୨୦୦ ବର୍ଷର ଏହି କିଲ୍ଲା ଉପରେ କାହିଁକି ହୋଇଥାଏ ‘ବଜ୍ରପାତ’? ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି ରହସ୍ୟ

ଭାରତରେ ଏମିତି ଅନେକ ରହସ୍ୟମୟ ସ୍ଥାନ ରହିଛି, ଯେଉଁଠି ଅଜବଗଜବ ଘଟଣା ସବୁ ଘଟିଥାଏ। ଏହିଭଳି ଝାଡ଼ଖଣ୍ଡର ରାଞ୍ଚି ସହରରେ ରହିଛି ୨୦୦ ବର୍ଷର ଏକ ଅଟ୍ଟାଳିକା। କୁହାଯାଏ କି, ଏହି ଅଟ୍ଟାଳିକା ଉପରେ ପ୍ରତିବର୍ଷ ହୋଇଥାଏ ‘ବଜ୍ରପାତ’। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଏହି ରହସ୍ୟକୁ ଭେଦ କରିପାରି ନାହାନ୍ତି। ଆସନ୍ତୁ ଜାଣିବା, କାହିଁକି ଏପରି ହୋଇଥାଏ।
ଏହି ଅଟ୍ଟାଳିକା ରାଜା ଜଗତପାଳ ସିଂଙ୍କ କିଲ୍ଲା ନାଁରେ ଜଣାଶୁଣା। ରାଞ୍ଚିଠାରୁ ମାତ୍ର ୧୮ କିମି ଦୂରରେ ଥିବା ପୈଠୋରିଆ ଗାଁରେ ରହିଛି ଏହି କିଲ୍ଲା। ପୂର୍ବରୁ ଏଠାରେ ୧୦୦ଟି ବଖରା ରହିଥିଲା, କିନ୍ତୁ ବଜ୍ରପାତ କାରଣରୁ ସେଗୁଡ଼ିକ ଏବେ ଭାଙ୍ଗିରୁଜି ଗଲାଣି। ଗ୍ରାମବାସୀଙ୍କ କହିବାନୁଯାୟୀ, ଜଣେ ସଂଗ୍ରାମୀ ରାଜାଙ୍କୁ ଦେଇଥିବା ଅଭିଶାପ କାରଣରୁ ଏହି କିଲ୍ଲା ଉପରେ ପ୍ରତିବର୍ଷ ବଜ୍ରପାତ ହୋଇଥାଏ। ତେବେ ଏହା ଏକ ପ୍ରାକୃତିକ ଘଟଣା ହେଲେ ବି ଗୋଟିଏ ଜାଗା ଉପରେ ବର୍ଷ ବର୍ଷ ଧରି ବଜ୍ରପାତ ହେବା, ଲୋକଙ୍କୁ ନିଶ୍ଚିତ ଭାବେ ଭାବିବାକୁ ବାଧ୍ୟ କରିଥାଏ।
ଏହାସହ ପଢନ୍ତୁ: ମିଛ ନୁହେଁ ପ୍ରେତାତ୍ମା କାହାଣୀ…
ଏମିତିରେ କିଲ୍ଲାର ରାଜା ନିଜ ପ୍ରଜାଙ୍କ ନିକଟରେ ବହୁତ ଲୋକପ୍ରିୟ ଥିଲେ ଏବଂ ସେ ଜଣେ ଉତ୍ତମ ରାଜା ଭାବେ ମାନ୍ୟତା ପାଇଥିଲେ। ହେଲେ ତାଙ୍କ ଦ୍ୱାରା ହୋଇଥିବା କେତେକ ଭୁଲ୍ ଯୋଗୁ ତାଙ୍କ ନାମ ଇତିହାସରେ ଗଦ୍ଦାର ରୂପରେ ଲିପିବଦ୍ଧ ରହିିଛି। କୁହାଯାଏ, ୧୮୫୭ ସ୍ୱାଧୀନତା ସଂଗ୍ରାମରେ ରାଜା ଜଗତପାଳ ସିଂ ବ୍ରିଟିଶମାନଙ୍କୁ ସାହାଯ୍ୟ କରୁଥିଲେ। ସେ ସଂଗ୍ରାମୀମାନଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ବ୍ରିଟିଶମାନଙ୍କ ପାଖରେ ପହଞ୍ଚାଉଥିଲେ, ଯେଉଁଥିପାଇଁ ଜଣେ ସଂଗ୍ରାମୀ ବିଶ୍ୱନାଥ ସହଦେବ ରାଗିଯାଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା ଜାଣିବା ପରେ ରାଜା ତାଙ୍କୁ ଗଛରେ ଫାଶୀ ଲଗାଇ ଝୁଲାଇ ଦେଇଥିଲେ।
ଲୋକଙ୍କ ବିଶ୍ୱାସ ରହିଛି ଯେ ରାଜା ବ୍ରିଟିଶମାନଙ୍କ ହାତ ଧରିବା ଏବଂ ଦେଶ ସହ ଗଦ୍ଦାର କରିବା କାରଣରୁୁ ସଂଗ୍ରାମୀ ବିଶ୍ୱନାଥ ତାଙ୍କୁ ଅଭିଶାପ ଦେଇଥିଲେ। ଆଗାମୀ ଦିନରେ ରାଜାଙ୍କ କୌଣସି ଅସ୍ତିତ୍ୱ ରହିବ ନାହିଁ ଏବଂ ତାଙ୍କ କିଲ୍ଲା ଉପରେ ପ୍ରତିବର୍ଷ ବଜ୍ରପାତ ହେବ ବୋଲି ବିଶ୍ୱନାଥ କହିଥିଲେ। ଏପଟେ ବୈଜ୍ଞାନିକଙ୍କ କହିବା ହେଲା, ଏହି କିଲ୍ଲା ଉପରେ ବଜ୍ରପାତ ଏଥିପାଇଁ ହୋଇଥାଏ, କାହିଁକି ନା ଏଠାରେ ଥିବା ଉଚ୍ଚ ଗଛ ଏବଂ ପାହାଡ଼ରେ ଅନେକ ମାତ୍ରାରେ ଲୌହ ଓ ଖଣିଜପଥର ମହଜୁଦ୍ ରହିଛି। ଏହା ଆକାଶରୁ ବିଜୁଳିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। କିନ୍ତୁ ଲୋକେ ଏହି କଥାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ସେମାନେ କୁହନ୍ତି, ୧୮୫୭ ମସିହାର ଅନେକ ବର୍ଷ ପୂର୍ବରୁ ମଧ୍ୟ ଏଠାରେ ଲୌହ ଓ ଖଣିଜପଥର ମହଜୁଦ୍ ଥିଲା ଏବଂ ବର୍ତ୍ତମାନଠାରୁ ଅଧିକ ପରିମାଣରେ ଥିଲା। ହେଲେ ସେ ସମୟରେ କାହିଁକି ବଜ୍ରପାତ ହେଉ ନ ଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।