କିଏ କହୁଛି ସତ, ବନ କର୍ମଚାରୀ ନା ଗ୍ରାମବାସୀ? ଭାଇରାଲ୍ ହେଉଛି ଭିଡିଓ

ଏହି ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ହେବା ଜରୁରୀ । ତେବେ ସତ କହିବାକୁ ଗଲେ ଜଙ୍ଗଲ ଆମର ବନ୍ଧୁ । ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ୱ । ନିଆଁ ଦାଉରୁ ହେଉ କି ମାଫିଙ୍କ କବଳରୁ, ଜଙ୍ଗଲକୁ ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । 

ବାଙ୍ଗିରିପୋଷି (କେନ୍ୟୁଜ):  ମାର୍ ପିଟ୍ ଧସ୍ତାଧସ୍ତି ।  ଘଟଣାସ୍ଥଳରେ ଜମିଥିଲା ଭିଡ । କଣ ପଚାରିବାରୁ ଯାହା ଜଣାପଡିଲା କି କୁଆଡେ, ବନ କର୍ମଚାରୀ ଜଙ୍ଗଲରୁ ଗଛ କାଟି ନେଉଥିଲେ । ତାଙ୍କୁ ରୋକିଥିଲେ ଗାଁ ଲୋକେ । ଆଉ କଥା ଯାଇକି ମାରପିଟ୍ ପର୍ଯ୍ୟନ୍ତ ପହଁଚିଛି । ଏଭଳି ଏକ ଭାଇରାଲ ଭିଡିଓ ଏବେ ମୟୁରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଜିଲ୍ଲାର ବାଙ୍ଗରିପୋଷି ବନାଞ୍ଚଳ ଅଧୀନରେ ଥିବା ଯୋକା ବିଟ୍ ଅନ୍ତର୍ଗତ ପାକଟିଆ ଜଙ୍ଗଲରେ ଗଛ କଟାକୁ କେନ୍ଦ୍ର କରି ମାରପିଟ ଲାଗିଛନ୍ତି ଫରେଷ୍ଟ ଗାର୍ଡ ଓ ସ୍ଥାନୀୟ ଗ୍ରାମବାସୀ ।

ସୂଚନା ଅନୁସାରେ, ଯୋକା ବିଟରେ କାର୍ଯ୍ୟରତ ବୁଧୁରାମ ସିଂ ନାମକ ବନ କର୍ମଚାରୀ ଜଙ୍ଗଲରୁ ଶାଳ ଗଛ କାଟୁଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଥିଲେ । ଗଛ କଣ ପାଇଁ କାଟୁଛ କହି ବିରୋଧ କରିବାରୁ ସେମାନଙ୍କୁ ବନ କର୍ମଚାରୀ ଧମକ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଗଛ ଆମେ ଜଗିଛୁ , ସେ ଆମର ଛୁଆ ଭଳି । ତୁମେ କାହିଁକି କାଟୁଛ ବୋଲି କହିଥିଲେ । ତେବେ ବୁଧୁରାମ ସେମାନଙ୍କ କଥା ଶୁଣି ନଥିଲେ । ଫଳରେ ପରସ୍ପର ଭିତରେ ଧସ୍ତାଧସ୍ତି ସହ ମାରପିଟ ହୋଇଥିଲା ।

ତେବେ ଯାହା ଜଣାପଡ଼ିଛି ଏପର୍ଯ୍ୟନ୍ତ ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଅନ୍ୟପକ୍ଷେ ବୁଧୁରାମ ସିଂ କହିବା ଅନୁଯାୟୀ ଗଛ କଟା ହେଉଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ସେଠାରେ କେହି ନଥିଲେ ,ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କଟର ମେସିନ ମାଧ୍ୟମରେ କଟାଯାଇଥିବା ଗଛକୁ ଛୋଟ କରି ଆଣିବାକୁ ଉଦ୍ୟମ କରୁଥିବା ବେଳେ କିଛି ମହିଳା ଓ ପୁରୁଷ ଆସି ତାଙ୍କୁ ସଂଗବୋଧ ହୋଇ ଆକ୍ରମଣ କରିଥିଲେ ବୋଲି କହିଥିଲେ ।

ଏପଟେ ବନପାଳ ଅଭିନାଶ ଗିରି ବି ସମାନ କଥା କହିଛନ୍ତି କି, ଗ୍ରାମବାସୀମାନେ ଗଛ କାଟୁଥିବା ଖବର ପାଇଁ କର୍ମଚାରୀମାନେ ରୋକିବାକୁ ଯାଇଥିଲେ। ତେବେ ଘଟଣାର ତଦନ୍ତ କରିବେ ବୋଲି ରେଞ୍ଜ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି । ଏଠି ସୂଚନା ଦେଉଛୁ କି କିଛିମାସ ପୂର୍ବରୁ ସମାନ କର୍ମଚାରୀ ଜଣକ ଏକ କାଠ ବୋଝେଇ ଟ୍ରାକ୍ଟର ଡିଲ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ହେବା ଜରୁରୀ । ତେବେ ସତ କହିବାକୁ ଗଲେ ଜଙ୍ଗଲ ଆମର ବନ୍ଧୁ । ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ୱ । ନିଆଁ ଦାଉରୁ ହେଉ କି ମାଫିଙ୍କ କବଳରୁ, ଜଙ୍ଗଲକୁ ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।