ଜାଣିଛନ୍ତି କି କାହିଁକି ନନ୍ଦୀଙ୍କ କାନରେ କୁହାଯାଏ ନିଜ ମନସ୍କାମନା ?

ଆପଣ ଯେବେ ବି କୌଣସି ଶିବ ମନ୍ଦିର ଯାଇଥିବେ ନିଶ୍ଚୟ ଭାବରେ ଭଗବାନଙ୍କ ସାମ୍ନାରେ ନନ୍ଦୀଙ୍କୁ ବସିଥିବାର ଦେଖିଥିବେ । ଆଉ ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନନ୍ଦୀଙ୍କ କାନରେ ନିଜ ମନସ୍କାମନା କହିଥାନ୍ତି । ହେଲେ କେବେ ଆପଣଙ୍କ ମନରେ ଆସିଛି କାହିଁକି ନନ୍ଦୀଙ୍କ କାନରେ ହିଁ ମନସ୍କାମନା କୁହାଯାଏ ?

ପୌରାଣିକ କଥା ଅନୁସାରେ, ଶ୍ରୀଲାଦ ମୁନି ବ୍ରହ୍ମଚର୍ଯ୍ୟ ପାଳନ କରି ତପରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ଶ୍ରୀଲାଦ ମୁନିଙ୍କ ବଂଶ ସମାପ୍ତ ହେଉଥିବାର ଦେଖି ଚିନ୍ତାରେ ପଡିଯାଇଥିଲେ ତାଙ୍କ ବାପା । ଆଉ ବଂଶ ଆଗକୁ ବଢାଇବାକୁ ଶ୍ରୀଲାଦ ମୁନିଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ତପରେ ବ୍ୟସ୍ତ ରହିବା କାରଣରୁ ଗୃହସ୍ଥ ଜୀବନକୁ ଆପଣାଇବାକୁ ଚାହୁଁନଥିଲେ । ସେଥିପାଇଁ ସନ୍ତାନ ପ୍ରାପ୍ତି ପାଇଁ ନିଜ ତପରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ଜନ୍ମ ଏବଂ ମୃତ୍ୟୁ ବନ୍ଧନରୁ ମୁକ୍ତ ପୁତ୍ରର ବରଦାନ ମାଗିଥିଲେ ଶ୍ରୀଲାଦ ମୁନି । ଆଉ ଶ୍ରୀଲାଦ ମୁନିଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କ ପୁତ୍ର ରୂପରେ ପ୍ରକଟ ହେବା ପାଇଁ ବରଦାନ ଦେଲେ ।

କିଛି ସମୟରେ ହଳ କରିବା ସମୟରେ ଶ୍ରୀଲାଦ ମୁନିଙ୍କୁ ଏକ ଶିଶୁ ପୁତ୍ର ମିଳିଥିଲା । ଯାହାର ନାଁ ସେ ରଖିଥିଲେ ନନ୍ଦୀ । ଏବେ ନନ୍ଦୀ ବଡ଼ ହେବା ପରେ ମିତ୍ର ଏବଂ ବରୁଣ ନାମକ ଦୁଇ ମୁନିଙ୍କୁ ଶ୍ରୀଲାଦଙ୍କ ଆଶ୍ରମକୁ ପଠାଇଥିଲେ ଭଗବାନ୍ ଶିବ । ଯିଏ ନନ୍ଦୀଙ୍କୁ ଦେଖି ଭବିଷ୍ୟବାଣୀ କରିଥିଲେ ଯେ ସେ ଅଳ୍ପାୟୁ ବୋଲି ।

ଏବେ ଏକଥା ଜାଣିବା ପରେ ମୃତ୍ୟୁ ଉପରେ ବିଜୟ ଲାଭ କରିବା ପାଇଁ ମହାଦେବଙ୍କ ଆରାଧନାରେ ଚାଲିଯାଇଥିଲେ । ଆଉ ତପରେ ପ୍ରସନ୍ନ ହୋଇ ନନ୍ଦୀଙ୍କୁ ମୃତ୍ୟୁ ଏବଂ ଭୟରୁ ମୁକ୍ତ ଅଜର ଅମର ବରଦାନ ଦେଇଥିଲେ ଭଗବାନ ଶିବ । ଏହା ପରେ ଶିବଗଣଙ୍କ ଅଧିପତି ଭାବରେ ନନ୍ଦଙ୍କୁ ଅଭିଷେକ କରାଇଥିଲେ । ଏହିଭଳି ନନ୍ଦେଶ୍ବର ପାଲଟିଯାଇଥିଲେ ନନ୍ଦୀ । ଭଗବାନ୍ ଶଙ୍କର ନନ୍ଦୀଙ୍କୁ ବରଦାନ ଦେଇଥିଲେ ଯେଉଁଠି ତାଙ୍କର ନିବାସ ହେବ ସେଠାରେ ନିଶ୍ଚୟ ଭାବରେ ନନ୍ଦୀ ବିରାଜମାନ ହେବେ । କୁହାଯାଏ ଏହା ପରଠୁ ସମସ୍ତ ଶିବ ମନ୍ଦିରରେ ନନ୍ଦୀଙ୍କ ସ୍ଥାପନା କରାଯାଏ । ଏହା ସହ ଏକଥା ବି କୁହାଯାଏ ଯଦି ନନ୍ଦୀଙ୍କ କାନରେ ନିଜ ମନସ୍କାମନା କୁହାଯାଏ ତେବେ ତାକୁ ନିଶ୍ଚୟ ଭାବରେ ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଂଚାନ୍ତି ନନ୍ଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.