ପ୍ରକୃତିର ସନ୍ତାନ ଖୋଜେ ପ୍ରକୃତ ଜୀବନ, ଜନଜାତି ଏବେବି ଭଲ ପାଏ ଜଙ୍ଗଲ ଜୀବନକୁ

ବହୁ ବର୍ଷ ଧରି ଜଙ୍ଗଲ ପାହାଡ ଉପରେ ଭିଟାମାଟିକୁ ଜାବୁଡି ଧରି ବେଶ୍ ଖୁସିରେ ଜୀବନ କାଟୁଛନ୍ତି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର ଶହ ଶହ ଗାଁରେ ରହୁଥିବା ଆଦିବାସୀମାନଙ୍କ କଥା ।

ସୂର୍ଯ୍ୟ ଉଇଁଲେ ହସି ଉଠେ ଧରିତ୍ରୀ ରାଣୀ । ଚଳଚଞ୍ଚଳ ହୋଇ ଉଠେ ସବୁ କିଛି । ଠିକ୍ ସକାଳର ସ୍ୱଚ୍ଛତା ଓ ତାଜାପଣ ଭଳି ସେମାନେ ବି ସଦା ହସ ହସ । ପ୍ରକୃତିର ସନ୍ତାନ ସେମାନେ । ସେଇ ପ୍ରକୃତି କୋଳ ହିଁ ସେମାନଙ୍କ ପାଇଁ ମାତା ପିତା । ଜଙ୍ଗଗଲ, ପାହାଡ଼, ବୃକ୍ଷ ଓ ବନ୍ୟଜନ୍ତୁ ସେମାନଙ୍କ ସମ୍ପର୍କୀୟ । ଅନାଦି କାଳରୁ ଏମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା । ଏସବୁ ଛାଡ଼ି ପାରିବେ ବା କେମିତି ? ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ବିତିଗଲାଣି । ବିଜ୍ଞାନର ବିକାଶ ସହ ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଏବେ ମଙ୍ଗଳକୁ ଯିବାକୁ ବସିଲାଣି । ଗାଁ ଗହଳି, ଦୁର୍ଗମ ଅଞ୍ଚଳରେ ବିକାଶର ପଦଚିହ୍ନ ପହଞ୍ଚି ସାରିଲାଣି । ସମୟ ସହ ପରିବେଶ ବଦଳିଛି, ମଣିଷ ବି ବଦଳି ଯାଇଛି । ହେଲେ ଯଦି ବଦଳି ନାହାନ୍ତି ଏଇ ଜନଜାତିର ଲୋକେ । ସେମାନଙ୍କ ଜୀବନ ଜୀବିକା ଆଉ ସଂସ୍କୃତିକୁ ଭୁଲି ନାହାନ୍ତି । ଆରମ୍ଭରୁ ଯେମିତି ଥିଲେ ସେମିତି ଅଛନ୍ତି । କୃତ୍ରିମତା ନାହିଁ ତାଙ୍କ ପାଖରେ । ସରଳ ଜୀବନ କେମିତି ଜୀଇ ହୁଏ, ଜଙ୍ଗଲଜାତ ଜିନିଷ ଏବଂ ବାଡ଼ିରୁ ମିଳୁଥିବା ଶସ୍ୟ ଆଦି ଖାଇ କିଭଳି ସୁସ୍ଥ ରହି ହୁଏ ତାର ସବୁ କୌଶଳ ଏମାନଙ୍କୁ ଜଣା । ହୁଏତ ପକ୍କା ରାସ୍ତା ଏମାନଙ୍କୁ ସହର ସହ ଯୋଡ଼ି ଦେଇଛି । ପ୍ରତିଦିନ ସହରୀ ଲୋକଙ୍କ ସହିତ ସମ୍ପର୍କ ରହୁଛି । ତଥାପି ସେମାନେ ଶାଗ, କନ୍ଦା ଆଦି ଖାଇ ସୁସ୍ଥ ରହୁଛନ୍ତି । ଫାଷ୍ଟଫୁଡ୍ ଖାଇ ରୋଗ ଡାକୁ ନାହାନ୍ତି କି ଡାକ୍ତରଙ୍କ ପାଖକୁ ଦୌଡୁ ନାହାନ୍ତି ।

