ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା, ଛାଡ଼ିଗଲେ ଅନେକ ପ୍ରଶ୍ନ

ଜଣକୁ ନ୍ୟାୟ ମିଳିଲା ବୋଲି ଗତକାଲି ସାରା ଦିନ ଆମେ ସେଲିବ୍ରେଟ୍‌ କଲେ । ହେଲେ ରାତିକୁ ଆଉ ଜଣେ ପୀଡ଼ିତା ଆଖି ବୁଜିଦେଲା । ଠିକ ହାଇଦ୍ରାବାଦ ଘଟଣା ଭଳି ଉତ୍ତର ପ୍ରଦେଶ ଉନ୍ନାଓରେ ଘଟିଥିଲା ଘଟଣା । ଯୁବତୀ ଜଣକୁ ଦୁଷ୍କର୍ମ କରି ଅଭିଯୁକ୍ତମାନେ ଜେଲ୍‌ ଯାଇଥିଲେ । ହେଲେ ବେଲ୍‌ରେ ଆସି ଘଟାଇଲେ ଭୟଙ୍କର ଘଟଣା । ନିଆ ଲଗାଇ ତାକୁ ପୋଡ଼ି ଦେଲେ । ଯୁବତୀଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିଲା । ଆଉ ସେ ବଞ୍ଚିଥାନ୍ତେ ବା କେମିତି ? ସେ ଜୀବନ ସଂଗ୍ରାମରେ ୪୦ ଘଣ୍ଟା ଲଢ଼େଇ କଲା ପରେ ଗତକାଲି ରାତି ୧୧.୪୦ ମିନିଟ୍‌ରେ ହୃଦ୍‌ଘାତରେ ପ୍ରାଣ ହରାଇଲେ । ଅନେକ ସଂଘର୍ଷ କରି କିଛି ଘଣ୍ଟା ବଞ୍ଚି ରହିଲେ ଆଉ ମାଗିଲେ ନ୍ୟାୟ । ତାଙ୍କ ବଞ୍ଚିବାର ଇଚ୍ଛାକୁ ଡାକ୍ତର ପୂରଣ କରି ପାରିଲେ ନାହିଁ । କାରଣ ଅଭିଯୁକ୍ତମାନେ ଏଭଳି କାଣ୍ଡ କରିଥିଲେ ଯେ ଯେଉଁଥିରେ ସେ ଆଉ ବଞ୍ଚିବା ସମ୍ଭବ ନଥିଲା । ହାଇଦ୍ରାବାଦର ଅଭିଯୁକ୍ତଙ୍କ ଭଳି ଏମାନେ ବି କରିଥିଲେ ଅତି ବର୍ବର କାଣ୍ଡ । ହିଂସାର ଚରମ ସୀମାରେ ପହଞ୍ଚିଥିଲେ । ତେଣୁ ଉନ୍ନାଓ ପୀଡ଼ିତାଙ୍କ ବାପା କହିଛନ୍ତି ଏହି ଅଭିଯୁକ୍ତମାନଙ୍କୁ ମଧ୍ୟ ହାଇଦ୍ରାବାଦ ଭଳି ଏନ୍‌କାଉଣ୍ଟର କର ।

ସବୁଠି ସବୁ ବେଳେ

ଦେଶର ପ୍ରତି ରାଜ୍ୟରେ ଏଭଳି ଜଘନ୍ୟ ଘଟଣା ଘଟି ଚାଲିଛି । ସରକାର, ପ୍ରଶାସନ, ପୋଲିସ୍‌ କିମ୍ବା ନ୍ୟାୟାଳୟ କେହିବି ନ୍ୟାୟ ଦେଇ ପାରୁନାହାନ୍ତି । ତାହେଲେ ଏ ଦୁନିଆରେ ଏବଂ ନାରୀଙ୍କୁ ଦେବୀ ଭାବେ ପୂଜା କରୁଥିବା ଏ ଦେଶରେ ଆଉ ନାରୀର ଅସ୍ତିତ୍ୱ ରହିବ ତ?
ଯେମିତି ପୁରୁଷ ବିନା ନାରୀ ଅଧୁରା ସେମିତି ନାରୀ ବିନା ପୁରୁଷର ମଧ୍ୟ ଅସ୍ତିତ୍ୱ ନାହିଁ । ଜଣେ ନାରୀ ହିଁ ପୁରୁଷକୁ ଜନ୍ମ ଦେଇଥାଏ । ଏକଥା କେମିତି ପୁରୁଷଟିଏ ଭୁଲି ଯାଉଛି ?
ଦୁଷ୍କର୍ମ କାଣ୍ଡରେ କଠୋର ଶାସ୍ତି ପାଇଁ ଆମେ ଦାବି କରୁଛୁ । ହୁଏତ ଏହା ଏଭଳି ଘଟଣାକୁ କମାଇ ଦେଇ ପାରେ । ହେଲେ ଇଏ କଣ ସମ୍ପୂର୍ଣ୍ଣ ସମାଧାନର ବାଟ ?

UNNAO-2

ପୁରୁଷ ଓ ନାରୀ ଭିତରେ ଏ ନରରାକ୍ଷସର ସ୍ଥାନ କେଉଁଠି ?

ଏବେ ଚିନ୍ତା କରିବାର ସମୟ ଆସିଛି କି ସାଥୀ ହୋଇ ରହୁଥିବା ପୁରୁଷ ଓ ନାରୀ ଭିତରେ ଏ ନରରାକ୍ଷସଙ୍କ ସ୍ଥାନ କେଉଁଠି ? ଅଳ୍ପ କେତେଜଣ ନରରାକ୍ଷସଙ୍କ ପାଇଁ ବଦନାମ ହେଉଛି ସାରା ପୁରୁଷ ସମାଜ । ତେଣୁ ନିଜ ଉପରେ ଥିବା ଦାୟିତ୍ୱ ଏବଂ ନିଜ ମର୍ଯ୍ୟାଦା ରକ୍ଷା କରିବା ହେଉଛି ପୁରୁଷ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ । ସେହି ଚ୍ୟାଲେଞ୍ଜର ସାମନା କରିବା ଦରକାର । ନଚେତ ସମୟ ଆସିବ ହୁଏତ ଆଜି ଝିଅ ଜନ୍ମ ପୂର୍ବରୁ କି ପରେ ଯାହା ଘଟୁଛି, ସେ କଥା ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଯାଇ ପାରେ । ନିଶ୍ଚୟ ଚିନ୍ତା କରିବାର ସମୟ ଆସିଛି ସମସ୍ତଙ୍କ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.