ପାହାଡ଼ ଶିଖରରେ ଚଢ଼ି ଫଟୋ ଉଠାଇବା ହେଲା କାଳ, ୫ ସେକେଣ୍ଡରେ ହିଁ ନଦୀକୁ ଖସିପଡ଼ିଲେ ମହିଳା

ଆଡ୍‌ଭେଞ୍ଚର କରିବା ଆଳରେ ବେଳେ ବେଳେ ଆମେ ଏମିତି କାମ କରିବସୁ ଯାହା ପରେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ସ୍ମାର୍ଟଫୋନ୍‌ ଆସିବା ପରେ ଏବେ ଲୋକଙ୍କ ମୁଣ୍ଡରେ ଫଟୋ ଉଠାଇବା ନିଶା ପଶିଛି। ଫଟୋ ଉଠାଇବାକୁ ଓ ସେଲ୍‌ଫି ନେବାକୁ ଲୋକମାନେଏବେ ଅନେକ ବିପଦପୂର୍ଣ୍ଣ ସ୍ଥାନକୁ ଚାଲିଯାଉଛନ୍ତି, ଯେଉଁଠାରେ ତାଙ୍କ ଦୁର୍ଘଟଣା ଘଟୁଛି। ଫଳରେ କ୍ଷଣକ ମଉଜ ଶୋକ ପାଲଟିଯାଉଛି। କେଉଁଠି ଫଟୋ ଉଠାଇବା ବେଳେ କିଏ ନଦୀରେ ଭାସିଯାଉଛି ତ ଆଉ କିଏ ପାହାଡ଼ରୁ ତଳକୁ ଖସିପଡ଼ି ପ୍ରାଣ ହରାଉଛି। ତେବେ ନିକଟରେ ପୁଣି ସେଭଳି ଏକ ମାମଲା ଦେଖିବାକୁ ମିଳିଛି ବେଲ୍‌ଜିୟମ୍‌ରେ। ବେଲ୍‌ଜିୟମ୍‌ରେ ଜଣେ ମହିଳା ପାହାଡ଼ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ସେ ୧୦୦ ଫୁଟ୍‌ ତଳକୁ ଖସିପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି। ଆସନ୍ତୁ ଜାଣିବା ପୂରା ମାମଲା କ’ଣ ଥିଲା…

ରିପୋର୍ଟ ମୁତାବକ, ୩୩ ବର୍ଷୀୟ ଜୋ ସ୍ନୋକ୍ସ ବେଲଜିୟମ୍‌ରେ ଲକ୍ଜମବର୍ଗର ନଦ୍ରିନ୍‌କୁ ସ୍ୱାମୀ ଜୋଏରୀ ଜନ୍‌ସେନ୍‌ଙ୍କ ସହ ବୁଲିବାକୁ ଯାଇଥିଲେ। ସେମାନେ ପୂର୍ବରୁ ମଧ୍ୟ ଅନେକ ଥର ଏକାଠି ବୁଲିବାକୁ ଯାଇଛନ୍ତି। ଉଭୟଙ୍କର ଫଟୋ ଉଠାଇବାରେ ପ୍ରବଳ ସଉକ। କିନ୍ତୁ କରୋନା ଯୋଗୁ ଦୀର୍ଘ ଦିନ ହେବ ଏହି ଦମ୍ପତି କୁଆଡ଼େ ବୁଲିବାକୁ ଯାଇନଥିବାରୁ କଟକଣା କୋହଳ ହେବା ପରେ ଏହି ଟ୍ରିପ୍‌ ପ୍ଲାନ୍‌ କରିଥିଲେ। କିନ୍ତୁ ସେମାନେ ଭାବିନଥିଲେ ଯେ ଏହି ଟ୍ରିପ୍‌ ଏମାନଙ୍କର ଏକାଠି ଶେଷ ଟ୍ରିପ୍‌ ହେବ।

ତେବେ ନଦ୍ରିନ୍‌ରେ ବୁଲିବା ପରେ ସ୍ନୋକ୍ସ ପାହାଡ଼ର ଏକ ଉଚ୍ଚ ଶିଖରରେ ଚଢ଼ି ଫଟୋ ଉଠାଉଥିଲେ। ସ୍ୱାମୀ ଜୋଏରୀ ହିଁ ତାଙ୍କ ଫଟୋ ଉଠାଉଥିଲେ। ଫଟୋ ଉଠାଇବାକୁ ପୋଜ୍‌ ଦେଉଥିବା ବେଳେ ଅଚାନକ ସ୍ନୋକ୍ସଙ୍କ ଗୋଡ଼ ଖସିଯାଇଥିଲା ଓ ସେ ସିଧା ଯାଇ ପଡ଼ିଥିଲେ ୧୦୦ ଫୁଟ୍‌ ତଳେ ଥିବା ଏକ ନଦୀରେ। ପତ୍ନୀ ନଦୀରେ ଖସିପଡ଼ିବା ପରେ ଜୋଏରୀ ତୁରନ୍ତ ହେଲ୍ପ ଲାଇନ୍‌କୁ ଫୋନ୍‌ କରି ସହାୟତା ମାଗିଥିଲେ। ଖବର ପାଇ ସ୍ଥାନୀୟ ପୋଲିସ, ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ନଦୀରେ ସ୍ନୋକ୍ସଙ୍କୁ ଖୋଜିଥିଲେ। ବହୁ ଖୋଜାଖୋଜି ପରେ ସେମାନେ ନଦୀ ଗର୍ଭରୁ ସ୍ନୋକ୍ସଙ୍କ ମୃତ ଦେହ ଉଦ୍ଧାର କରିଥିଲେ।

ତେବେ ଏହି ଦୁର୍ଘଟଣା ନେଇ ସ୍ନୋକ୍ସଙ୍କ ସ୍ୱାମୀ ଜୋଏରୀ କହିଛନ୍ତି, କରୋନା କଟକଣା କୋହଳ ହେବା ପରେ ଆମେ ବୁଲିବାକୁ ବାହାରିଥିଲୁ। କିନ୍ତୁ ଏହି ବୁଲା ଆମକୁ ଏତେ ଦୁଃଖ ଦେବ ବୋଲି କେବେ ଚିନ୍ତା ବି କରିନଥିଲୁ। ଏହି ଦୁର୍ଘଟଣା ବେଳେ ସ୍ନୋକ୍ସ ପଥର ଉପରେ ଠିଆ ହୋଇଥିଲେ ଓ ମୋତେ ଫଟୋ ଉଠାଇବାକୁ କହିଥିଲେ। ମୁଁ ଉଠାଉଥିଲି। ଏହି ସମୟରେ ମୋ ପଛ ପଟେ ଏକ କୁକୁର ଥିବା କଥା ସ୍ନୋକ୍ସ ମୋତେ କହିଥିଲେ। ମୁଁ ପଛକୁ ବୁଲି ଦେଖି ତୁରନ୍ତ ଆଗକୁ ଅନେଇବା ବେଳକୁ ଆଉ ସେଠାରେ ସ୍ନୋକ୍ସ ନଥିଲେ। ମାତ୍ର ୫ ସେକେଣ୍ଡ ଭିତରେ ହିଁ ତଳକୁ ଖସିପଡ଼ିଥିଲେ। ତାଙ୍କ ପାଟି ବି ମୋତେ ଶୁଭିନଥିଲା ବୋଲି କହିଛନ୍ତି ଜୋଏରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.