TRIBAL-2

ଏମିତି କିଛି ଆଦିବାସୀ ଗାଁରେ ପହଞ୍ଚିଥିଲୁ ଆମେ। ଆମ ଗଞ୍ଜାମ ଜିଲ୍ଲା ସୋରଡ଼ାର ରିପୋର୍ଟର ନିଜେ ଯାଇ ରହିଥିଲେ ଓ ବୁଲି ଦେଖିଥିଲେ ଏହି ଦୁର୍ଗମ ଇଲାକା । ଏଠାକାର ବାସିନ୍ଦାଙ୍କ ସହ କଥା ହୋଇଥିଲେ । ସେମାନଙ୍କ ସରଳ ଜୀବନ ଯାପନ ଆଉ ଅଳ୍ପ ଆବଶ୍ୟକତାରେ ଖୁସି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

ଅତି ସାଧାରଣ ସେମାନଙ୍କ ଜୀବନ ଶୈଳୀ । ବହୁ ବର୍ଷ ତଳେ ଯେପରି ଥିଲେ ବର୍ତ୍ତମାନ ମଧ୍ୟ ଠିକ୍ ସେହି ଭଳି ରହିଛନ୍ତି । ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ ଏମାନଙ୍କ ଠାରେ । ଏହି ପ୍ରକୃତିର ସନ୍ତାନମାନେ ଜଙ୍ଗଲି ଡାଳ, ଶାଗ, କନ୍ଦା ଖାଇ ସୁସ୍ଥ ଜୀବନ ଯାପନ କରୁଛନ୍ତି । ରୋଗ ସେମାନଙ୍କ ଠାରୁ ବହୁ ଦୂରରେ । ଏତେବଡ଼ କରୋନା ମହାମାରୀ ଘାରିଥିଲା ସମସ୍ତଙ୍କୁ ହେଲେ ଏମାନଙ୍କ ପାଖ ବି ମାଡ଼ି ନଥିଲା । ବହୁ ବର୍ଷ ଧରି ଜଙ୍ଗଲ ପାହାଡ ଉପରେ ଭିଟାମାଟିକୁ ଜାବୁଡି ଧରି ବେଶ୍ ଖୁସିରେ ଜୀବନ କାଟୁଛନ୍ତି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର ଶହ ଶହ ଗାଁରେ ରହୁଥିବା ଆଦିବାସୀମାନଙ୍କ କଥା ।

ଐତିହାସିକଙ୍କ ମତରେ ସୋରଡା ଅଞ୍ଚଳରେ ପ୍ରଥମେ କନ୍ଧମାନେ ଶାସନ କରୁଥିଲେ । ୧୧୬୮ ମସିହା ପର୍ଯ୍ୟନ୍ତ କନ୍ଧ ରାଜା ପାଟ ମଲିକ ଗଞ୍ଜାମ, ଗଜପତି ଓ ବର୍ତ୍ତମାନର କନ୍ଧମାଳ ସୀମାନ୍ତ ଅଞ୍ଚଳରେ ରାଜୁତି କରୁଥିଲେ । ଏହି ଅଞ୍ଚଳ ଖିଡିଶିଙ୍ଗୀ ରାଜ୍ୟ ରୂପେ ପରିଚିତ ଥିଲା । ପରେ ପରେ ରାଜତନ୍ତ୍ର ଯାଇ ଗଣତନ୍ତ୍ର ଆସିଥିଲେ ସୁଦ୍ଧା ଏହି ଅଞ୍ଚଳର ଲୋକଙ୍କ ଜୀବନ ଶୈଳୀରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । ଏବେବି ଦେଖା ଯାଉଛି ସୋରଡା ଅଞ୍ଚଳର ବିଭିନ୍ନ ସ୍ଥାନରେ କନ୍ଧ ଆଦିବାସୀମାନେ ପୂର୍ବ ପରି ଜଙ୍ଗଲ ଓ ପାହାଡରେ ରହୁଛନ୍ତି । ସୋରଡାର ୨୬ଟି ପଞ୍ଚାୟତରେ ଏକ ଶହରୁ ଊର୍ଦ୍ଧ୍ୱ ଗାଁ ରହିଛି । ଏହି ସବୁ ଗାଁରେ ବସବାସ କରୁଛନ୍ତି ହଜାର ହଜାର ଆଦିବାସୀ । ଆଧୁନିକତାର ହାଓ୍ଵାରେ ଅନେକ ମଣିଷ ଓ ସମ୍ପ୍ରଦାୟ ନିଜ ପରମ୍ପରା, ଚଳଣିକୁ ଭୁଲି ନୂଆକୁ ଆପଣାଇଥିବା ବେଳେ ଏମାନେ କିନ୍ତୁ ନିଜ ଅତୀତକୁ ଭୁଲି ନାହାନ୍ତି । ସମୟ ସହ ବଦଳି ନିଜ ନିଜର କୌଳିକ ବୃତ୍ତିକୁ ଛାଡି ଲୋକେ ସହରାଭିମୁଖୀ ହେଉଛନ୍ତି । ହେଲେ ସହରରେ ଭାଇଚାର ଆଉ ସମ୍ପର୍କ କେବଳ ଔପଚାରିକ ହୋଇ ରହିଥିବା ବେଳେ ଏହି ସବୁ ଆଦିବାସୀ ଗାଁର ଚିତ୍ର ସମ୍ପୂର୍ଣ୍ଣ ବିପରୀତ ।

