ପ୍ରସୂତୀଙ୍କୁ ଚେୟାରରେ ବସାଇ ୩ କିଲୋମିଟର ଚାଲି ଚାଲି ନଦୀ ପାର ହେଲେ ଗାଁ ଲୋକେ, ସାମ୍ନାକୁ ଆସିଲା ଲଜ୍ଜାଜନକ ଦୃଶ୍ୟ

ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ଅପହଞ୍ଚ ସାଧାରଣ ସୁବିଧା। ନା ଅଛି ରାସ୍ତା ନା ଯାତାୟାତ ପାଇଁ ରହିଛି ଅନ୍ୟ କୌଣସି ସୁବିଧା। କୌଣସି ସୁବିଧା ନଥିବାରୁ ପ୍ରସୂତୀଙ୍କୁ ଚେୟାରରେ ଟେକି ଟେକି ହସ୍ପିଟାଲ ନିଆଯାଇଛି। ମଧ୍ୟ ପ୍ରଦେଶରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର ପନ୍ନା ଜିଲ୍ଲାର ଦଦୋଲ ପୁର ଗାଁରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ପରିଜନ ଓ ଗାଁର ଯୁବକମାନେ ଚେୟାରରେ ବସାଇ ୩ କିଲୋମିଟର କାଦୁଅ ଓ ପାଣି ରାସ୍ତା ଦେଇ ହସ୍ପିଟାଲ ନେଇଛନ୍ତି। ଏଠାରେ ଗମନାଗମନ ପାଇଁ ରାସ୍ତା ନଥିବାରୁ ବର୍ଷା ହେଲେ ରାସ୍ତା ବନ୍ଦ ହୋଇଯାଏ। ଫଳରେ ପ୍ରାୟତଃ ଲୋକମାନେ ଏଭଳି ସ୍ଥିତି ଦେଇ ଯାତାୟାତ କରିଥାନ୍ତି।

ରିପୋର୍ଟ ମୁତାବକ, ଏଠାରେ ଜଣେ ଆଦିବାସୀ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା। ଏଣୁ ଘର ଲୋକ ଜନନୀ ଏକ୍ସପ୍ରେସକୁ କଲ୍‌ କରିଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଜନନୀ ଏକ୍ସପ୍ରେସ ମହିଳାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା। ତାହା ୩ କିଲୋମିଟର ଦୂର ବିକ୍ରମପୁର ଠାରେ ଅଟକି ଥିଲା। ଏଣୁ ବାଧ୍ୟ ହୋଇ ଗାଁ ଲୋକେ ପ୍ରସୂତୀଙ୍କୁ ଚେୟାରରେ ବସାଇ ନଦୀ ପାର କରି କାଦୁଅ ରାସ୍ତାରେ ଟେକି ଟେକି ନେଇଥିଲେ।

ହସ୍ପିଟାଲରେ ପହଞ୍ଚି ମହିଳା ଏକ ସୁସ୍ଥ ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଫେରିବା ବେଳକୁ ବି ଅବସ୍ଥା ସମାନ ଥିଲା। ମହିଳାଙ୍କୁ ଗାଁ ଲୋକେ ଟେକି ଟେକି ନେଇଥିବା ବେଳେ ନବଜାତକକୁ ଆଉ ଜଣେ ମହିଳା କୋଳରେ ଧରି ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇଥିଲେ। ନଦୀ ପାର ହେବା ସମୟରେ ହାଲ୍‌କା ବର୍ଷା ବି ହେଉଥିବା ଜଣାଯାଇଛି।

Pregnant2

ତେବେ ଏ ନେଇ ଗାଁ ଲୋକେ କହିଛନ୍ତି ଯେ ଏଠାରେ ଏଭଳି କଥା ଏବେ ସାଧାରଣ ହୋଇଗଲାଣି। ଗାଁକୁ ଗମନାଗମନର ସୁବିଧା ନଥିବାରୁ ଲୋକଙ୍କୁ ହସ୍ପିଟାଲ ନେବା ଆଣିବା କରିବା ବେଳେ ଭାରି ସମସ୍ୟା ଦେଇ ଯିବାକୁ ପଡ଼ିଥାଏ। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁରେ ପକ୍କା ସଡ଼କ, ବିଜୁଳି ଓ ପାନୀୟ ଜଳ ସୁବିଧା ନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ।

Also Read: ଏବେ ଦକ୍ଷିଣ ୟୁକ୍ରେନ୍‌ ଉପରେ ରୁଷ୍‌ର ନଜର, ଆକ୍ରମଣ ପାଇଁ ପଠାଇଲା ବିପୁଳ ଗୁଳିଗୋଳା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.