ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା କଲେ ‘କୁମକୁମ’ ପୂଜା

ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା, ସ୍ଵାମୀଙ୍କ ଦୀର୍ଘ ଜୀବନ କାମନାକରି ତେଲଗୁ ସମ୍ପ୍ରଦାୟର ମହିଳାମନେ କାହିଁ କେଉଁ କାଳରୁ ଏହି ପୂଜା କରିଆସୁଛନ୍ତି।

ଓଡିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଯାନିଯାତ୍ରା ମଧ୍ୟରୁ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ହରଗୌରୀ ଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ସହରରେ ବାସ କରୁଥିବା ତେଲୁଗୁ ବା ଢେରା ସମ୍ପ୍ରଦାୟ ଦ୍ୱାରା ପାଳିତ ହେଉଥିବା ଏହି ଯାତ୍ରାକୁ ତେଲୁଗୁ ଭାଷାରେ ଗୌରାମ୍ମା ସାମ୍ରାଲୁ ମଧ୍ୟ କୁହା ଯାଇଥାଏ । ଏହି ଦକ୍ଷିଣ ଭାରତୀୟ ଯାତ୍ରାକୁ ବୁଢୀମା ଠାକୁରାଣୀ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଏହି ଯାତ୍ରାରେ ଦକ୍ଷିଣ ଭାରତର ଲୋକମାନେ ବୁଢୀମା ଠାକୁରାଣୀ ତଥା ହରଗୌରୀଙ୍କ ପାଖରେ ଏକ ସ୍ବତନ୍ତ୍ର ପୂଜା କରିଥାନ୍ତି । ଆଉ ଏହି ଅବସରରେ ହେଉଥିବା କୁମ୍‌ କୁମ୍‌ ପୂଜାର ଏକ ଭିନ୍ନ ଆକର୍ଷଣ ରହିଛି ।

ପଡାରେ ଦୁଇ କଡରେ ପୂଜା ସାମଗ୍ରୀ ଧରି ବସିଛନ୍ତି ମହିଳାମାନେ। ସେପଟେ ବ୍ରାହ୍ମଣ ଅସି ଜଣେ ପରେ ଜଣେ ମହିଳାଙ୍କ ହାତରେ ବ୍ରତ ବାନ୍ଧି ଦେଉଛନ୍ତି ା ପରେ ପରେ ଆରମ୍ଭ ହେଉଛି ବ୍ରାହମ୍ଣଙ୍କ ମନ୍ତ୍ର ଉଚ୍ଚାରଣ। ଆଉ ବ୍ରାହ୍ମଣଙ୍କ ନିର୍ଦ୍ଦେଶ ମୁତାବକ ମହିଳାମନେ ଧରିଥିବା ପୂଜା ସାମଗ୍ରୀକୁ ନେଇ ପୂଜାବିଧି କରୁଛନ୍ତି ା ମହିଳାଙ୍କ ହୁଳ ହୁଳିରେ ଉଛୁଳି ଉଠୁଛି ସାହି। ଏହି ଦୃଶ୍ୟ ହେଉଛି ସୋନପୁର ସହର ଢେରା ପଡାର । ହରଗୈାରୀ ଯାତ୍ରାରେ ମହିଳାଙ୍କଦ୍ୱାରା ହେଉଥିବା ଏହି କୁମ୍‌ କୁମ୍‌ ପୂଜାରେ ଆଦ୍ୟପୂଜ୍ୟ ଗଣେଶ, ଦେବୀ ପାର୍ବତୀ ଓ ଦେବ ଦେବ ମହାଦେବଙ୍କ ମନ୍ତ୍ର ସହ ଶ୍ରୀଯନ୍ତ୍ର ଉପରେ ବ୍ରତଧାରୀ ମହିଳା ମାନେ ସିନ୍ଦୁର ଚଢାଇ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ କାମନା କରିଥାନ୍ତି । ଦୀପ,ଧୁପ,ନୈବେଦ୍ୟରେ ପୂଜା ସ୍ଥଳି ମହକି ଉଠୁଥିବାବେଳେ ସମବେତ ମହିଳା ମଝି ମଝିରେ ପକାଉଛନ୍ତି ହୁଳହୁଳି ା ଧାଡି ଧାଡି ମହିଳାଙ୍କ ଦ୍ଵାରା ଚାଲିଥିବା ଏହି ସଂକଳ୍ପ ବ୍ରତରେ ଉଛୁଳି ପଡୁଛି ଉତ୍ସବ ସ୍ଥଳୀ।

ଏଥି ସହିତ ହରଗୌରୀଙ୍କ ପାଖରେ ଶ୍ରଦ୍ଧାଳୁମାନେ ଧୂପ ଦୀପ ଦେଇ ଆରାଧନା କରିବା ସହିତ ସ୍ବତନ୍ତ୍ର ଧରଣର ଦକ୍ଷିଣ ଭାରତୀୟ ନୈବେଦ୍ୟ ଅର୍ପଣ କରିଥାନ୍ତି । ପାରମ୍ପରିକ ଚିତା, ରୀତିନୀତି ଓ ମନ୍ତ୍ର ଗୀତର ଧାରେ ଧାରେ ବ୍ରତଧାରୀ କରିଚାଲିଥାନ୍ତି ସିନ୍ଦୁର ଅର୍ପଣ, ଦୀପଦାନ ଓ ସମର୍ପଣ ପରେ ଏହି ପୂଜା ଶେଷ ହୋଇଥାଏ । ଆଉ ପର୍ବର ଅନ୍ତିମ ଉପଚାରରେ ରହିଛି ବ୍ରତଧାରୀଙ୍କ ମଧ୍ୟରେ ସିନ୍ଦୁର ଖେଳ । ପରସ୍ପର ମଧ୍ୟରେ ସିନ୍ଦୁର ଲଗାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କୁମ୍‌ କୁମ୍‌ ପୂଜାର ମଜାଉଠାଇଥାନ୍ତି । ଏହି କୁମକୁମ ପୂଜାରେ କେବଳ ଯେ ତେଲଗୁ ସଂପ୍ରଦାୟର ବିବାହିତ ମହିଳା ବ୍ରତ କରନ୍ତି ତା ନୁହେଁ, କୁମାରୀମାନେ ମଧ୍ୟ ଭଲ ବର ପାଇବାକୁ ଏହି ପୂଜା କରିଥାନ୍ତି । ସ୍ଵାମୀଙ୍କ ଦିର୍ଘ ଜୀବନ କାମନାକରି ତେଲଗୁ ସମ୍ପ୍ରଦାୟର ମହିଳାମନେ କାହିଁ କେଉଁ କାଳରୁ ଏହି ପୂଜା କରିଆସୁଛନ୍ତି। ତେବେ ଗତ କିଛିବର୍ଷ ହେଲା ଏହି ବ୍ରତକୁ ଦେଖି ଅନ୍ୟ ସମ୍ପ୍ରଦାୟର ମହିଳାମାନେ ସାମିଲ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.