କଥାରେ ଅଛି ଟଙ୍କା ମୁହଁ କରେ ବଙ୍କା । ଅଧିକ ରୋଜଗାର ପାଇଁ ଲୋକେ ସହର ମୁହଁ । ପ୍ରତିଯୋଗିତା କରି ପିଲାଙ୍କୁ ଅଜସ୍ର ପଇସା ଖର୍ଚ୍ଚ କରି ପାଠ ପଢ଼ାଉଛନ୍ତି । କେବଳ ବଡ଼ ଚାକିରି ନିଶାରେ । ସେହିଭଳି ବିପୁଳ ପରିମାଣରେ ରୋଜଗାର କରି ମଧ୍ୟ ସୁଖଶାନ୍ତିରେ ରହି ପାରୁନାହାନ୍ତି ମଣିଷ । ଆଉ ଯୁବ ପିଢ଼ି ସେହି ଅର୍ଥର ମାୟାରେ ପଡ଼ି ଘାଣ୍ଟି ହେଉଛନ୍ତି । ନିଜକୁ ଭୁଲି ଯାଉଛି, ନିଜ ସମ୍ପର୍କ ଠାରୁ ଦୂରେଇ ଯାଉଛି । ଏମିତିକି ନିଜ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କୁ ମଧ୍ୟ ଘଡ଼ିଏ ସମୟ ଦେଇ ପାରୁ ନାହାନ୍ତି । ହେଲେ ଏହି ସବୁ ଆଦିବାସୀ ଗାଁରେ ପରିବେଶ ପୂରା ଭିନ୍ନ । ସେମାନଙ୍କ ମଧ୍ୟରେ ଏକତା ରହିଛି ଆଉ ଶୃଙ୍ଖଳା ମଧ୍ୟ । ଏବେବି ସେମାନେ ଗାଁ ମୁଖିଆଙ୍କୁ ସମ୍ମାନ ଦିଅନ୍ତି । ତାଙ୍କ କଥା ମାନି ଚଳନ୍ତି । ସେମାନେ ଖୁବ୍ ସରଳ ବିଶ୍ଵାସୀ ଆଉ ସତ କୁହନ୍ତି । କଷ୍ଟ କରି କଠିନ ପରିଶ୍ରମ କରି ରୋଜଗାର କରନ୍ତି । ଯେତିକି ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହୁଅନ୍ତି ଓ ଶାନ୍ତିରେ ରୁହନ୍ତି ନିଜ ପରିବାର ସହିତ । ସେମାନେ ମାଟି, ଗଛ, ପଥରକୁ ପୂଜା କରନ୍ତି । କାରଣ ମାଟିରୁ ସେମାନେ ଖାଦ୍ୟ ସଂଗ୍ରହ କରନ୍ତି, ଗଛ ସେମାନଙ୍କୁ ଜୀବନ ଦାନ ଦେଉଛି ଓ ପଥରକୁ ସେମାନେ ଦେବତା ମାନନ୍ତି । ଥର ଦେହରେ ମା ଠାକୁରାଣୀ ରହିଛି ବୋଲି ବିଶ୍ଵାସ ଏମାନଙ୍କର । ତେଣୁ ପ୍ରତି ପର୍ବ ପର୍ବାଣିରେ ଠାକୁରାଣୀଙ୍କୁ ବୋଦା ସମର୍ପଣ କରିଥାନ୍ତି । ହିନ୍ଦୁ ନବ ବର୍ଷ ପରେ ସେହି ଆଦିବାସୀମାନେ ଭୁତ ଘଉଡା ପର୍ବ ପାଳନ କରନ୍ତି । ସେହି ପର୍ବରେ ବିଭିନ୍ନ ଶସ୍ୟକୁ ପ୍ରତ୍ୟେକ ପରିବାର ଘରୁ ବାଉଁଶ ଝୁଡିରେ ରଖି ଗାଁ ସାରା ବୁଲାଇଥାନ୍ତି । ଛୋଟ ପିଲାମାନଙ୍କୁ ବିଭିନ୍ନ କୋପରୁ, ରୋଗ ବ୍ୟାଧିରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ କରନ୍ତି । ସେହି ଅନ୍ଧାର ରାତିରେ ସବୁ ଶସ୍ୟକୁ ମା ଠାକୁରାଣୀଙ୍କ ପାଖରେ ଅର୍ପଣ କରନ୍ତି ।

