ଅଲୌକିକତାର ଆଭାସ, କାଳକ୍ରମେ କ୍ଷୟ ହୋଇ ଚାଲିଛି କାକଟପୁର ମା ମଙ୍ଗଳାଙ୍କ ବିଶ୍ରାମ ଶୀଳା

ଇଏ ହେଉଛି ବିଶ୍ୱାସର କଥା । ମାନିଲେ ଠାକୁର ନମାନିଲେ ପଥର । ତେବେ ଏମିତି ଏକ ପଥରଟିଏ ଅନେକ କାଳରୁ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି । ଯାହା କାଳକ୍ରମେ କ୍ଷୟ ହେଉଛି ବୋଲି ଲୋକଙ୍କ ବିଶ୍ୱାସ । ଏଇ ପଥରଟି ହେଉଛି ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳାଙ୍କ ବିଶ୍ରାମ ଶୀଳା । ଯେଉଁଠାରୁ ଆସେ ଅଲୌକିକତାର ଆଭାସ । ଶିଳାରେ ଦେଖାଯାଉଛି ମା’ଙ୍କ ଜାନୁ ଓ ଶିରାପ୍ରଶିରାର ଚିହ୍ନ । ଆସ୍ଥା ଓ ବିଶ୍ୱାସ ମଣିଷ ମନରେ ଆଣିଥାଏ ଆଧ୍ୟତ୍ମିକତା ଓ ଭକ୍ତି ଭାବନା ।

ପୌରାଣିକ ମତ ଅନୁଯାୟୀ ମା ମଙ୍ଗଳା ପ୍ରାଚୀ ନଦୀରୁ ଆବିର୍ଭାବ ହୋଇଥିଲେ । ଏହା ପୂର୍ବରୁ ଲଙ୍କାର ରାବଣ ମା ମଙ୍ଗଳାଙ୍କୁ ଆରଧନା କରୁଥିଲେ । ଯାହା ଫଳରେ ସ୍ୱର୍ଗ ମର୍ତ୍ତ୍ୟ, ପାତାଳ ତିନି ଲୋକକୁ ସେ ବିଜୟ କରି ପାରିଥିଲେ । ରାବଣର ନିଧନ ପରେ ଶ୍ରୀଲଙ୍କାରୁ ଜଣେ ସାଧବ ପୁଅ ତାର ବୋଇତରେ ମା ମଙ୍ଗଳାଙ୍କୁ ଉତ୍କଳ ନେଇ ଆସୁଥିବା ବେଳେ ପ୍ରାଚୀ ନଦୀର ଚକ୍ର ଗଣ୍ଡରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ମା । ପରବର୍ତ୍ତୀ ସମୟରେ ସେହି ପ୍ରାଚୀ ନଦୀର ଚକ୍ର ଗଣ୍ଡରୁ ମା’ଙ୍କ ସ୍ୱପ୍ନାଦେଶ ଅନୁସାରେ ସେଠାରୁ ତାଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରାଯାଇଥିଲା । ତା ସହିତ ମିଳିଥିଲା ଏକ କଳା ମୁଗୁନି ପଥର । ତେବେ ଏହି ପଥର ଖଣ୍ଡ ସମ୍ପର୍କରେ କେହି ବୁଝି ପାରିନଥିଲେ । ସମୟକ୍ରମେ ମନ୍ଦିର ନିର୍ମାଣ ହୋଇ ମା ମଙ୍ଗଳାଙ୍କ ପ୍ରତିମାକୁ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଗଲା ।

silaକିଛି ଦିନ ପରେ ମା’ଙ୍କର ଦୁଇଜଣ ସେବକଙ୍କୁ ସ୍ୱପ୍ନାଦେଶ ହେଲା । ମା କହିଲେ, ଉଦ୍ଧାର ହୋଇଥିବା ପଥରଟି ହେଉଛି ମୋର ବିଶ୍ରାମ ଶୀଳା । ସେହି ଶୀଳା ଖଣ୍ଡକୁ ମନ୍ଦିରର ନାଟ ମଣ୍ଡପର ଦକ୍ଷିଣ ପାଖରେ ସ୍ଥାପନ କର, ସେହିଠାରେ ମୁଁ ବିଶ୍ରାମ ନେବି । ମାଙ୍କ ସ୍ୱପ୍ନାଦେଶ ଅନୁଯାୟୀ ମନ୍ଦିରର ନାଟ ମଣ୍ଡପ ପଟେ ସେହି ଶୀଳା ଖଣ୍ଡକୁ ସ୍ଥାପନ କରାଗଲା । ତା ପରଠାରୁ ଏଠାରେ ସ୍ଥାପନ ହୋଇଛି ମା’ଙ୍କ ବିଶ୍ରାମ ଶୀଳା । ବିଶ୍ୱାସ ରହିଛି, ମା’ ପ୍ରତ୍ୟେକ ଦିନ ମଧ୍ୟରାତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଯାଇଥାନ୍ତି । ଜଗନ୍ନାଥଙ୍କୁ ଦର୍ଶନ ସାରି ପୁଣି ମା ଫେରିଥାନ୍ତି କାକଟପୁରକୁ । ଶ୍ରୀକ୍ଷେତ୍ରରୁ ମା ଫେରିବା ପରେ ଏହି ଶୀଳା ଉପରେ ବିଶ୍ରାମ ନେଇଥାନ୍ତି ।

