ଦୁଇ ଦୁଇଟା ସ୍ନାତକୋତ୍ତର ଡିଗ୍ରୀ ଥାଇ ଯୁବତୀ ସାଜିଛନ୍ତି ଟ୍ୟାକ୍ସି ଡ୍ରାଇଭର, ଉତ୍ତରାଖଣ୍ଡ ପରିବହନ ମନ୍ତ୍ରୀ କଲେ ପ୍ରଶଂସା

ଉତ୍ତରାଖଣ୍ଡରେ ଜଣେ ମହିଳା ଟ୍ୟାକ୍ସି ଡ୍ରାଇଭର ରେଖା ଲୋହନୀ ପାଣ୍ଡେ, ଯାହାଙ୍କ ପ୍ରଶଂସା ଉତ୍ତରାଖଣ୍ଡର ପରିବହନ ମନ୍ତ୍ରୀ ଚନ୍ଦନ ରାମ ଦାସ କରିଛନ୍ତି।

ଉତ୍ତରାଖଣ୍ଡ: କଠିନ ପରିସ୍ଥିତିରେ ନହାରି ଜିତିବା ପାଇଁ ଚେଷ୍ଟା କରିଥିବା ମଣିଷକୁ ଯୋଦ୍ଧା କୁହାଯାଏ। ଆଉ ସଂଘର୍ଷମୟ ଜୀବନରେ ପାଇଥିବା ସଫଳତା ଅନ୍ୟମାନଙ୍କ ପାଇଁ ପାଲଟି ଯାଏ ପ୍ରେରଣା। ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଯଦି ଏହା ହୁଏ ତେବେ ସେମାନଙ୍କ କାହାଣୀ ସମାଜ ପାଇଁ ସାଜେ ଉଦାହାରଣ।  ମହିଳା ମାନଙ୍କୁ ବଞ୍ଚିବା ପାଇଁ ପିତା ବା ସ୍ୱାମୀଙ୍କ ଉପରେ ନିର୍ଭର କରିବାପାଇଁ  ଦରକାର ନାହିଁ ବୋଲି ଆଜିର ନାରୀ ପ୍ରମାଣିତ କରିଛନ୍ତି। ଏହି ଭଳି ଜଣେ ଉତ୍ତରାଖଣ୍ଡର ମହିଳା ଏହି କଥାକୁ ପ୍ରମାଣିତ କରିଛନ୍ତି। ସେ ମହିଳା ଜଣଙ୍କ ନାମ ହେଲା ରେଖା ଲୋହନୀ ପାଣ୍ଡେ। ସେ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାରକୁ ଚଳାଇବା ସହ ଦୁନିଆକୁ ପ୍ରେରଣା ଦେଇଛନ୍ତି। ରେଖା ଲୋହନୀ ପାଣ୍ଡେଙ୍କର କାହାଣୀ ବୁଝାଏ, ପରିସ୍ଥିତି ସହ କିପରି ନିଜକୁ ସୁଦୃଢ଼ ରଖିବା। ଆସନ୍ତୁ ଜାଣିବା କିଏ ସେ ରେଖା ଲୋହନୀ ପାଣ୍ଡେ ଓ ତାଙ୍କ କାହାଣୀ…

ଉତ୍ତରାଖଣ୍ଡରେ ଜଣେ ମହିଳା ଟ୍ୟାକ୍ସି ଡ୍ରାଇଭର ରେଖା ଲୋହନୀ ପାଣ୍ଡେ, ଯାହାଙ୍କ ପ୍ରଶଂସା ଉତ୍ତରାଖଣ୍ଡର ପରିବହନ ମନ୍ତ୍ରୀ ଚନ୍ଦନ ରାମ ଦାସ କରିଛନ୍ତି। ଏବେ ମହିଳା ମାନଙ୍କର ଡ୍ରାଇଭିଂ କରିବା କିଛି ବଡ଼ କଥା ନୁହେଁ । କିନ୍ତୁ ଉଚ୍ଚ ଶିକ୍ଷିତ ମହିଳାମାନେ ଏପରି ଏକ ପେଶାକୁ ଆପଣାଇ ପୁରୁଷ ମାନଙ୍କ ପରି ସମାନ ହୋଇପାରିଛନ୍ତି ଏହା ଏକ ବଡ଼ ଉଦାହରଣ ପାଲଟିଛି।ରେଖା ଲୋହନୀ ପାଣ୍ଡେ ଉତ୍ତରାଖଣ୍ଡ ରାନୀକ୍ଷେତରେ ତାଙ୍କ ସ୍ୱାମୀ ଓ ୩ଟି ଝିଅଙ୍କ ସହ ରୁହନ୍ତି। ସେ ଲଜ୍ଜାବୋଧ ନକରି ଏହି ପେଶାକୁ ଆପଣାଇ ଲୋକମାନଙ୍କ ଚିନ୍ତାଧାରାକୁ ବଦଳାଇଛନ୍ତି।

ରେଖାଙ୍କ ପାଖରେ ଦୁଇଟି ଡିଗ୍ରୀ ଅଛି। ସେ ସାମାଜସେବାରେ ସ୍ନାତକୋତ୍ତର ଓ ଏଲ୍‌ଏଲ୍‌ବି କରିଛନ୍ତି। ଆଇନର ଡିଗ୍ରୀ ଥାଇ ମଧ୍ୟ ସେ ଡ୍ରାଇଭର ହେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ତାଙ୍କ ସ୍ୱାମୀ (ମୁକେଶ ଚନ୍ଦ୍ର ପାଣ୍ଡେ) ଜଣେ ଅବସରପ୍ରାପ୍ତ ସୈନ୍ୟ ଥିଲେ ଓ ସେ ଡ୍ରାଇଭିଂ କରୁଥିଲେ। ହଠାତ୍‌ ତାଙ୍କ ଦେହ ଖରାପ ହେବାରୁ ସେ ଗାଡ଼ି ପାଇଁ ଏକ ଡ୍ରାଇଭର ରଖିଲେ, କିନ୍ତୁ ଏହା କ୍ଷତି କରାଇଲା। ସେଥିପାଇଁ ରେଖା ନିଜେ ଘର ସମ୍ଭାଳିବା ସହ ଗାଡି ଚଲାଇଲେ।

ପ୍ରଥମେ ଘର ସମ୍ଭାଳିବା, ସ୍ୱାମୀ ଓ ପିଲା ମାନଙ୍କର ଯତ୍ନ ନେବା, ବନ୍ଧୁ ବାନ୍ଧାବଙ୍କ କଥା ଶୁଣିବା ସହ ବାହାର କାମ କରିବା ବହୁତ କଷ୍ଟ ଥିଲା। ହେଲେ ସେ ଡରି ନଥିଲେ ଏବଂ ସାହସର ସହିତ ଏହି କାର୍ଯ୍ୟକୁ ତୁଲାଉଛନ୍ତି। ସେ ଏହା କରି ମହିଳାମାନଙ୍କୁ ପ୍ରେରଣା ଦେଇଛନ୍ତି ଆତ୍ମନିର୍ଭରଶୀଳ ହେବା ପାଇଁ। ପରିବହନ ମନ୍ତ୍ରୀ ରେଖାଙ୍କୁ ଫୋନ କରି ତାଙ୍କୁ ସାହାଯ୍ୟର ଆଶ୍ୱସନା ଦେଇଛନ୍ତି। ବାସ୍ତବରେ ରେଖାଙ୍କ ଏହି ନିଷ୍ପତ୍ତି ଅନ୍ୟ ନାରୀମାନଙ୍କୁ ପ୍ରେରଣା ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.