ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ହଠାତ୍ ବାଘ ସହ ହେଲା ମୁହାଁମୁହିଁ… ତା’ ପରେ ହେଲା କିଛି ଏମିତି

ବାଘ ଏକ ଏପରି ପଶୁ, ଯାହାର ନାଁ ଶୁଣିବା ମାତ୍ରେ ଲୋକମାନେ ଡରରେ ଥରିବାକୁ ଲାଗିଥାନ୍ତି। ଟିକେ ଭାବନ୍ତୁ ତ, ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ, ତେବେ ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ସେଠାରୁ ‌ଖସିଯିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ଆପଣଙ୍କ ପାଇଁ ବିପଦଜ୍ଜନକ ‌ହୋଇପାରେ। ସେହିପରି ମହାରାଷ୍ଟ୍ରରେ ଜଣେ ଯୁବକଙ୍କ ସହ ଘଟିଛି। ଦୁଃଖଦ କଥା, ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ଯୁବକଙ୍କ ଜୀବନ ଚାଲି ଯାଇଛି।

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏବେ ଏକ ବାଘ ଆତଙ୍କ ଖେଳାଇଛି। ବାଘର ଭୟରେ ଲୋକମାନେ ଘର ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି। ଲୋକମାନେ ବସବାସ କରୁଥିବା ଅଞ୍ଚଳରେ ବାଘଟି ବୁଲୁ ଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ସୂଚନା ଅନୁସାରେ ପ୍ରବୀଣ ମରାଠେ ନାମକ ଜଣେ ଯୁବକ ସବୁଦିନ ଭଳି ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ମର୍ଣ୍ଣିଂ ୱାକ୍‌ ସାରି ଫେରୁଥିବା ବେଳେ ଅଚାନକ ପ୍ରବୀଣଙ୍କ ସାମ୍ନାକୁ ଏକ ବାଘ ଚାଲି ଆସିଥିଲା। ସଙ୍ଗେ ସଙ୍ଗେ ବାଘକୁ ଦେଖି ଯୁବକ ଜଣକ ଏତେ ଭୟଭୀତ ହେଲେ ଯେ ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା ଏବଂ ସେ ସେଠାରେ ମୃତ୍ୟୁବରଣ କଲେ |

ସ୍ଥାନୀୟ ଲୋକଙ୍କ କହିବାନୁସାରେ ସକାଳେ ବୁଲିବାକୁ ଆସିଥିବା ବେଳେ ସେମାନେ ରାସ୍ତାରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ଦେଖି 108 ରେ ଆମ୍ବୁଲାନ୍ସକୁ ଜଣାଇଥିଲେ। କିନ୍ତୁ ଆମ୍ବୁଲାନ୍ସ ସେଠାରେ ପହଞ୍ଚିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ତା’ପରେ ଲୋକମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ବନ ବିଭାଗ ମଧ୍ୟ ସ୍ପଷ୍ଟ କରିଛି। ସୂଚନାଥାଉ କି, କିଛିଦିନ ପୂର୍ବେ ଜଣେ ବୃଦ୍ଧ ଶୌଚ ପାଇଁ ଯାଇଥିବା ବେଳେ ବାଘ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। ବାଘକୁ କୁକୁର ଭାବି ୬୫ ବର୍ଷୀୟ ବୃଦ୍ଧ ବାଘ ପାଖକୁ ଚାଲି ଯାଇଥିଲେ। ସୌଭାଗ୍ୟବଶତଃ, ସେଠାରୁ ସେ କୌଶଳକ୍ରମେ ଖସି ପଳାଇଥିଲେ।

ସୂଚନା ଅନୁସାରେ ଆଜିକାଲି ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବାଘର ଆତଙ୍କ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଲୋକଙ୍କ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ଆସୁଛି। ବାଘଟି ପ୍ରାୟତଃ ଆବାସିକ ଅଞ୍ଚଳରେ ବୁଲୁଥିବାର ଦେଖାଯାଏ, ଯେଉଁ କାରଣରୁ ଲୋକମାନେ ଆତଙ୍କିତ ହୋଇପଡନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.