୧୧୧ ବର୍ଷ ପୂର୍ବେ ପୃଥିବୀପୃଷ୍ଠରେ ହୋଇଥିଲା ମହାବିସ୍ଫୋରଣ, ଆଜି ପର୍ଯ୍ୟନ୍ତ ଏହାର କାରଣ ରହିଛି ଅସ୍ପଷ୍ଟ

ପୃଥିବୀପୃଷ୍ଠରେ ବେଳେବେଳେ ଏମିତି ଅନେକ ଘଟଣାମାନ ଘଟେ ଯାହା ପଛର କାରଣ ଆଜିପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସେହିପରି ଏକ ଘଟଣା ଘଟିଥିଲା ୧୧୧ ବର୍ଷ ତଳେ। ୧୧୧ ବର୍ଷ ପୂର୍ବେ ଋଷର ସାଇବେରିଆ ଅଞ୍ଚଳରେ ଏକ ଅତ୍ୟନ୍ତ ଭୟାନକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପୋଡକାମେନ୍ନୟା ତୁଙ୍ଗୁସ୍କା ନଦୀ ପାଖ ଅଞ୍ଚଳରେ ହୋଇଥିଲା।

ଏହି ବିସ୍ଫୋରଣରେ ଉଠିଥିବା ନିଆଁ ହୁଳା ପାଖାପାଖି ୫୦ରୁ ୧୦୦ ମିଟର ପର୍ଯ୍ୟନ୍ତ ବ୍ୟାପୀ ଯାଇଥିଲା। ବିସ୍ଫୋରଣରେ ଟାଗା ଜଙ୍ଗଲର ପ୍ରାୟ ୨ ହଜାର ବର୍ଗଫୁଟ୍‌ ଅଞ୍ଚଳ ଧ୍ୱଂସ ହୋଇଯାଇଥିଲା। ଶତାଧିକ ବର୍ଷ ପୂର୍ବେ ହୋଇଥିବା ଏହି ବିସ୍ଫୋରଣରେ ସାରା ପୃଥିବୀ ଦୋହଲି ଯାଇଥିଲା। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଚାଳ ଘର ମଧ୍ୟ ଭାଙ୍ଗିଯାଇଥିଲା। କିଛି ଲୋକ ଦୂରକୁ ମଧ୍ୟ ଉଡ଼ିଯାଇଥିଲେ।

ବିସ୍ଫୋରଣକୁ ନିଜ ଆଖିରେ ଦେଖିଥିବା ଜଣେ ବ୍ୟକ୍ତି କହିଛନ୍ତି ସେହି ସମୟରେ ଆକାଶ ଦୁଇ ଭାଗରେ ବିଭକ୍ତ ହୋଇଗଲା ଭଳି ଜଣାପଡ଼ୁଥିଲା। ଆକାଶରୁ ଯେଭଳି ନିଆଁ ବର୍ଷୁଛି, ସେହିଭଳି ଅନୁଭବ ହୋଇଥିଲା। ମାଟି ସହ ଯେମିତି କୌଣସି ଓଜନିଆ ଜିନିଷ ଦ୍ରୁତ ବେଗରେ ଆସି ମାଡ଼ ହୋଇଥିବା ଭଳି ଲାଗିଥିଲା। ପରେ ଆକାଶରୁ ପଥର ବର୍ଷା ହୋଇଥିଲା ବୋଲି ସେ କହିଥିଲେ।

ଏହି ବିସ୍ଫୋରଣକୁ ‘‘ତୁଙ୍ଗୁସ୍କା ବିସ୍ଫୋରଣ’’ କୁହାଯାଏ। ବୈଜ୍ଞାନିକଙ୍କ କହିବାନୁସାରେ ଏହି ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଉର୍ଜା ପରମାଣୁ ବୋମାଠାରୁ ୧୮୫ ଗୁଣ ଅଧିକ ଥିଲା।

ବିଜ୍ଞାନ ଏତେ ଉନ୍ନତି କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଏହି ବିସ୍ଫୋରଣର କାରଣ ବିଷୟରେ ପତ୍ତା ଲଗାଇପାରିନାହାନ୍ତି। ଆଜି ବି ଏହାର କାରଣ ଲୁକ୍କାୟିତ ହୋଇ ରହିଛି। କିଛି ଲୋକ ଏହି ବିସ୍ଫୋରଣ ଉଲ୍‌କାପିଣ୍ଡ ପୃଥିବୀ ସହ ମାଡ଼ ହେବାରୁ ହୋଇଥିବା କହୁଥିବା ବେଳେ ଆଉ କିଛି ଏହା ପଛରେ ଦୈବିକ ଲୀଳା ଥିବା ଦାବି କରିଛନ୍ତି। ମାତ୍ର ଏନେଇ କୌଣସି ପ୍ରମାଣ ମିଳିପାରିନାହିଁ। ସେହି ସମୟରେ କେହି କେହି ଏହାକୁ ଏଳିୟନ୍‌ଙ୍କ ଜାହାଜ ପୃଥିବୀ ସହ ମାଡ଼ ହୋଇଥିବା ମଧ୍ୟ ଦାବି କରିଥିଲେ। ମାତ୍ର ଉପଯୁକ୍ତ ପ୍ରମାଣ ନ ଦେଖାଇପାରିବାରୁ ଆଜି ବି ଏହି ବିସ୍ଫୋରଣ ପଛର କାରଣ ଲୁକ୍କାୟିତ ହୋଇ ରହିଯାଇଛି।

୧୯୫୮ ମସିହାରେ କରାଯାଇଥିବା ଏକ ରିସର୍ଚ୍ଚ ବେଳେ ଗବେଷକମାନେ ବିସ୍ଫୋରଣସ୍ଥଳରୁ ସିଲିକେଟ୍‌ ଓ ମ୍ୟାଗ୍ନେଟାଇଟ୍‌ର ଛୋଟ ଛୋଟ ଖଣ୍ଡ ଉଦ୍ଧାର କରିଥିଲେ। ସାଧାରଣତଃ ଉଲ୍‌କାପିଣ୍ଡରେ ନିକେଲ୍‌ର ମାତ୍ରା ଅଧିକ ପରିମାଣରେ ଥିବାରୁ ଏହି ବିସ୍ଫୋରଣ ପଛରେ ଉଲ୍‌କାପାତ ବୋଲି ସନ୍ଦେହ କରାଯାଇଥିଲା। ୧୯୬୩ ମସିହାରେ ରିସର୍ଚ୍ଚ ଟିମ୍‌ ରିପୋର୍ଟରେ ଲେଖିଥିଲେ ‘ଏଭଳି କାଣ୍ଡ ଜୀବସତ୍ତା ପାଇଁ ଆଦୌ ଭଲ ନୁହେଁ। ଏତେ ବର୍ଷର ରିସର୍ଚ୍ଚ ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିନାହିଁ।’ ତେବେ ଆଜି ବି ଏହି ବିସ୍ଫୋରଣର କାରଣ ସନ୍ଦେହରେ ରହିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.