ଅଜବ ଆବିଷ୍କାର ! ଦୁଇ ବର୍ଷରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କଲେ ସବୁଠୁ ଉଚ୍ଚ ସାଇକେଲ, ଏବେ ଲୋକେ ରାସ୍ତାରେ ଦେଖୁ ଦେଖୁ ହୋଇଯାଉଛନ୍ତି ଚକିତ

ଚଣ୍ଡୀଗଡ଼ର ଜଣେ ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ସେ ଏମିତି ଏକ ସାଇକେଲ ତିଆରି କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି କହିବେ ‘ବାପ ରେ ବାପ’। ଏହି ବ୍ୟକ୍ତିଙ୍କ ନାଁ, ରାଜୀବ କୁମାର ଓରଫ ଜନି। ସେ ୧୦.୬ ଫୁଟ ଉଚ୍ଚ ଏବଂ ୯.୬ ମିଟର ଲମ୍ବାର ଏକ ସାଇକେଲ ତିଆରି କରିଛନ୍ତି। ସବୁଠାରୁ ଖାସ କଥା ହେଉଛି, ଏହି ସାଇକେଲ ସମ୍ପୂର୍ଣ୍ଣ ରୂପେ ଆଡଜଷ୍ଟେବଲ। ଏହାର ହାଇଟକୁ ଆପଣ ଆପଣଙ୍କ ସୁବିଧା ଅନୁସାରେ ଆଡଜଷ୍ଟ କରିପାରିବେ।
କେବଳ ଏତିକି ନୁହେଁ, ଏହାକୁ ଚଲାଇବାରେ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ପେଡଲକୁ ମଧ୍ୟ ଆଡଜଷ୍ଟ କରାଯାଇପାରିବ। ଜନି କହିଛନ୍ତି, ଏହି ସାଇକେଲ ତିଆରି କରିବାକୁ ତାଙ୍କୁ ୨ ବର୍ଷ ସମୟ ଲାଗିଥିଲା ଏବଂ ଏଥିରେ ୧ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏହାର ସ୍ପୀଡ ପ୍ରତି ଘଣ୍ଟା ୨୦ରୁ ୨୫ କିମି। ସେ ଏହି ସାଇକେଲରେ ମୁମ୍ବାଇ ଯିବାକୁ ଲକ୍ଷ୍ୟ ରଖିଥିବା ଜନି କହିଛନ୍ତି।
ତେବେ ପିଲାବେଳୁ ହିଁ ଜନି ଉଚ୍ଚ ସାଇକେଲରେ ବସିବାକୁ ଇଚ୍ଛା ରଖିଥିଲେ। ସେ ନିଜ ଭାବନାକୁ ସତରେ ପରିଣତ କରିଥିଲେ ଏବଂ ୪.୬ ଫୁଟ ଉଚ୍ଚ ସାଇକେଲ ତିଆରି କରିଥିଲେ। ଏତିକି ନୁହେଁ, ତାହା ଉପରେ ବସି ସେ ଦିଲ୍ଲୀ ପର୍ଯ୍ୟନ୍ତ ଯାଇଥିଲେ। ଚଣ୍ଡୀଗଡ଼ରୁ ଦିଲ୍ଲୀ ପାଖାପାଖି ୨୬୮ କିମି ଯାତ୍ରାକୁ ସେ ୧୬ ଘଣ୍ଟାରେ ପୂରା କରିଥିଲେ।
video courtesy: youtube
ସେହିପରି ୨୦୦୪ରେ ସେ ଲୁଧିଆନା ୪ ଘଣ୍ଟାରେ ପହଞ୍ଚିଥିଲେ। ଏହାପରେ ୨୦୧୧ରେ ଜନିଙ୍କ ନାଁ ସବୁଠାରୁ ଉଚ୍ଚ ସାଇକେଲ ତିଆରି କରିବାରେ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା। ସେହିବର୍ଷ ହିଁ ସେ ସାଇକେଲକୁ ପରିବର୍ତ୍ତନ କରି ୭.୬ ଫୁଟ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ, ଯାହାପରେ ପୁଣି ତାଙ୍କ ନାଁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା।