ରାଜସ୍ଥାନରେ ରହିଛି ଏପରି ମନ୍ଦିର, ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ‘ପିଆଜ’ ଭୋଗ

ରାଜସ୍ଥାନରେ ଏକ ଏପରି ମନ୍ଦିର ରହିଛି, ଯେଉଁଠି ଦେବଦେବୀଙ୍କୁ ପ୍ରସାଦ ଆକାରରେ ‘ପିଆଜ’ ଅର୍ପଣ କରାଯାଏ। ଭାଦ୍ରବ ମାସରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଏହି ପିଆଜ ଭୋଗ ଚଢ଼ାନ୍ତି। ରାଜସ୍ଥାନର ହନୁମାନଗଡ଼ ଜିଲାର ଗୋଗାମେଡି ଗାଁରେ ଭଗବାନ ଗୋଗାଜୀ ଏବଂ ଗୁରୁ ଗୋରଖନାଥଙ୍କ ଦୁଇଟି ମନ୍ଦିରରେ ପ୍ରାର୍ଥନା କରିବା ସମୟରେ ଭକ୍ତମାନେ ଅତି କମରେ ୨୫୦ ଗ୍ରାମ ତାଜା ପିଆଜ ଓ ଚଣା ଡାଲି ଅର୍ପଣ କରିଥାଆନ୍ତି।

ଏହା ଦେଶର ଏକମାତ୍ର ମନ୍ଦିର, ଯେଉଁଠି ପିଆଜ ଭୋଗ ହୋଇଥାଏ। ଏହି ପରମ୍ପରା କାହିଁ କେତେ ପିଢ଼ିରୁ ଏଠାରେ ଚାଲିଆସୁଛି। ତେବେ ୧୫ ଦିନ ଧରି ଚାଲୁଥିବା ଏହି ଅବସରକୁ ପାଳନ କରିବା ପାଇଁ ଏକ ମେଳାର ଆୟୋଜନ କରାଯାଇଥାଏ। ମନ୍ଦିରକୁ ପାଖାପାଖି ୪ରୁ ୫ ଲକ୍ଷ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି।

ଏହାସହ ପଢ଼ନ୍ତୁ: ଏହି ବ୍ୟକ୍ତିଙ୍କ ନାଁ ‘ଦ ଡ୍ରାଗନ ମ୍ୟାନ୍‌’, ତିଆରି କରିଛନ୍ତି ହତିଆରର ଗନ୍ତାଘର, ଶୁଅନ୍ତି ବନ୍ଧୁକ ଶେଯରେ

ଭାଦ୍ରବ ମାସର ଦୁଇ ପକ୍ଷରେ ପାଖାପାଖି ୫୦ରୁ ୭୦ କୁଇଣ୍ଟାଲ ପିଆଜ ଦୁଇଟି ମନ୍ଦିରରେ ଏକତ୍ର କରାଯାଏ। ଏହାକୁ ବଜାରରେ ବିକ୍ରି କରାଯାଇ ଅସହାୟ ପ୍ରାଣୀ ଏବଂ ଗୋ-ସେବା ପାଇଁ ଧନ ଉପାର୍ଜନ କରାଯାଏ। ଲୋକ ଦେବତା ଗୋଗାଜୀ, ତରଙ୍ଗର ଅଞ୍ଚଳର ଦାଦ୍ରେବାର ରାଜା ଥିଲେ। ସେ ଗୁରୁ ଗୋରଖନାଥଙ୍କ ଶିଷ୍ୟ ଥିଲେ, ଯିଏକି ଶହ ଶହ ବର୍ଷ ପୂର୍ବରୁ ଏକ ଯୁଦ୍ଧ ହାରିଯାଇଥିଲେ। ନିଜ ଗୃହପାଳିତ ପ୍ରାଣୀଙ୍କୁ ଶତ୍ରୁ ଦାଉରୁ ରକ୍ଷା କରିବା ପାଇଁ ସେ ଏହି ଯୁଦ୍ଧ ହାରିଥିଲେ। ଯୁଦ୍ଧ ସମୟରେ ସୈନିକମାନଙ୍କୁ ଭୋଜନରେ ପିଆଜ ଏବଂ ଚଣା ଡାଲି ନେବାକୁ ପଡ଼ୁଥିଲା। ଗୁରୁ ଗୋରଖନାଥ ସେହି ସ୍ଥାନରେ ସମାଧି ନେଇଥିଲେ। ଆଉ ସେବେଠାରୁ ଭକ୍ତମାନେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ମନ୍ଦିର ଯାଇ ପିଆଜ ଓ ଚଣା ଡାଲି ଭୋଗ ଚଢ଼ାନ୍ତି।