ଅମାନତ ରାଶି କଣ ? କାହିଁକି ଏବଂ କେଉଁ ପରିସ୍ଥିତିରେ ଏହାକୁ ହରାଇଥାନ୍ତି ପ୍ରାର୍ଥୀ ? ଜବତ ହେଉଥିବା ଅମାନତ ରାଶି ଯାଏ କୁଆଡେ

ଲୋକତନ୍ତ୍ରର ମହାକୁମ୍ଭ ଲୋକସଭା ନିର୍ବାଚନ ଘୋଷଣା ହୋଇସାରିଛି । ପ୍ରାୟ ସମସ୍ତ ଦଳ ନିଜ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଲେଣି । ଅନେକ ସ୍ଥାନରେ ଅନେକ ନେତା ନାମାଙ୍କନ ପତ୍ର ଦାଖଲ କରିସାରିଲେଣି । ଏଣିକି ପ୍ରଚାର ସମୟ । ନିର୍ବାଚନରେ ବାଜିମାତ୍ କରିବାକୁ ପ୍ରଚାର ମୈଦାନକୁ ଓହ୍ଲାଇସାରିଲେଣି ଟାଣୁଆ ନେତା । ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ୧୧ ଏପ୍ରିଲରେ ଆରମ୍ଭ ହୋଇ ୧୯ ମେ ରେ ସରିବ । ଆଉ ଫଳାଫଳ ବାହାରିବ ମେ’ ୨୩ ରେ ।

ତେବେ ଏହି ନିର୍ବାଚନ ପ୍ରକିୟାରେ ପ୍ରତ୍ୟେକ ପ୍ରାର୍ଥୀ ଏକ ନିଶ୍ଚିତ ଅମାନତ ରାଶି ଜମା କରିଥାଏ । ଯାହା ନିର୍ବାଚନ କମିଶନଙ୍କ ସର୍ତ୍ତ ପୁରା ନକଲେ ଜବତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ଏହି ଅମାନତ ରାଶି, ଏହାର ନିୟମ ଏବଂ କେମିତି ଏହା ଜବତ ହୋଇଥାଏ ।

ଭାରତୀୟ ସମ୍ବିଧାନର ଅନୁଛେଦ ୮୪ (ବି) ମୂତାବକ, ୨୫ ବର୍ଷର କୌଣସି ବି ବ୍ୟକ୍ତି ଲୋକସଭା ନିର୍ବାଚନ ଲଢିପାରିବେ । ତେବେ ନିର୍ବାଚନ ଲଢିବା ପାଇଁ ହେଲେ ଦେଶର କୌଣସି ବି ସ୍ଥାନରେ ଭୋଟର ଭାବରେ ନାମ ପଞ୍ଚକ୍ରୁତ ହୋଇଥିବା ଆବଶ୍ୟକ । ଦିଲ୍ଲୀରେ ପଞ୍ଜୀକ୍ରୁ ଭୋଟର କେରଳ ବି ନିର୍ବାଚନ ଲଢିପାରିବେ । ସେହିପରି ପଂଜାବର ଭୋଟର୍ ଓଡିଶାରୁ ନିର୍ବାଚନ ଲଢିପାରିବେ ।
ଭାରତୀୟ ଜନପ୍ରତିନଧି ଆଇନ୍ ସେକ୍ସନ୍ ୮(୩) ମୂତାବକ, ଦୁଇ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତି ନିର୍ବାଚନ ଲଢିପାରିବ ନାହିଁ । ଯଦି ଏଭଳି ବ୍ୟକ୍ତି ନାମାଙ୍କନ ଦାଖଲ କରୁଛନ୍ତି ତେବେ ତାଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରିଦିଆଯିବ । କୌଣସି ବି ବ୍ୟକ୍ତି ଦୁଇଟିରୁ ଅଧିକ ସିଟରେ ନିର୍ବାଚନ ଲଢିପାରିବ ନାହିଁ ।

କେତେ ହୋଇଥାଏ ଅମାନତ ରାଶି :

