ଦୀପର ଉଚ୍ଚତା ରହିଛି ସାଢ଼େ ପାଞ୍ଚ ଫୁଟ୍‌, ଜଳିବ ୪୫ ଦିନ

ସ୍ମାଇଲ ଫର୍ ଏଭର୍ ଅନୁଷ୍ଠାନର ତତ୍ବାବଧାନରେ ଗତ ଡିସେମ୍ବର ୬ ତାରିଖ ରୁ ଆଠ ଜଣ ରାଜ୍ୟ ତଥା ରାଜ୍ୟ ବାହାରର କାରିଗରଙ୍କ ଦ୍ଵାରା ଜୋରସୋରରେ ଚାଲିଛି ସର୍ବବୃହତ ଦୀପ ନିର୍ମାଣ କାର୍ଯ୍ୟ ।

ଦୀପ ତ ଅନେକ ଦେଖିଥିବେ । ବର୍ତ୍ତମାନ ଭିନ୍ନ ଭିନ୍ନ ଡିଜାଇନର ଦୀପ ବାହାରିଲାଣି । ଦୀପର ଉଚ୍ଚତା ଅଧିକ ନଥାଏ । କିନ୍ତୁ ଆମେ ଏପରି ଏକ ଦୀପ ବିଷୟରେ କହୁଛୁ ଯାହାର ଉଚ୍ଚତା ସାଢ଼େ ପାଞ୍ଚ ଫୁଟ ରହିଛି । ଏବଂ ଏହା ୪୫ ଦିନ ଧରି ଅନବରତ ଜଳିବ । ତେବେ ଏହି ଦୀପ କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଛି ଆସନ୍ତୁ ଜାଣିବା ।

ରାମ ଜନ୍ମଭୂମିରେ ରାମଲଲାଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ୍ ହେବ ରାଉରକେଲା । ରାଉରକେଲାର ହନୁମାନ ବାଟିକାରେ ଜଳିବ ସର୍ବ ବୃହତମ ଦୀପ । ସ୍ମାଇଲ ଫର୍ ଏଭର୍ ଅନୁଷ୍ଠାନର ତତ୍ବାବଧାନରେ ଗତ ଡିସେମ୍ବର ୬ ତାରିଖ ରୁ ଆଠ ଜଣ ରାଜ୍ୟ ତଥା ରାଜ୍ୟ ବାହାରର କାରିଗରଙ୍କ ଦ୍ଵାରା ଜୋରସୋରରେ ଚାଲିଛି ସର୍ବବୃହତ ଦୀପ ନିର୍ମାଣ କାର୍ଯ୍ୟ । ବାଉଁଶ, କୁଟା ଓ ମାଟିରେ ତିଆରି ଚାଲିଛି ସାଢେ଼ ପାଞ୍ଚ ଫୁଟ୍ ଉଚ୍ଚ ଓ ୧୨ ଫୁଟ୍ ଗୋଲାକାର ଦୀପ, ଯେଉଁଥିରେ ସାଢେ଼ ୬ ହଜାର କିଲୋ ଘିଅ ଧରିବ । ଏହି ଦୀପ ପାଇଁ ସ୍ବତନ୍ତ୍ର ଭାବେ ସଳିତା କଟକରେ ପ୍ରସ୍ତୁତ କରାଯାଉଥିବା ବେଳେ ପ୍ରାୟ ୪୫ ଦିନ ଧରି ଦୀପଟି ଅନବରତ ଜଳିବ ବୋଲି ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଆୟୋଜକ ସ୍ମାଇଲ ଫର୍ ଏଭର୍ ଅନୁଷ୍ଠାନର ପ୍ରତିଷ୍ଠାତା ସନ୍ତୋଷ ବିଶ୍ବାଳ।

ଜାନୁଆରୀ ୨୧ ତାରିଖରେ ସହର ପରିକ୍ରମା ପରେ ଜାତୀୟ ପତାକା ସହ ଏକ ଶୋଭାଯାତ୍ରା ହେବ । ୨୨ ତାରିଖ ଦିନ ସକାଳେ ଏକ ସୁସଜ୍ଜିତ ଗାଡ଼ିରେ ଦୀପ ହନୁମାନ ବାଟିକାରେ ପହଞ୍ଚିବ । ସେଠାରେ ହନୁମାନଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ସର୍ବବୃହତ ଦୀପ ପ୍ରଜ୍ବଳନ କରାଯିବ। ଅଯୋଧ୍ୟାରେ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମରେ ସମଗ୍ର ଦେଶ ରାମମୟ ହୋଇପଡ଼ିଥିବା ବେଳେ ରାଉରକେଲା ସହରରେ ମଧ୍ୟ ସମାନ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କର ଉଦ୍ୟମ ରହିବ ।

ସହରର ପ୍ରତ୍ୟେକ ମୂଖ୍ୟ ଛକ, ସ୍କୁଲ ରାସ୍ତାକୁ ନେଇ ଶୋଭାଯାତ୍ରା କରାଯିବାର ଲକ୍ଷ୍ୟ ରହିଛି । ଭିନ୍ନ ଧର୍ମ ଓ ଭାଷାଭାଷୀଙ୍କୁ ଏଥିରେ ସାମିଲ୍ କରାଯିବ । ସମସ୍ତେ ଏକ ବୋଲି ପ୍ରମାଣିତ କରିବା ପାଇଁ ସ୍ମାଇଲ ଫର୍ ଏଭର୍ ପକ୍ଷରୁ ଏଭଳି ଉଦ୍ୟମ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.