TRIBAL-3

ଏହା ପରେ ଆରମ୍ଭ ହୁଏ ଜନ୍ତାଳ କାର୍ଯ୍ୟକ୍ରମ । ଏହି ପର୍ବରେ ଗ୍ରାମର ମୁଖିଆ ଧାନକୁ ନେଇ ଦେବୀ ମା’ଙ୍କ ପାଖରେ ଅର୍ପଣ କରିବା ସହିତ ବୋଦା ଅର୍ପଣ କରିଥାନ୍ତି । ସନ୍ଧ୍ୟାରେ ମିଳିତ ଭାବେ ଭୋଜିର ଆୟୋଜନ ହୋଇଥାଏ । ଏଥିରେ ଗାଁର ସବୁ ପୁରୁଷ ସଦସ୍ୟ ଯୋଗ ଦେଇଥାନ୍ତି । ଏଥିରେ ଭାଇଚାର ସୃଷ୍ଟି ହୋଇଥାଏ । …ଏହା ସହିତ ପୌଷ ପୂର୍ଣ୍ଣମୀ, ଗହ୍ମା ପୂର୍ଣ୍ଣମୀ ପର୍ବ ମଧ୍ୟ ପାଳିଥାନ୍ତି ଏମାନେ।

ଏହି ଆଦିବାସୀମାନେ ଗ୍ରାମ ମୁଖିଆଙ୍କୁ ଖୁବ୍ ବିଶ୍ଵାସ ଓ ସମ୍ମାନ କରନ୍ତି । କୌଣସି ଲୋକର ସନ୍ତାନ ନ ହେଲେ ଗ୍ରାମ ମୁଖିଆ ସେମାନଙ୍କୁ ଠାକୁରାଣୀ ପାଖରେ ପୂଜା କରିବା ସହିତ ଚେର ମୂଳି ଔଷଧ ଦେଇଥାନ୍ତି । ଏଥିରେ ପୁତ୍ର ସନ୍ତାନ ହେଲେ ମୁଖିଆଙ୍କୁ ନୂତନ ବସ୍ତ୍ର ସହିତ ବୋଦା ଭେଟି ଦେଇଥାନ୍ତି । ସେହି ବୋଦାକୁ ମା’ଙ୍କ ପାଖରେ ଅର୍ପଣ କରି ଗ୍ରାମର ସବୁ ପରିବାର ଏକ ସାଙ୍ଗରେ ଭୋଜନ କରିଥାନ୍ତି । ସମସ୍ତ ପର୍ବ ପର୍ବାଣିରେ ଗାଁର ମହିଳାମାନେ ନାଚ ଗୀତ କରି ଖୁସି ମନାଇଥାନ୍ତି । ଯଦିଓ ସାଧାରଣ ଲୋକ ସେମାନଙ୍କ ଗୀତକୁ ବୁଝିବା କଷ୍ଟ ହେଲେ ଏହାର ସ୍ୱର