‘ଏବେ ପୁଅ ପିଲା ବି ସ୍କର୍ଟ ପିନ୍ଧି ଆସିବେ ସ୍କୁଲ’, ଆରମ୍ଭ ହେଲା ନୂଆ ଅଭିଯାନ

କେବଳ ଝିଅ ନୁହେଁ, ଏବେ ପୁଅ ପିଲା ବି ସ୍କର୍ଟ ପିନ୍ଧି ସ୍କୁଲ ଆସିବେ। ସ୍ପେନ୍‌ରେ #ClothesHaveNoGender ଅଭିଯାନ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ଏକ ସ୍କୁଲରେ ଉଭୟ ପୁଅ ଓ ଝିଅଙ୍କୁ ଲିଙ୍ଗଗତ ସମାନତା ଦର୍ଶାଇବାକୁ କ୍ଲାସ୍‌କୁ ସ୍କର୍ଟ ପିନ୍ଧି ଆସିବାକୁ କୁହାଯାଇଛି। ରିପୋର୍ଟ ମୁତାବକ, କିଛି ଦିନ ତଳେ ଜଣେ ଛାତ୍ର ସ୍କର୍ଟ ପିନ୍ଧି କ୍ଲାସ୍‌କୁ ଆସିଥିବାରୁ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ଏହା ପରଠାରୁ ଲିଙ୍ଗଗତ ସମାନତା ଅଭିଯାନ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏଡିନ୍‌ବର୍ଗର କ୍ୟାଷ୍ଟଲଭ୍ୟୁ ପ୍ରାଇମେରୀ ସ୍କୁଲରେ ଉଭୟ ଛାତ୍ର ଓ ଛାତ୍ରୀଙ୍କୁ କ୍ଲାସ୍‌ ରୁମ୍‌କୁ ସ୍କର୍ଟ ପିନ୍ଧି ଆସିବାକୁ କୁହାଯାଇଥିଲା। ଏହା ପରେ ସବୁ ସ୍କୁଲର ପିଲାମାନେ ‘ୱେୟାର ଏ ସ୍କର୍ଟ ଟୁ ସ୍କୁଲ’ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ। ଏହା ‘Clothes Have No Gender’ ର ହିଁ ଏକ ଅଂଶ।

କିଛି ମାସ ପୂର୍ବରୁ ମିକେଲ ଗୋମେଜ ନାମକ ଜଣେ ୧୫ ବର୍ଷର ଛାତ୍ର କ୍ଲାସ୍‌କୁ ସ୍କର୍ଟ ପିନ୍ଧି ଆସିଥିଲେ। ଏହି କାରଣରୁ ତାଙ୍କୁ ସ୍କୁଲରୁ ତଡ଼ି ଦିଆଯାଇଥିଲା। ଛାତ୍ରଙ୍କୁ ସ୍କୁଲରୁ ବାହାର କରି ଦିଆଯିବା ପରେ ସ୍ପେନିଶ ସହର ବିଲବାଓରେ ପ୍ରଥମେ ଏହି ଅଭିଯାନ ଆରମ୍ଭ ହୋଇଥିଲା।

ତେବେ ଆଉ ଏକ ମିଡିଆ ରିପୋର୍ଟ ମୁତାବକ, କ୍ୟାଷ୍ଟଲଭ୍ୟୁ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ମଧ୍ୟ ସ୍କର୍ଟ ପିନ୍ଧି ଆସିବେ। ସେମାନେ ମିକେଲ ଗୋମେଜଙ୍କୁ ସମର୍ଥନ ଜଣାଇ ରୁଢ଼ିବାଦୀ ନୀତିକୁ ଭାଙ୍ଗିବାକୁ ‘Wear A Skirt To School’ କ୍ୟାମ୍ପେନ୍‌ରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍କୁଲର ଶିକ୍ଷୟିତ୍ରୀ କହିଛନ୍ତି-ସ୍କୁଲ ଏବେ ରୁଢ଼ିବାଦୀ ଚିନ୍ତାଧାରାକୁ ଭାଙ୍ଗିବାକୁ ଅଭିଯାନ ଚଳାଇଛି। ଏଥିପାଇଁ ଆମେ ‘Wear A Skirt To School Days’ ଆୟୋଜନ କରିଥିଲୁ। ତେବେ କାହାକୁ ସ୍କର୍ଟ ପିନ୍ଧିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଏ ଅବସରରେ ସ୍ପଷ୍ଟ କରିଛନ୍ତି ଶିକ୍ଷୟିତ୍ରୀ। ତେବେ ସ୍କୁଲର ଏହି ନିଷ୍ପତ୍ତିକୁ କିଛି ଅଭିଭାବକ ପ୍ରଶଂସା କରିଥିବା ବେଳେ ଆଉ କିଛି ଆପତ୍ତି କରିଛନ୍ତି। କିଛି ଲୋକ କହିଛନ୍ତି, ବେଶ ପରପାଟୀ ସହ ଶିକ୍ଷାର କୌଣସି ସମ୍ପର୍କ ନାହିଁ। ପିଲାଙ୍କୁ ପାଠ ପଢ଼ାଇବା ଦରକାର। ଏସବୁ କାମରେ ଅଯଥା ମୁଣ୍ଡ ପୂରେଇବା ଆବଶ୍ୟକତା ନାହିଁ ବୋଲି କିଛି ଅଭିଭାବକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.