ଲିଙ୍ଗରାଜ ମନ୍ଦିର ଚୂଡ଼ାରେ କଣ ଅଛି ? ତ୍ରିଶୂଳ ତ ନାହିଁ ?

ମନ୍ଦିର ମାଳିନୀ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର । ଏଇଠି ରହିଛି ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ । ଦୈନିକ ଦେଶ ବିଦେଶରୁ ଏଠାକୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ । ପ୍ରଭୁ ଲିଙ୍ଗରାଜଙ୍କ ମହିମା ଅନେକ । ସେଥିଲାଗି ତାଙ୍କର ଦର୍ଶନ ଏବଂ ପୂଜାର୍ଚ୍ଚନା ଲାଗି ଭକ୍ତଙ୍କ ଭିଡ଼ ଲାଗେ । ବିଶେଷ କରି ସୋମବାର ହେଲେ ଭକ୍ତଙ୍କ ସୁଅ ଛଟେ । ହେଲେ କେହି କେବେ ମନ୍ଦିର ଚୂଡ଼ା ଉପରେ ନଜର ପକାଇଛନ୍ତି କି ? କେବେ ଭଲ ଭାବେ ଦେଖିଛନ୍ତି ଏହି ସବୁଠାରୁ ବଡ଼ ମନ୍ଦିର ଚୂଡ଼ାରେ କଣ ରହିଛି ? ଏବେ ଟିକେ ଭଲ କରି ଦେଖନ୍ତୁ ତ ? ସବୁ ଶିବ ମନ୍ଦିର ଉପରେ ତ୍ରିଶୂଳ ରହୁଥିବା ବେଳେ ଏଠାରେ ରହିଛି ଧନୁ । ଧନୁ ସହ ମନ୍ଦିର ଚୂଡ଼ାରେ ବାନା ଉଡୁଛି । ଆସନ୍ତୁ ଜାଣିବା କାହିଁକି ଏଠାରେ ରହିଛି ଧନୁ ଓ ଏହାର ବିଶେଷତ୍ୱ କଣ?

IMAGE-2
ଏହା କେବଳ ଏକ ଶୈବ ପୀଠ ନୁହେଁ । ଏହା ହେଉଛି ହରିହରଙ୍କ ପୀଠ । ଅର୍ଥାତ ଶିବ ଏବଂ ବିଷ୍ଣୁଙ୍କର ପୀଠ ହେଉଛି ଲିଙ୍ଗରାଜ କ୍ଷେତ୍ର । ହରି ଓ ହରଙ୍କ ପୀଠ ହୋଇଥିବାରୁ ମନ୍ଦିର ଚୂଡ଼ାରେ ତ୍ରିଶୂଳ ସ୍ଥାନରେ ଧନୁ ଲଗାଯାଇଛି । ଯାହା ଶିବଙ୍କର ପିନାକ ଧନୁ ବୋଲି ବିଶ୍ୱାସ ରହିଛି । ଦଧିନଉତିରେ ଥିବା ଏହି ଧନୁ ମନ୍ଦିର ନିର୍ମାଣ ବେଳରୁ ରହିଥିବା କୁହାଯାଏ । ଏହା ଅଷ୍ଟଧାତୁରେ ତିଆରି । ଧନୁର ଉଚ୍ଚତା ପ୍ରାୟ ୧୬ ଫୁଟ ଏବଂ ଓସାର ୪ ଫୁଟ ବୋଲି କୁହାଯାଉଛି । ଦଧିନଉତି କଳସଟି ୬ ଫୁଟ ଉଚ୍ଚତାର ହୋଇଥିବା ବେଳେ ଏହା ଉପରକୁ ଧନୁଟି ପ୍ରାୟ ୮ଫୁଟ ରହିଛି ।

IMAGE-1
ବାଲ୍ମିକୀ ରାମାୟଣ ଅନୁସାରେ ପିନାକ ହେଉଛି ଶିବଙ୍କ ଧନୁ । ଯାହାକୁ କେବଳ ପ୍ରଳୟ ଲାଗି ବ୍ୟବହାର କରାଯାଏ । ଭଗବାନ ଦେବେନ୍ଦ୍ରେ ଦୁଇଟି ସମାନ କ୍ଷମତାର ଧନୁ ତିଆରି କରି ଗୋଟିଏ ଶିବ ଓ ଅନ୍ୟଟି ବିଷ୍ଣୁଙ୍କୁ ଭେଟି ଦେଇଥିଲେ । କହିଲେ ଦୁହେଁ ଏଥିରେ ଯୁଦ୍ଧ କରନ୍ତୁ, କେଉଁ ଧନୁଟି ଅଧିକ ଶକ୍ତିଶାଳୀ ତାହା ଜଣାପଡ଼ିବ । ହେଲେ ଦୁହେଁ ଯୁଦ୍ଧ କରିବା ପୂର୍ବରୁ ଶୂନ୍ୟବାଣୀ ହେଲା ଯେ ଯୁଦ୍ଧ କଲେ ବିଶ୍ୱ ବ୍ରହ୍ମାଣ୍ଡର ବିନାଶ ହୋଇଯିବ । ତେଣୁ ଶିବ ନିଜ ଧନୁକୁ ଫିଙ୍ଗି ଦେଲେ ।

PINAKA_IMAGE-1

ଯାହା ଆସି ପୃଥିବୀରେ ପଡ଼ିଲା । ତେବେ ଏହାକୁ ନେଇ ଅନେକ କଥା କିମ୍ବଦନ୍ତୀ ରହିଛି । ଏଥିରୁ ଏକ କଥା ଅନୁସାରେ ଏହି ଦୁଇଟି ଧନୁ ବିଶ୍ୱକର୍ମ ତିଆରି କରିଥିଲେ । ଶିବଙ୍କ ଧନୁର ନାଁ ପିନାକ ଏବଂ ବିଷ୍ଣୁଙ୍କ ଧନୁର ନାଁ ଥିଲା ସାରଙ୍ଗ ।
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର, ଶିବ ଲିଙ୍ଗ ଏବଂ ଶକ୍ତି ସହ ଚୂଡ଼ାରେ ଲାଗିଥିବା ଏହି ଧନୁକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳେ । କେହି କୁହନ୍ତି ତ୍ରିଶୂଳ ଅଧା ଭାଙ୍ଗିଯିବା ପରେ ଏହା ଧନୁ ହୋଇଛି ।

SHIVa-4

ଆଉ କେହି କୁହନ୍ତି ପ୍ରଥମେ କେବଳ ଶୈବ କ୍ଷେତ୍ର ଥିବା ବେଳେ ମନ୍ଦିର ଚୂଡ଼ାରେ ତ୍ରିଶୂଳ ଥିଲା ପରେ ହରିହର କ୍ଷେତ୍ର ହେବା ପରେ ଏଠାରେ ଧନୁ ସ୍ଥାପିତ କରାଯାଇଛି । ହେଲେ ଏବେବି ଏହାର ପ୍ରକୃତ ରହସ୍ୟ ଭେଦ କରିବା ସମ୍ଭବ ହୋଇନାହିଁ ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.