ଓ ତାଳ ଖୁବ୍ ଭଲ ଲାଗେ । ବର୍ତ୍ତମାନ ଆଧୁନିକ ଯୁଗରେ ଯୁବ ପିଢି ମଧ୍ୟ ଆଦିବାସୀ ନାଚ ଗୀତକୁ ପସନ୍ଦ କରୁଛନ୍ତି । ଏପଟେ ସରକାରୀ ପ୍ରୋତ୍ସାହନ ଯୋଗୁଁ ବିଭିନ୍ନ ମହୋତ୍ସବରେ ଦେଖିବାକୁ ମିଳୁଛି ସେମାନଙ୍କର ଲୋକନୃତ୍ୟ ।
ଏବେବି ଜଙ୍ଗଲ ପାହାଡ ଉପରେ ବଗଡ କରି ଚାଷ କରନ୍ତି ଜନଜାତିର ଲୋକେ । ପାହାଡିଆ ଜମିରେ ମାଣ୍ଡିଆ, କାନ୍ଦୁଲ, ଜନା, କୋଳଥ, କାଙ୍ଗୁ, ସୁଆଁ ଏବଂ ଖାଲୁଆ ଜମିରେ ଧାନ ଚାଷ କରିଥାନ୍ତି । ବର୍ତ୍ତମାନ କିଛି ଚାଷୀ ବାଇଗଣ, ଟମାଟୋ, କଖାରୁ ଭଳି ପାରିବା ଚାଷ ମଧ୍ୟ କଲେଣି । ମୁଖ୍ୟ ଚାଷ ସେମାନଙ୍କ ହଳଦୀ ଓ ଅଦା । ଗ୍ରାମ ଠାରୁ ବହୁ ଦୂରରେ ଖେତ ନିକଟରେ କୁଡିଆ କରି ପରିବାର ସହିତ ମାସ ମାସ ରହିଥାନ୍ତି । ହଳଦୀ ଓ ଅଦା ଲଗାଇବା ଠାରୁ ଆଦାୟ ପର୍ଯ୍ୟନ୍ତ ପୂରା ପରିବାର ବଗଡରେ ଜୀବନ କଟାନ୍ତି । ଧାର କରଜ କରି ଆଣିଥିବା ଅର୍ଥକୁ ସେମାନେ ଫସଲ ଆଦାୟ ପରେ ସେହି ଶସ୍ୟକୁ ବଦଳ କରି ୠଣ ଶୁଝିଥାନ୍ତି । ବଗଡ ହେଉ ଅବା ହଳଦୀ ଶୁଖା କାମ ସେହି ସମୟରେ ନିଜର ଛୋଟ ପିଲାମାନଙ୍କୁ ପିଠିରେ ବାନ୍ଧି ମହିଳାମାନେ କାମ କରୁଥିବାର ଦୃଶ୍ୟ ନିଆରା ନିଶ୍ଚୟ ।

