ପାଲିଙ୍କିରେ ଆସନ୍ତି କାଳିଆ ଠାକୁର, ତୁଳସୀପୁରରେ ରହିଛି ନିଆରା ପରମ୍ପରା

ଲୀଳାମୟ ଠାକୁର ଜଗନ୍ନାଥ । ଶ୍ରୀ ଗୁଣ୍ଡିଚା ଯାତ୍ରାରେ ବି ଅନେକ ଜାଗାରେ ଭିନ୍ନ ତଥା ନିଆରା ପରମ୍ପରା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗାଁରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏଠି ପାଲିଙ୍କିରେ ବୁହାହୋଇ ଆସିଥାନ୍ତି କାଳିଆ ଠାକୁର ।

ଗୋପ(କେନ୍ୟୁଜ୍): ଲୀଳାମୟ ଠାକୁର ଜଗନ୍ନାଥ । ତାଙ୍କ ଇଚ୍ଛା ଅନୁଯାୟୀ ଲୀଳା କରିଥାନ୍ତି । ଠାକୁରଙ୍କ ଇଚ୍ଛାକୁ ନେଇ ଭିନ୍ନ ଜାଗାରେ ଭିନ୍ନ ପରମ୍ପରା ସବୁ ଦେଖିବାକୁ ମିଳେ । ସାରା ବିଶ୍ବରେ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀ ଗୁଣ୍ଡିଚା ଯାତ୍ରାରେ ବି ଅନେକ ଜାଗାରେ ଭିନ୍ନ ତଥା ନିଆରା ପରମ୍ପରା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗାଁରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଗାଁର ବ୍ରାହ୍ମଣ ଶାସନରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୁଏ ରଥଯାତ୍ରା । ରଥଯାତ୍ରା ଆସିଲେ ଚଳ ଚଞ୍ଚଳ ହୋଇଉଠେ ଗାଁ ଦାଣ୍ଡ । ଏଠି ପାଲିଙ୍କିରେ ବୁହାହୋଇ ଆସିଥାନ୍ତି କାଳିଆ ଠାକୁର ।

ଶହଶହ ବର୍ଷ ଧରି ଏପରି ଭିନ୍ନ ପରମ୍ପରାରେ ପାଳିତ ହୋଇ ଆସୁଛି ରଥଯାତ୍ରା । ଗାଁରେ ନିର୍ମାଣ ହୋଇଥାଏ କାଳିଆ ଠାକୁରଙ୍କ କୁନିରଥ । ଏହାପରେ ଗାଁ ଲୋକେ ଗାଁଠୁ ୪ କିଲୋମିଟର ଦୂର ପ୍ରାଚୀନଦୀ କୂଳରେ ଥିବା ବନ୍ଦେଶ୍ବର ଗାଁକୁ ଠାକୁରଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥାନ୍ତି । ସେଠାରେ ଶ୍ରୀ ଗୁରୁଦେବଙ୍କ ନାଆରେ ପୂଜା ପାଇଥାନ୍ତି କାଳିଆ ଠାକୁର । ଠାକୁରଙ୍କୁ ନୂଆ ବସ୍ତ୍ର ଭେଟିଦେବା ସହ ପୁଷ୍ପ ଓ ଅଳଙ୍କାରରେ ବେଶ କରିଥାନ୍ତି । ଏହାପରେ ଅନ୍ନଭୋଗ ଲାଗି ହୋଇଥାଏ । ପରେ ସୁସଜ୍ଜିତ ପାଲିଙ୍କିରେ ଠାକୁରଙ୍କୁ ବିରାଜମାନ କରି ଗାଁକୁ ପାଛଟି ଆଣିଥାନ୍ତି ।

ଗାଁକୁ ପହଁଞ୍ଚିଲା ପରେ ଭାଗବତ ଟୁଙ୍ଗିରେ ଠାକୁର ରହିଥାନ୍ତି । ପୁଣି ଠାକୁରଙ୍କୁ ବେଶ କରାଯାଇ ପହଣ୍ଡିରେ ଆଣି ରଥାରୁଢ କରାଯାଇ ଥାଏ । ଡାହୁକ ଗୀତ, ଘଣ୍ଟ, ଘଣ୍ଟା, ମୃଦଙ୍ଗରେ ପ୍ରକମ୍ପିତ ହୋଇଉଠେ ସାରା ଅଞ୍ଚଳ । ହରିବୋଳ, ହୁଳହୁଳିରେ ଫାଟିପଡ଼େ ଗାଁ ଦାଣ୍ଡ । ଠାକୁର ଘରେ ଘରେ ଭୋଗଖାଇ ପହଞ୍ଚିଥାନ୍ତି ଗାଁର କନକ ଦୁର୍ଗାଙ୍କ ମନ୍ଦିରରେ । ୯ ଦିନ ପାଇଁ ଦେବୀପିଠ ପାଲଟି ଯାଏ ଶ୍ରୀ ଗୁଣ୍ଡିଚା ମନ୍ଦିର । ପାଳିକରି ଏଠାରେ ଭୋଗ ଲାଗିହୁଏ । ପୁଣି ବାହୁଡ଼ାରେ ବାହୁଡ଼ି ଆସନ୍ତି ଠାକୁର । ଏହାପରେ ପୁଣି ପାଲିଙ୍କିରେ ବସାଇ ବନ୍ଦେଶ୍ବର ମନ୍ଦିରରେ ଛାଡ଼ି ଆସନ୍ତି ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.