କମ୍ ଖର୍ଚ୍ଚରେ ଏହି ମହିଳାଙ୍କ ଭଳି ଲାଭବାନ୍ ହେବାକୁ ଚାହୁଁଛନ୍ତି କି? ଏଭଳି କରନ୍ତୁ ଛତୁ ଚାଷ

ଛତୁ ଚାଷ କରି ନିଜେ ସ୍ଵାବଲମ୍ଵୀ ହେବା ସହ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ସାଜିଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ଅନ୍ତର୍ଗତ ଫୁଲଧୁଡି ଗାଁର ମହିଳାମାନେ ।

ସୁନ୍ଦରଗଡ(କେନ୍ୟୁଜ୍): କମ୍ ଖର୍ଚ୍ଚରେ ଲାଭବାନ୍ ହେବାକୁ ଚାହୁଁଛନ୍ତି କି? ତାହା ପୁଣି ଚାଷ କରି । ତେବେ ସବୁଠାରୁ ଲାଭଦାୟକ ଚାଷ ହେଉଛି ଛତୁ ଚାଷ। କମ୍ ଖର୍ଚ୍ଚରେ କରି ବେଶି ଲାଭ ମିଳିଥାଏ ଏହି ଚାଷରେ । ଛତୁ ଚାଷ କରି ନିଜେ ସ୍ଵାବଲମ୍ଵୀ ହେବା ସହ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ସାଜିଛନ୍ତି । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ଅନ୍ତର୍ଗତ ଫୁଲଧୁଡି ଗାଁର ମହିଳାମାନେ ।

ଛତୁ ଗାଁ କହିଲେ ସମସ୍ତେ ଜାଣନ୍ତି ଫୁଲଧୁଡି ଗାଁକୁ । ଏହି ଗାଁରେ ବସବାସ କରନ୍ତି ପ୍ରାୟ ୬୦ପରିବାର । ବନ ବିଭାଗର ପ୍ରୋତ୍ସାହନରେ ଏ ଗାଁର ୩ ରୁ ୪ ଜଣ ମହିଳା ପ୍ରଥମେ ଛତୁ ଚାଷକୁ ଆପଣେଇ ନେଇଥିଲେ । ଏଥିରୁ ବେଶ ଦୁଇ ପଇସା ରୋଜଗାର କରିବା ପରେ ସେମାନଙ୍କୁ ଦେଖି ଗାଁର ସମସ୍ତ ମହିଳା ଏହି ଚାଷ ପ୍ରତି ଆଗ୍ରହ ଦେଖାଇଲେ । ଏବେ ସେମାନେ ବି ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିବା ସହ ନିଜ ପିଲାଛୁଆଙ୍କୁ ପାଠ ପଢାଇପାରୁଛନ୍ତି ।

ବାହାରୁ ନଡା ଓ ଛତୁ ମଞ୍ଜି କିଣି ଆଣି ଚାଷ କରିଥାନ୍ତି । ନଡା ଆଣିବା ପରେ ତାକୁ ୧.୫ ଫୁଟ ହିସାବରେ କାଟି ତାକୁ ପାଣିରେ ରଖିଥାନ୍ତି । ପାଣିରୁ ବାହାର କରିବା ପରେ ନଡାକୁ ଥାକ ଥାକ ରଖି ତା ଉପରେ ଛତୁ ମଞ୍ଜି ଦେଇଥାନ୍ତି । ଗୋଟିଏ ଜାଗାରେ ୪ ଥାକ ଦେଇ ତାକୁ ପଲିଥିନ ସାହାଯ୍ୟରେ ୧୨ ଦିନ ପର୍ଯ୍ୟନ୍ତ ଘୋଡେଇ ରଖିଥାନ୍ତି । ୧୨ ରୁ ୧୪ ଦିନ ପରେ ପଲିଥିନକୁ ବାହାର କରି ସେଥିରୁ ଛତୁ ଅମଳ କରିଥାନ୍ତି । ଦିନକରେ ପ୍ରାୟ ୮ ରୁ ୧୦ କେଜି ଅମଳ କରୁଥିବା କହିବା ସହ ଛତୁ ଚାଷ କରି ମାସକୁ ୪୦ ହଜାର ଟଙ୍କା ରୋଜଗାର କରିପାରୁଥିବା କହିଛନ୍ତି ଛତୁ ଚାଷୀ । ଗାଁ ରେ ଛତୁ କିଲୋ ୩୦୦ ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ଛତୁ ଚାଷୀ ।

mushroom

ପ୍ରଥମେ ଏ ଗାଁ ରେ ଛତୁ ଚାଷ ହେଉନଥିଲା । ୨୦୧୭ ମସିହାରେ ତତକାଳୀନ ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର ନଡା ଓ ମଞ୍ଜି ଆଣି ଛତୁ ଚାଷ କରିବା ପାଇଁ କହିଥିଲେ । ଛତୁ ଚାଷ କରିବା ପାଇଁ ବନ ବିଭାଗ ଓ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ୧୮ ଜଣ ଛତୁ ଚାଷୀଙ୍କୁ ୨ଲକ୍ଷ ଟଙ୍କାରେ ଗୋଟିଏ ଲେଖାଁଏ ଘର ଦିଆଯାଇଛି । ଫଳରେ ଛତୁ ଚାଷ କରି ମହିଳା ମାନେ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଜଣେ ଚାଷୀ ପ୍ରତ୍ୟେକ ଦିନ ହଜାରେ ରୁ ଅଧିକ ଟଙ୍କା ରୋଜଗାର କରୁଥିବା କହିଛନ୍ତି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କୋଡିନେଟର ।

ଛତୁ ଚାଷ କରି ଚର୍ଚ୍ଚାରେ ଫୁଲଧୁଡି ଗାଁର ମହିଳାମାନେ । ସମାଜ ପାଇଁ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହଣର । ନିଜ ପରିବାରର ମେରୁଦଣ୍ଡକୁ ଆହୁରି ମଜବୁତ କରିବା ସହିତ ସମାଜକୁ ଦେଇଛନ୍ତି ନିଆରା ବାର୍ତ୍ତା ।