ଦୁଇ ଗାଁର ବନ୍ଧୁତାକୁ ନେଇ ନିଆରା ଏ ପରମ୍ପରା, ସପ୍ତାହେ ଧରି ଚାଲିଥାଏ ଏଠାରେ ଉତ୍ସବ

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଅଧିବାସୀ ମାନେ ଯେତିକି ସରଳ ସେତିକି ବିଶ୍ୱାସୀ । ସେମାନଙ୍କ ପରମ୍ପରା ସ°ସ୍କୃତି ବି ବେଶ ରୁଦ୍ଦୀମନ୍ତ ଆଉ ନିଆରା ଯାହା ଆଧୁନିକତା ଭିତରେ ଆଜିବି ବଞ୍ଚି ରହିଛି । ଏ ହେଉଛି ଜୟପୁର ଗଡପଦର ଓ ଏକମ୍ବା ଗାଁର କଥା ।

ଜୟପୁର(କେନ୍ୟୁଜ):  ଆମ ଗାଁ କୁ ସଙ୍ଗାତ ଆସିଛନ୍ତି ମୁଁ ନମନମ କଲି ମତେ ଗେଲ କଲେ ଆଉ ବହୁତ ଖୁସି ଲାଗୁଚି… କୁନି ଝିଅଟି ନିଜ ଗାଁ ମାଟିରେ ନିଜ ପରମ୍ପରାର କଥା କହୁଛି । ଛୋଟବଡ଼ ଯୁବକ ମହିଳା ବୟସ୍କ ଙ୍କ ଠୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ସହ ଏକାଠି ହୋଇଛି ପୁରା ଗାଁ । କାରଣ ଗାଁ କୁ ସଙ୍ଗାତ ଆସୁଛନ୍ତି । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଅଧିବାସୀ ମାନେ ଯେତିକି ସରଳ ସେତିକି ବିଶ୍ୱାସୀ । ସେମାନଙ୍କ ପରମ୍ପରା ସ°ସ୍କୃତି ବି ବେଶ ରୁଦ୍ଦୀମନ୍ତ ଆଉ ନିଆରା ଯାହା ଆଧୁନିକତା ଭିତରେ ଆଜିବି ବଞ୍ଚି ରହିଛି । ଏ ହେଉଛି ଜୟପୁର ଗଡପଦର ଓ ଏକମ୍ବା ଗାଁର କଥା ।

ଫୁଲ ପାଣି ଧରି ବାଟେଇ ବାକୁ ଗାଁ ମୁଣ୍ଡରେ ମହିଳା । ସେପଟେ ଜଣେ କି ଦିଜଣ ନୁହେଁ ତୁରି ବାଇଦ ହୁଳହୁଳି ଦେଇ ପାଛୋଟି ଆଣୁଛନ୍ତି ଏକମ୍ବା ଗାଁ ଲୋକେ । ଆଉ ବିରାଟ ପଟୁଆରରେ ଆସୁଛନ୍ତି ଗଡପଦର ସଙ୍ଗାତ ଗାଁର ଲୋକ । ସତରେ ଆଜିର ହାଏ ହେଲୋ ଦୁନିଆରେ ଛୁଆ ଠୁ ବୃଦ୍ଧ ଜଣେ ଜଣଙ୍କୁ ପ୍ରଣାମ କରିବା କଷ୍ଟ, କିନ୍ତୁ ଏଠି ସମସ୍ତେ ନିଜ ସାମ୍ନାରେ ଥିବା ବଡସାନ ଵ୍ୟକ୍ତିଙ୍କୁ ଗୋଡ଼ ଛୁଇଁ ପ୍ରଣାମ କରିବା ସହ ଗୋଡ଼ ଧୋଇବା ଦୃଶ୍ୟ ବନ୍ଧୁତ୍ୱର ପରିଭାଷାକୁ ଆଉରି ସ୍ୱତନ୍ତ୍ର କରୁଛି ।

