ଉତ୍ତର ପ୍ରଦେଶ: ହାଇକୋର୍ଟଙ୍କ ବଡ଼ ରାୟ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ବିବାହିତଙ୍କ ସମ୍ପର୍କ ‘ଅପରାଧ’, ଏହା ‘ଲିଭ୍‌-ଇନ୍‌ ରିଲେଶନ’ ନୁହେଁ

ଆଲାହାବାଦ ହାଇକୋର୍ଟ ‘ଲିଭ୍‌-ଇନ୍‌ ରିଲେଶନଶିପ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ମହିଳା ଛାଡ଼ପତ୍ର ନ ନେଇ ଅନ୍ୟ ବ୍ୟକ୍ତିଙ୍କ ସହିତ ରହୁଛନ୍ତି, ତା’ହେଲେ ସେ କୋର୍ଟଙ୍କଠାରୁ ସୁରକ୍ଷା ପାଇବାର ହକଦାର ନୁହନ୍ତି। ଏହି କାମ ଆଇପିସି ଧାରା ୪୯୪/୪୯୫ ଅଧୀନରେ ଅପରାଧ। ଏ ପ୍ରକାର ସମ୍ବନ୍ଧ ‘ଲିଭ୍‌-ଇନ୍‌ ରିଲେଶନ’ ମଧ୍ୟରେ ଆସୁନି।

ପିଟିସନ ଦାଖଲ କରିଥିବା ଆଶା ଦେବୀ ଓ ସୂରଜ କୁମାର କୋର୍ଟଙ୍କୁ ଅନୁରୋଧ କରିଥିଲେ କି, ସେମାନେ ପ୍ରାପ୍ତ ବୟସ୍କ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ଭଳି ରହୁଛନ୍ତି। ଏଥିପାଇଁ କୌଣସି ବି ବ୍ୟକ୍ତି ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ ନ କରନ୍ତୁ। ରାଜ୍ୟ ସରକାରଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ କି, ଆଶା ଦେବୀ ପୂର୍ବରୁ ବିବାହିତା ଏବଂ ସେ ନିଜ ସ୍ୱାମୀ ମହେଶ ଚନ୍ଦ୍ରାଙ୍କଠାରୁ ଛାଡ଼ପତ୍ର ନ ନେଇ ସୂରଜ କୁମାର ନାମକ ବ୍ୟକ୍ତିଙ୍କ ସହିତ ରହିବା ଆରମ୍ଭ କରିଦେଇଛନ୍ତି, ଯାହାକି ଅପରାଧ। ତେଣୁ କୌଣସି ବି ପ୍ରକାର ସେ ସଂରକ୍ଷଣର ପାତ୍ର ନୁହନ୍ତି।

ଜଷ୍ଟିସ୍‌ ଏସ୍‌ପି କେସରବାନୀ ଓ ଜଷ୍ଟିସ୍‌ ଡ. ଓ୍ଵାଇ କେ ଶ୍ରୀବାସ୍ତବଙ୍କୁ ନେଇ ଗଠିତ ଖଣ୍ଡପିଠ ସମସ୍ତ ତଥ୍ୟ ଉପରେ ନଜର ରଖି କହିଛନ୍ତି ଯେ ଆଶା ଦେବୀ ଏବେ ବି ଆଇନତଃ ମହେଶ ଚନ୍ଦ୍ରାଙ୍କ ସ୍ତ୍ରୀ। କୋର୍ଟଙ୍କ କହିବା ଅନୁଯାୟୀ, ଯେହେତୁ ଆଶା ଦେବୀ ବିବାହିତା ଏବଂ ମହେଶ ଚନ୍ଦ୍ରାଙ୍କ ସ୍ତ୍ରୀ, ତେଣୁ ପିଟିସିନ ଦାଖଲ କରିଥିବା ମୁଖ୍ୟତଃ ସୂରଜ କୁମାରଙ୍କ କର୍ମ ଆଇପିସି ଧାରା ଅନୁଯାୟୀ ଅପରାଧ। ପିଟିସନକୁ ଖାରଜ କରି କୋର୍ଟ କହିଛନ୍ତି, ଆଇନର ବିପରୀତ ଆଦେଶ ଜାରି କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.