ଜନପ୍ରତିନିଧିତ୍ବ ଆଇନ୍ ଅନୁଯାୟୀ, ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମୟରେ ୨୫ ହଜାର ଟଙ୍କା ଅମାନତ ରାଶି ଜମା କରିଥାଏ । ଅନୁସୂଚିତ ଜାତି ଏବଂ ଜନଜାତିର ପ୍ରାର୍ଥୀଙ୍କୁ ମାତ୍ର ୧୨,୫୦୦ ଅମାନତ ରାଶି ଜମା କରିବାକୁ ପଡିଥାଏ । ବିଧାନସଭା ନିର୍ବାଚନ ପାଇଁ ଏହି ଅମାନତ ରାଶି ସାଧରାଣ ପ୍ରାର୍ଥୀଙ୍କ ପାଇଁ ୧୦ହଜାର ଟଙ୍କା ହୋଇଥିବା ବେଳେ ଏସି/ଏସଟି ପାଇଁ ୫ ହଜାର ଟଙ୍କା ।

କେମିତି ଜବତ ହୋଇଥାଏ ଏହି ଅମାନତ ରାଶି :

ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଯଦି କୌଣସି ପ୍ରାର୍ଥୀ ସମୁଦାୟ ଭୋଟର ୧/୬ (୧୬.୬%) ଭାଗ ଭୋଟ ପାଇବାରେ ଅସଫଳ ହୁଏ ତେବେ ତାର ଅମାନତ ରାଶି ଜବତ କରି ରାଜକୋଷକୁ ପଠାଇଦିଆଯାଏ । ଏହି ପ୍ରକ୍ରିୟା ପ୍ରଥମ ଲୋକସଭା ନିର୍ବାଚନରୁ ଜାରି ରହିଛି । ୧୯୫୧-୫୨ର ସାଧାରଣ ନିର୍ବାଚନରେ ୧୮୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୪୫ ଜଣ ନିଜ ଅମାନତ ରାଶି ହରାଇଥିଲେ । ସେହିପରି ୧୯୯୬ ଲୋକସଭା ନିର୍ବାଚନରେ ୯୧ % ପ୍ରାର୍ଥୀ ନିଜ ଅମାନତ ହରାଇଥିଲେ । ପ୍ରଥମ ସାଧାରଣ ନିର୍ବାଚନରେ ନ୍ୟାସନାଲ୍ ପାର୍ଟିର ୨୮ ପ୍ରତିଶତ ପ୍ରାର୍ଥୀ ନିଜ ଅମାନତ ରାଶି ହରାଇ ଦେଇଥିଲେ ।

ମୋଦି ଲହର ରେ ୮୫ % ଅମାନତ ଜବତ :

୨୦୧୪ରେ ୮୭୪୮ ପ୍ରାର୍ଥୀଙ୍କ ମଧ୍ୟରୁ ୭୫୦୨ ପ୍ରାର୍ଥୀ ୧୬.୬ % ମତ ହାସଲ କରିବାରେ ଅସଫଳ ହୋଇଥିଲେ । ଯାହା ଫଳରେ ସେମାନଙ୍କ ଅମାନତ ରାଶି ଜବତ ହୋଇଥିଲା । ୬ଟି ଲୋକସଭା ସିଟ୍ ତ୍ରିପୁରା ଇଷ୍ଟ ଏବଂ ୱେଷ୍ଟ, ଗାଜିଆବାଦ,ସତାରା,ଛତରା,ଫରିଦାବାଦରେ କେବଳ ବିଜୟ ଲାଭ କରିଥିବା ପ୍ରାର୍ଥୀଙ୍କ ଅମାନତ ରାଶି ବଂଚିପାରିଥିଲା । ୩୭୨ ସିଟରେ କେବଳ ବିଜୟ ଲାଭ କରିଥିବା ଏବଂ ଦ୍ବିତୀୟ ନମ୍ବରରେ ଥିବା ପ୍ରାର୍ଥୀଙ୍କ ଅମାନତ ରହିପାରିଥିଲା । ଅନ୍ୟପଟେ କଂଗ୍ରେସର ପ୍ରାର୍ଥୀ ୧୭୯ ସିଟରେ ନିଜ ଅମାନତ ହରାଇଥିଲେ ।

