ଯୁବଗୋଷ୍ଠୀ ସାଜିଲେ ଉଦାହରଣ, ନିଜେ ନେଇଛନ୍ତି ନିଜ ଗାଁର ଦାୟିତ୍ୱ

କିଏ ହାତରେ ପୁଳା ପୁଳା ଦଳ ବୋହି ଆଣୁଛି ତ ଆଉ କିଏ ପାଣିରେ ପହଁରି ଦଳ କାଢି ଆଣି ବାହାରେ ଫିଙ୍ଗିଦେଉଛି । ନିଜ ନିଜ କାମରେ ସମସ୍ତେ ବ୍ୟସ୍ତ । ଚାଲିଛି ରଣାବନ୍ଧର ସଫେଇ କାମ । ଗାଁ ହେଉ ଅବା ସାହି ପଡିଶା । ସବୁଠି ରହିଥାଏ ଅନେକ ସମସ୍ୟା । ଆଉ ସେ ସବୁ ସମସ୍ୟାର ସମାଧାନ ପାଇଁ ଆମେ ନିର୍ଭର କରୁ ପ୍ରଶାସନ ଉପରେ । ତେବେ ସବୁବେଳେ ସବୁକାମ ପ୍ରଶାସନ ଉପରେ ଛାଡିଦେଲେ ହେବନି,ବେଳେବେଳେ ଆମକୁ ନିଜକାମ ନିଜେ କରିବାର ଦାଇତ୍ୱ ହାତକୁ ନେବାର ଆବଶ୍ୟକତା ମଧ୍ୟ ରହିଛି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର । ଆଜକୁ ପାଖାପାଖି ୧୦୦ବର୍ଷ ହେବ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିବା ଏହି ପୋଖରୀକୁ ସଫା କରିବା ପାଇଁ ଅଂଟାଭିଡିଛନ୍ତି ଯୁବଗୋଷ୍ଠୀ ।

ଆଉ ଏହି ଯୁବଗୋଷ୍ଠୀଙ୍କ ମହତ କାମକୁ ନେଇ ଚାଲିଛି ଚାରିଆଡେ ଚର୍ଚ୍ଚା । ଗାଁରେ ଥିବା ବନ୍ଧର ଦଳ ସଫା କରିବା ସହିତ ଘାଟରେ ଥିବା ଅଳିଆ ଆବର୍ଜନାକୁ ସଫାକରି ଦୂଷିତ ହୋଇଥିବା ପାଣି କିପରି ସଫାହୋଇ ବ୍ୟବହାର ଉପେଯାଗୀ ହୋଇପାରିବ ସେନେଇ ଅଂଟାଭିଡି ଆଗେଇ ଆସିଲେ ଗାଁର ଯୁବକମାନେ । ତାହା ପୁଣି ବିନା ପାରିଶ୍ରମିକରେ । ଏମାନେ ଗୋଟିଏ ଦିନରେ ରାସ୍ତାଘାଟ ସଫା କରିବା ସହିତ ପରିବେଶକୁ ମଧ୍ୟ ସଫା ସୁତୁରା ରଖିବାର ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।

ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦିର୍ଘ ଦିନ ଧରି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିଲା, ଫଳରେ ଗାଁ ମାନଙ୍କରେ ଥିବା ବନ୍ଧ କଟା ସବୁ ଶୁଖିଯାଇଥିଲା । ଗାଁରେ ଥିବା କେବଳ ରଣାକଟାରେ ହିଁ ପାଣି ରହିଥବାରୁ ଆଖପାଖ ୫ ଖଣ୍ଡଗାଁର ଲୋକ ଏଠାକୁ ଗାଧୋଇବାକୁ ଆସନ୍ତି । ସେଠାକାର ହିଲୁଙ୍ଗ ସମେତ  ବାଘମାରି, କର୍ଣ୍ଣପାଲି, ଚଂମ୍ପାମାଲ ବୀରମହାରାଜପୁର ଅଂଚଳର ଲୋକେ ବନ୍ଧ ଉପରେ ନିର୍ବର କରୁଥିବାରୁ ବନ୍ଧଟି ଅଳିଆ ଆବର୍ଜନା ଏବଂ ଜଗଲିରେ ପରିପୂର୍ଣ୍ଣ ରହିଥିଲା । ଗାଧୋଇବା ବେଳେ ଦେହ କୁଣ୍ଡାଇ ହେବାସହ ଅନେକ ଚର୍ମରୋଗ ମଧ୍ୟ ହେଉଥିଲା । ଏନେଇ ସ୍ଥାନୀୟ ସରପଂଚଙ୍କ ଠାରୁ ତହସିଲଦାରଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁ ନଥିଲେ , ଶେଷରେ ବାଧ୍ୟହୋଇ ନିଜକାମ ନିଜେ କଲେ ବୋଲି କହିଛନ୍ତି ଯୁବଗୋଷ୍ଠୀ । ସତରେ ଯୁବଗୋଷ୍ଠୀଙ୍କର ଏଭଳି ମହତକାମ ଲୋକଙ୍କ ପାଇଁ ପ୍ରେରଣା ଆଣିଦେଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.