ପ୍ରତ୍ୟେକ ଦିନ ମା’ଙ୍କର ରାତ୍ରଧୂପରେ ବଡ ସିଂହାର ବେଶ ହୋଇଥାଏ । ପଣା ଲାଗି ହେବା ପରେ ମନ୍ଦିରକୁ ପହୁଡ କରାଯାଇଥାଏ । ଏହାପରେ ସେବାୟତଙ୍କ ଦ୍ୱାରା ବିଶ୍ରାମ ଶୀଳାକୁ ସ୍ନାନ, ମାର୍ଜନା ଆଦି କରାଯାଇ ସେଥିରେ ଚନ୍ଦନ, କର୍ପୁର, ଅଗୁର ପ୍ରଲେପ ଦିଆଯାଇ ଥାଏ । ଶୀଳାଖଣ୍ଡକୁ ବିଭିନ୍ନ ସୁବାସିତ ଫୁଲ ବେଲପତ୍ରରେ ସଜାଇ ଦିଆଯାଏ ଏବଂ ଧୂପ ଦୀପରେ ଆଳତୀ କରାଯାଇ ମନ୍ଦିରର ଚାରିଦ୍ୱାରକୁ ବନ୍ଦ କରାଯାଇଥାଏ ।
ତେବେ ଆଚମ୍ବିତ କଥା ହେଉଛି, ପର ଦିନ ଭୋର୍‌ ସମୟରେ ଯେତେବେଳେ ମନ୍ଦିର ଖୋଲାଯାଏ ବିଶ୍ରାମ ଶୀଳାରେ ସଜା ଯାଇଥିବା ଫୁଲ ବେଲପତ୍ର ସବୁ ଏପଟ ସେପଟ ହୋଇ ତଳେ ପଡିଥିବାର ଦେଖାଯାଇଥାଏ । ଲାଗେ ଯେମିତିଏ ବିଶ୍ରାମ ଶୀଳାଖଣ୍ଡରେ କେହି ଜଣେ ବସିଥିଲେ ।
ମଙ୍ଗଳା ପୂରାଣ ଅନୁସାରେ ମା ହେଉଛନ୍ତି ଆଦିମାତା । ମା ଅର୍ଧଚକାସନରେ ପଦ୍ମଫୁଲ ଉପରେ ବସିଥିବା ବେଳେ ବାମପାଦକୁ ଚକା ପକାଇ ଦକ୍ଷିଣ ପାଦକୁ ଲମ୍ବାଇ ପଦ୍ମଫୁଲ ଉପରେ ରଖିଛନ୍ତି । ଅର୍ଦ୍ଧମୁଦ୍ରିତ ଆଖିରେ ଧ୍ୟାନ କରୁଥିବାର ଦେଖିବାକୁ ମିଳେ । ବିଶ୍ରାମ ଶୀଳା ଉପରେ ଠିକ୍ ସେହିପରି ଭାବରେ ମା ବିଶ୍ରାମ କରୁଥିବାର ସମସ୍ତ ଚିହ୍ନ ଦେଖିବାକୁ ମିଳେ ।

mangalaa1ଆଶ୍ଚର୍ଯ୍ୟର କଥା ବିଶ୍ରାମ ଶୀଳାଟି ମା ଯେଉଁଭଳି ଭାବରେ ବସିଥାନ୍ତି ସେହିଭଳି ଭାବରେ ଶିଳାଖଣ୍ଡଟି କ୍ଷୟ ହେବାର ଲାଗିଛି । ପଥର ଦେହରେ ମା ବସିବାର ଜାନୁଚିହ୍ନ ଶିରାପ୍ରସିରାର ଚିହ୍ନ ସ୍ପଷ୍ଟ ଭାବରେ ଦେଖାଯାଉଛି । ଏଭଳି ଅଲୌକିକ ଘଟଣା ଅନ୍ୟକୌଣସି ଠାରେ ଦେଖିବାକୁ ମିଳେ ନାହିଁ । ମା ମଙ୍ଗଳାଙ୍କ ସେବାୟତଙ୍କ କହିବା କଥା ମା’ଙ୍କୁ କୌଣସି ଭକ୍ତ, ବା ଶ୍ରଦ୍ଧାଳୁ ଛୁଇଁପାରି ନଥାନ୍ତି । କିନ୍ତୁ ଏହି ବିଶ୍ରାମ ଶୀଳାକୁ ଛୁଇଁ ପାରନ୍ତି । ଏହି ବିଶ୍ରାମ ଶୀଳା ନିକଟରେ ଭକ୍ତମାନେ ମଥା ରଖି ସେମାନଙ୍କ ଗୁହାରୀ ଆଉ ଦୁଃଖ ମାଙ୍କୁ ଜଣାଇଥାନ୍ତି । ଏହି ବିଶ୍ରାମ ଶୀଳା ନିକଟରେ ଯେଉଁ ଭକ୍ତ ବା ଶ୍ରଦ୍ଧାଳୁ ମାନସିକ ରଖିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.