ଦିନେ କି ଦି ଦିନ, ବର୍ଷେ ଦି ବର୍ଷର ନୁହେଁ, ଦଶନ୍ଧି ଦଶନ୍ଧି ଧରି ଦୁଇ ଗାଁର ବନ୍ଧୁତା ଚାଲି ଆସିଛି । ସମସ୍ତେ କୁହନ୍ତି ରାଜାରାଜୁଡା ଅମଳରୁ ବାପଦାଦି କାଳରୁ ଦୁଇ ଗାଁ ର ବନ୍ଧୁତା ଥିବା ବେଳେ, ପୂର୍ବପୁରୁଷ କିଏ କେବେ ବନ୍ଧୁ ବାନ୍ଧିଥିଲେ କେହି ଜାଣିନାହାନ୍ତି କିନ୍ତୁ ଆଜିବି ସେଇ ସମ୍ପର୍କକୁ ଉଭୟ ଗାଁ ଲୋକେ ନିଭେଈ ଆସୁଛନ୍ତି । ଉଭୟ ଗାଁ ରେ ଯେ କୌଣସି ପର୍ବ ପାଳନ ହେଉ କି, ଦୁଃଖଘର ଏକାଠି ହୋଇ ପାଳନ୍ତି ଗାଁ ଲୋକେ । ଆଉ ଆଜିବି ନିଜ ବନ୍ଧୁ ଘର ଏକମ୍ବାକୁ ଭାର ଧରି ଆସିଛନ୍ତି ଗଡପଦର ଗାଁର ସବୁ ଜାତିର ଲୋକେ । ପ୍ରତି ୫ ବର୍ଷରେ ବାଲି ଯାତ୍ରା ରୁ ଆରମ୍ଭ ହୁଏ ନିମନ୍ତ୍ରଣ ଯାହା ଆଗାମୀ ପାଞ୍ଚ ବର୍ଷ ଯାଏ ଚାଲିଥାଏ । ଏମିତିକି ଏକମ୍ବାରୁ ପଞ୍ଚଶଷ୍ୟର ବିହନ ଗଲେ ଗଡପଦରରେ କୃଷି ଭିତ୍ତିକ ପର୍ବ ବାଲି ର ଆରମ୍ଭ ହୁଏ । ଆଉ ପାଖାପାଖି ସପ୍ତାହେ ଧରି ଉତ୍ସବ ମୁଖର ହୋଇଯାଏ ଦୁଇ ସଙ୍ଗାତ ଗାଁ ।

ସତରେ ବନ୍ଧୁତ୍ୱର ପରିଭାଷା ଏଇଠୁ ଶିଖିବା କଥା । ସାଙ୍ଗ କି କୁଣିଆ ଘରୁକୁ ଆସିଲେ ଯେମିତି ପୁରା ଖୁସିର ମାହୋଲ ଠିକ୍ ସେଭଳି ଚିତ୍ର ଆଜି ଏକମ୍ବା ଗାଁରେ ଦେଖିବାକୁ ମିଳିଛି । ନିଜ ସଙ୍ଗାତର ସ୍ୱାଗତ କି, ଖାଇବା ପିଇବା ଅତିଥି ସତ୍କାରରେ ଯେମିତି କିଛି ଅଭାବ ନରହୁ ସେଥିପାଇଁ ପୁରା ଗାଁ ଲାଗିପଡିଛନ୍ତି । ବିଶେଷ କରି ଉଭୟ ଗାଁରେ ଗଦବା, ପରଜା, ରଣା, ବଡ଼ ପରଜା ସହ ବ୍ରାହ୍ମଣ ପରିବାର ବସବାସ କରନ୍ତି କିନ୍ତୁ କୌଣସି ଭେଦଭାବ ଛୁଆଁ ଛୁତି ନଥାଇ ସମସ୍ତେ ଏକାଠି ସଙ୍ଗାତ ଗାଁର ସମ୍ପର୍କକୁ ପାଳନ କରି ଏକ ଉଦାହରଣ ସୃଷ୍ଟି କରି ଆସୁଛନ୍ତି ।

ତୁରି ବାଇଦ ନାଚଗୀତ ଢେମସା ଭିତରେ ଗାଁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା ହୁଏ ଆଉ ଶେଷରେ ପଞ୍ଚଶଷ୍ୟର ବିହନ ନେଇ ଫେରନ୍ତି ଗଡ଼ପଦର ବାସୀ । ନିମନ୍ତ୍ରଣ ରକ୍ଷା ସାଙ୍ଗକୁ ବନ୍ଧୁତାକୁ ନିଭେଇବା ପ୍ରତିଶୃତି ସହ ନିଜ ସଙ୍ଗାତ କୁ ଗାଁ ମୁଣ୍ଡରେ ପହଁଚେଇ ବିଦାୟ ଦେଇଥିଲେ ଏକମ୍ବା ବାସୀ । ଏହି ସମ୍ପର୍କକୁ ନିଭେଇବାକୁ ଦଶନ୍ଧି ଦଶନ୍ଧି ଧରି ପ୍ରୟାସ କରିଆସିଛନ୍ତି ଏଇ ଦୁଇ ଗାଁ ଲୋକେ ଆଉ ବିଶ୍ୱାସ ଉଭୟଙ୍କ ଆଗାମୀ ପିଢ଼ି ମଧ୍ୟ ଏମିତି ନିଭେଇବେ ଏଇ ନିଆରା ବନ୍ଧୁତ୍ୱକୁ । ସତରେ ଆଜିର ସ୍ୱାର୍ଥ ଓ ବ୍ୟସ୍ତ ବହୁଳ ଦୁନିଆରେ ଯୋଉଠି ପରିବାର ଏକାଠି ରହିବା କଷ୍ଟ ଯୋଉଠି ସାଧାରଣ ବନ୍ଧୁତା କମଦିନରେ ବଳି ପଡିଯାଏ ସେଠି ଉଭୟ ଗାଁ ର ଅତୁଟ ସମ୍ପର୍କ ନିଶ୍ଚୟ ଆଜିର ସଭ୍ୟ ସମାଜ ପାଇଁ ଭିନ୍ନ ବାର୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.