ବର୍ତ୍ତମାନ ସାରା ବିଶ୍ୱକୁ ଘାରିଥିବା ମିଲେଟ ବା ମାଣ୍ଡିଆ ଏମାନଙ୍କର ନିତି ଦିନିଆ ଖାଦ୍ୟ । ଯାହା ସେମାନଙ୍କ ସୁସ୍ଥତାର ଆଉ ଏକ ରହସ୍ୟ । ଏମାନେ ସହରକୁ ଗଲେ ହିଁ କିଛି ସଉଦା କିମ୍ବା ପନିପରିବା କିଣିଥାନ୍ତି । ପ୍ରଶାସନ ସେମାନଙ୍କ ପାଇଁ ଭଲ ରାସ୍ତା, ପାନୀୟ ଜଳ, ଆବାସ ଯୋଜନାରେ ଘର, ରେସନ କାର୍ଡରେ ଚାଉଳ , ବିଜୁଳି ଆଦି ସୁବିଧା କରିଛି ସତ ହେଲେ ସେମାନେ କିନ୍ତୁ ଜଙ୍ଗଲ ଛାଡି ସହର ଆସିବାକୁ ଅମଙ୍ଗ । କାରଣ ନିଜର ବାପା ଜେଜେବାପା ଅମଳରୁ ରହିଥିବା ଭିଟାମାଟି ଛାଡ଼ିବାକୁ ରାଜି ନାହାନ୍ତି । ଏବେ ବି କିଛି ଲୋକ ମାଟି ଘରେ ରହୁଛନ୍ତି । ପ୍ରତି ପର୍ବପର୍ବାଣିରେ ମାଟି କାନ୍ଥ ଦେହରେ ରଙ୍ଗ ବୋଳି ସୁନ୍ଦର ଭାବେ ସଜାଇଥାନ୍ତି । ଅତି ମନଲୋଭା ସେମାନଙ୍କ ସ୍ୱଚ୍ଛତା ଆଉ ସୁନ୍ଦରତା ।

TRIBAL-4

ପ୍ରାୟ ୩୦ କୋଟି ଜନଜାତି ଲୋକ ଭାରତରେ ଅଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଜଙ୍ଗଲ ଅଞ୍ଚଳର ବାସିନ୍ଦା । ସମୟ ସହ ଶିକ୍ଷା ଏବଂ ଆର୍ଥିକ ଉନ୍ନତି କରି ଅନେକ ସହର ମୁହାଁ ହୋଇଛନ୍ତି । ହେଲେ ଭୁଲି ନାହାନ୍ତି ସେମାନଙ୍କ ପରମ୍ପରା ଓ ସଂସ୍କୃତିକୁ । ସହରରେ ମଧ୍ୟ ପାଳନ କରୁଛନ୍ତି ନିଜ ପର୍ବପର୍ବାଣି । ତେବେ ସେମାନେ ବି କୁହନ୍ତି, ପ୍ରକୃତିର କୋଳରେ ଜିଇବାର ଆନନ୍ଦ ଏ ସହରୀ ଜୀବନରେ ନାହିଁ । ମୁକ୍ତ ପକ୍ଷୀ ଭଳି ଆକାଶରେ ଉଡ଼ି ବୁଲିବାର ମଜା କଣ ସୁନା ପଞ୍ଜୁରୀ ଭିତରେ ଥିବା ଶାରୀ କେବେ ପାଇ ପାରିବ ? ତେବେ ଜନଜାତିଙ୍କ ସ୍ଥିତି ଜଙ୍ଗଲକୁ ନେଇ ଆଉ ସେଇ ଜଙ୍ଗଲ ଏବେ କମି ଚାଲିଛି । ପାହାଡ଼ ଧ୍ୱଂସ ହୋଇ ଚାଲିଛି । ପ୍ରକୃତିର ପୂଜକମାନଙ୍କୁ ଆମେ ହିଁ ବଞ୍ଚିତ କରୁଛୁ ସେମାନଙ୍କ ଜନ୍ମସିଦ୍ଧ ଅଧିକାରରୁ । ଯଦି ଅଜି ଗ୍ଲୋବାଲ ଓ୍ଵାର୍ମିଂ ବିପଦ ସୃଷ୍ଟି ହୋଇଛି ତାକୁ ରୋକିବାରେ ସହାୟକ ହୋଇ ପାରିବେ ଏଇ ଜନଜାତିମାନେ । କାରଣ ସେଇମାନେ ଚିହ୍ନିଛନ୍ତି ମାଟିକୁ, ବୃକ୍ଷକୁ ଏବଂ ସ୍ୱଚ୍ଛ ପାଣି ପବନକୁ । ଯିଏ ଜୀବନ ଦେଉଛି ଆଉ ଦେଉଛି ଜୀବିକା ।

ରିପୋର୍ଟ : ସଞ୍ଜୀବ ପଟ୍ଟନାୟକ, ସୋରଡ଼ା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.