ଏହି ନିର୍ବାଚନରେ ସବୁଠାରୁ ଅଧିକ କ୍ଷତି ବିଏସପିର ହୋଇଥିଲା । ବିଏସପିର ୫୦୧ ସିଟରେ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଯେଉଁଥିରୁ ୪୪୫ ଜଣଙ୍କ ଅମାନତ ଜବତ ହୋଇଯାଇଥିଲା । ମୋଦି ଲହରରେ କଂଗ୍ରେସର ଯେଉଁ ବଡ଼ ବଡ଼ ନେତା ଅମାନତ ହରାଇଥିଲେ ସେମାନେ ହେଉଛନ୍ତି କାର୍ତ୍ତି ଚିଦାମ୍ବରମ,ମଣିଶଙ୍କର ଆୟର୍, ରାଜବବର, ନଗମା, ମହମ୍ମଦ କୈଫ,ସଲମାନ୍ ଖୁର୍ସିଦ, ଜିନିତ୍ ପ୍ରସାଦ ଏବଂ ବେନି ପ୍ରସାଦ । ରାଜଧାନୀ ଦିଲ୍ଲୀର ସାତଟି ଲୋକସଭା ସିଟରେ କଂଗ୍ରେସ୍ ପ୍ରାର୍ଥୀ ନିଜ ଅମାନତ ହରାଇଥିଲେ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ୭୮ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣଙ୍କ ଅମାନତ ପ୍ରାର୍ଥୀଙ୍କ ଅମାନତ ହରାଇଥିଲେ ।

କେଉଁ ପରିସ୍ଥିତରେ ଫେରସ୍ତ ହୋଇଥାଏ ଅମାନତ ରାଶି :

– ଯଦି ପ୍ରାର୍ଥୀଙ୍କ ନାମ ଲଢୁଥିବା ପ୍ରାର୍ଥୀଙ୍କ ତାଲିକାରେ ନଥାଏ । ଏହାର ଅର୍ଥ ନିର୍ବାଚନ କମିଶନ ପ୍ରାର୍ଥୀଙ୍କ ନାମ ନାକଚ କରିଦେଇଛନ୍ତି କିମ୍ବା ପ୍ରାର୍ଥୀ ନିଜେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଦେଇଛନ୍ତି । ଏପରି କ୍ଷେତ୍ରରେ ଅମାନତ ରାଶି ଫେରସ୍ତ ହୋଇଥାଏ ।

– ଯଦି ପ୍ରାର୍ଥୀଙ୍କର ଭୋଟ ପୂର୍ବରୁ ଦେହାନ୍ତ ହୋଇଯାଏ ।

– ଯଦି ପ୍ରାର୍ଥୀ ନିର୍ବାଚନ ଜିତନ୍ତି ।

– ଯଦି ପ୍ରାର୍ଥୀ ନିର୍ବାଚନ ଜିତୁ ନାହାଁନ୍ତି କିନ୍ତୁ ସମୁଦାୟ ଭୋଟର ୧/୬ ଭୋଟ୍ ପାଉଛନ୍ତି ତେବେ ଅମାନତ ଫେରି ପାଇବେ ।

– ଯଦି ପ୍ରାର୍ଥୀ ୧/୬ ଭୋଟ୍ ପାଉନାହାଁନ୍ତି କିନ୍ତୁ ନିର୍ବାଚନରେ ବିଜୟ ଲାଭ କରୁଛନ୍ତି ତେବେ ନିଜ ଅମାନତ ରାଶି ଫେରିପାଇବେ ପ୍ରାର୍ଥୀ ।

କାହିଁକି ରଖାଯାଇଛି ଅମାନତ ରାଶି :

ଏହି ଅମାନତ ରାଶି ଏଥିପାଇଁ ରଖାଯାଇଛି ଯାହା ଫଳରେ କେବଳ ସିରିୟସ୍ ଥିବା ପ୍ରାର୍ଥୀ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇପାରିବେ । ନଚେତ୍ ଯେକୌଣସି ଲୋକ ନିର୍ବାଚନ ଲଢିବାକୁ ନାମାଙ୍କନ ଦାଖଲ କରିଦେବେ । କିନ୍ତୁ ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପ ଫଳପ୍ରଦ ହେଉନାହିଁ । କାରଣ ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବା ପାଇଁ ବିପକ୍ଷଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.