ହାତଗଣ୍ଠି ପାଇଁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିବାରୁ ବରକୁ ନିର୍ଦ୍ଧୁମ୍‌ ଛେଚିଲେ କନ୍ୟା ପକ୍ଷ, ଭାଇରାଲ ହେଉଛି ଭିଡିଓ

ସରକାର ଯୌତୁକ ପ୍ରଥାକୁ ବିରୋଧ କରି ଅନେକ ନିୟମ ପ୍ରଣୟନ କରୁଥିଲେ ବି ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଲୋକମାନେ ସେଇ ପୁରୁଣା ପ୍ରଥାକୁ ଜାବୁଡ଼ି ଧରି କନ୍ୟା ଘର ଲୋକଙ୍କୁ ହଇରାଣ କରୁଛନ୍ତି। ତେବେ ଏହି ଯୌତୁକ ମାଗିବା ଏବେ ଏକ ବରକୁ ଭାରି ପଡ଼ିଛି। ବାହାଘର ପୂର୍ବରୁ ଝିଅ ଘର ଲୋକଙ୍କୁ ଯୌତୁକ ଦାବି କରିଥିବା ଏକ ବରକୁ ନିର୍ଦ୍ଧୁମ୍‌ ଛେଚିଛନ୍ତି କନ୍ୟା ପକ୍ଷ ଲୋକ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓଟି ଉତ୍ତର ପ୍ରଦେଶର ଗାଜିଆବାଦର ବୋଲି କୁହାଯାଉଛି। ଏଠାରେ ନିକାହର ମାତ୍ର କିଛି ସମୟ ପୂର୍ବରୁ ବର ଝିଅ ଘର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା। କିନ୍ତୁ ଝିଅ ଘର ଲୋକ ଏତେ ଟଙ୍କା ଦେବାକୁ ମନା କରିବାକୁ ବର ବାହାଘର ପାଇଁ ନାଟକ କରିବା ଆରମ୍ଭ କରିଦେଇଥିଲା। ଏହା ପରେ ପ୍ରଥମେ କନ୍ୟା ପକ୍ଷ ଲୋକ ବରକୁ ବୁଝାଇଥିଲେ। କିନ୍ତୁ ସେ ବୁଝିବାକୁ ନାରାଜ ଥିଲା। ଶେଷରେ ରାଗରେ କନ୍ୟା ଘର ଲୋକ ବରକୁ ନିର୍ଦ୍ଧୁମ୍‌ ପିଟି ଥିଲେ। ତା’ପରେ ବାହାଘର ବନ୍ଦ କରି ବର ଯାତ୍ରୀ ଆଗ୍ରା ଫେରିଯାଇଥିବା ଦେଖାଯାଇଛି। ବରକୁ ମାଡ଼ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ୧୨ ଡିସେମ୍ବରରେ ବର ମୁଜାମିଲ ହୁସେନ୍‌ ବରଯାତ୍ରୀ ନେଇ ଗାଜିଆବାଦ ପହଞ୍ଚିଥିଲେ। ସହରର ବୃନ୍ଦାବନ ମ୍ୟାରେଜ ହଲରେ ବିବାହ ପାଇଁ ସବୁ ଆୟୋଜନ ହୋଇଥିଲା। ଖାଇବା ପିଇବା ପରେ ବର ଓ ତାଙ୍କ ବାପା କନ୍ୟାପକ୍ଷକୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। କନ୍ୟା ପକ୍ଷ ପୂର୍ବରୁ ହିଁ ୩ ଲକ୍ଷ କ୍ୟାସ୍‌ ଓ ଡାଇମଣ୍ଡ ମୁଦି ଦେଇଛନ୍ତି। ଏଣୁ ଶେଷ ମୁହୂର୍ତ୍ତରେ ଏତେ ଗୁଡ଼ାଏ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ଡିମାଣ୍ଡ ଦେବାକୁ ମନା କରିବା ପରେ ବର ବାହା ହେବାକୁ ମନା କରିଦେଇଥିଲା। ତା’ ପରେ କନ୍ୟା ପକ୍ଷ ଲୋକ ରାଗି ଯାଇ ବରକୁ ଧୁମ୍‌ ପିଟିଥିଲେ। ବର ଘର ଲୋକ ବରକୁ ମୁକୁଳାଇ କୌଣସି ମତେ ସେଠାରୁ ଖସି ଆସିଥିଲେ। ପରେ ଡିସେମ୍ବର ୧୭ରେ କନ୍ୟା ପକ୍ଷ ଲୋକ ବର ଘର ବିରୋଧରେ ଧୋକାବାଜି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

ଏ ନେଇ ଝିଅର ଭାଇ କହିଛନ୍ତି, ଅଭିଯୁକ୍ତ ମୁଜାମିଲ ହୁସେନ୍‌ ପୂର୍ବରୁ ବି ଅନେକ ଝିଅଙ୍କ ସହ ବାହା ହୋଇ ଟଙ୍କା ହଡ଼ପି ସାରିଛି। ସବୁ ବେଳେ ସେ ବାହାଘର ବେଳେ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରେ ଓ ତା’ ପରେ ବାହାଘର ଭାଙ୍ଗିଦିଏ। ତେବେ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.