ ଶ୍ରୀରାମଙ୍କ ନାମ ଲେଖା ହୋଇଥିଲା । ଆଉ ରାମଙ୍କ ନାମ ଲେଖାଥିବା ପଥର ଗୁଡିକ ସବୁ ଜଳରେ ଭାସୁଥିଲା । ଯାହାକୁ ନେଇ ଲୋକଙ୍କର ରହିଛି ପ୍ରଗାଢ ବିଶ୍ୱାସ ।

ପ୍ରଭୁଙ୍କ ମହିମାରେ ଏପରି ଭାସମାନ ପଥରରେ ଶ୍ରୀଲଙ୍କାକୁ ନିର୍ମାଣ ହୋଇଥିଲା ଏହି ରାମସେତୁ ବନ୍ଧ । ଏହା ଆଜିବି ସେପରି ରହିଛି । ଆଜିବି ସେଠାରେ ଥିବା ପଥର ଗୁଡିକ ପାଣିରେ ଭାସୁଥିବାର ଦେଖାଯାଏ ବୋଲି କୁହାଯାଏ । ସେହି ପୁରାଣରେ ଯାହା କେବେ ପଢିଥିଲେ କି ଶୁଣିଥିଲେ ତାହା ଏବେ ସ୍ୱଚକ୍ଷୁରେ ଦେଖିବାକୁ ମିଳିଛି ।

stone

ପୁରୀ ଜିଲ୍ଲା ଗୋପ ବ୍ଲକ ବଳରାମ ଦାସଙ୍କ ସମାଧି ପୀଠରେ ଏହି ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଗାଇ ଚାରେଇବା ବେଳେ କେନାଲରେ ଏକ ପଥର ଭାସୁଥିବା ଦେଖି ଗାଇ ଚରାଲି ପଥରକୁ ଉଦ୍ଧାର କରି ବଳରାମ ଦାସଙ୍କ ସମାଧି ପୀଠ ପରିସରକୁ ଆଣିଥିଲେ। ଯାହା ଦେଖିବା ପରେ ପୀଠରେ ଏହି ପଥରଟିର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କଥାରେ ଅଛି, ମାନିଲେ ଠାକୁର ନମାନିଲେ ପଥର । ବାସ୍ତବରେ ପାଣିରେ ଭାସୁଛି ପଥର । ତେଣୁ ଏ ଦୁନିଆ କେବଳ ଆସ୍ଥା ଓ ବିଶ୍ୱାସ ଉପରେ ହିଁ ତିଷ୍ଠି ରହିଛି । ତେବେ ଏହି ଅଲୌକିକ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବାବେଳେ, ଭାସମାନ ପଥରକୁ ଦେଖିବାକୁ ଏଠାରେ ଧିରେ ଧିରେ ଲୋକଙ୍କ ଭିଡ ଜମିବାକୁ ଲାଗିଲାଣି ।