ମହାଭାରତ ଏକ ଏମିତି ଗ୍ରନ୍ଥ ଯେଉଁଥିରେ ଅନେକ ପୌରାଣିକ, ଧାର୍ମିକ କଥା ବାସ୍ତବିକ କଥା ଛପି ରହିଛି। ଏହି ସବୁ ମଧ୍ୟରୁ ଅନ୍ୟତମ ହେଉଛି ସାବିତ୍ରୀ ଏବଂ ସତ୍ୟବାନଙ୍କ କାହାଣୀ ଯାହା ସର୍ବପ୍ରଥମେ ମହାଭାରତର ବନପର୍ବରେ ମିଳିଥିଲା। ଏହା ସେହି ସମୟର କଥା ଯେତେବେଳେ ଯୁଧିଷ୍ଠିର ମାର୍କଣ୍ଡେୟ ମୁନିଙ୍କୁ ପଚାରିଥିଲେ କଣ ଏ ଦୁନିଆରେ ଦ୍ରୌପଦୀଙ୍କ ଭଳି ଆଉ କେହି ପବିତ୍ର ନାରୀ ଅଛନ୍ତି? ପାଣ୍ଡବରାଜଙ୍କର ଏହି ପ୍ରଶ୍ନର ଉତ୍ତର ଦେଇ ମାର୍କଣ୍ଡେୟ ମୁନି କହିଥିଲେ ଯେ ପୂର୍ବରୁ ସାବିତ୍ରୀ ନାମକ ପତିବ୍ରତା ନାରୀ ଯମରାଜାଙ୍କ କବଳରୁ ନିଜ ସ୍ୱାମୀଙ୍କର ଜୀବନ ଫେରାଇ ଆଣି ମହାସତୀର ଆଖ୍ୟା ଅର୍ଜନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ମୁନିଙ୍କ ଏହି କଥାର ସାରାଂଶ ।
ମଦ୍ରଦେଶରେ ଅଶ୍ଵପତି ନାମକ ଜଣେ ବଡ ରାଜା ଥିଲେ ଯାହାଙ୍କର କନ୍ୟାଙ୍କ ନାମ ଥିଲା ସାବିତ୍ରୀ । ସାବିତ୍ରୀ ଯେତେବେଳେ ବିବାହ ଯୋଗ୍ୟା ହୋଇଗଲେ ସେତେବେଳେ ମହାରାଜା ତାଙ୍କ ବିବାହ ପାଇଁ ବହୁତ ଚିନ୍ତିତ ହେଲେ । ସେ ସାବିତ୍ରୀଙ୍କୁ କହିଲେ ଯେ ତୁମେ ବିବାହ ଯୋଗ୍ୟା ହୋଇଗଲଣି, ତେଣୁ ନିଜ ପାଇଁ ଯୋଗ୍ୟ ବରର ଅନୁସନ୍ଧାନ କର । ଏହା ମଧ୍ୟ କହିଲେ ଯେ ଧର୍ମଶାସ୍ତ୍ରର ମାନ୍ୟତା ଅନୁଯାୟୀ କନ୍ୟା ବିବାହ ଯୋଗ୍ୟା ହୋଇଗଲା ପରେ ଯେଉଁ ପିତା କନ୍ୟାଦାନ କରନ୍ତି ନାହିଁ ସେ ପିତା ନିନ୍ଦନୀୟ ଅଟନ୍ତି । ଋତୁକାଳରେ ଯେଉଁ ସ୍ୱାମୀ ସ୍ତ୍ରୀଙ୍କ ସହିତ ସମାଗମ କରନ୍ତି ସେହି ସ୍ୱାମୀ ନିନ୍ଦାର ପାତ୍ର ଅଟନ୍ତି । ସେହିଭଳି ପିତାଙ୍କ ମୃତ୍ୟୁ ପରେ ଯେଉଁ ବ୍ୟକ୍ତି ବିଧବା ମା’ଙ୍କୁ ଅନାଦାର କରିଥାଏ, ସେହି ପୁତ୍ର ନିନ୍ଦନୀୟ ଅଟେ ।
ଏହି ସମସ୍ତ ବାକ୍ୟ ଶୁଣିବା ପରେ ସାବିତ୍ରୀ ତୁରନ୍ତ ବରପାତ୍ରର ସନ୍ଧାନରେ ବାହାରି ପଡିଲେ। ସେ ରାଜାଙ୍କର ରମଣୀୟ ତପୋବନକୁ ଗଲେ। କିଛିଦିନ ପର୍ଯ୍ୟନ୍ତ ସେଠାରେ ବରପାତ୍ରର ସନ୍ଧାନରେ ବୁଲିଲେ। ଏକଦା ମଦ୍ରରାଜ ଅଶ୍ଵପତି ନିଜ ସଭାରେ ଦେବର୍ଷି ନାରଦଙ୍କ ସହ କଥା ହେଉଥିଲେ। ସେହି ସମୟରେ ମନ୍ତ୍ରୀଙ୍କ ସହିତ ସାବିତ୍ରୀ ସେହି ବାଟ ଦେଇ ରାଜଉଆସକୁ ପ୍ରତ୍ୟାବର୍ତ୍ତନ କଲେ । ରାଜକୁମାରୀଙ୍କୁ ଦେଖି ଦେବର୍ଷି ଯେତେବେଳେ ତାଙ୍କ ବାହ୍ୟ ଭ୍ରମଣର ଅଭିପ୍ରାୟ ବିଷୟରେ ଜିଜ୍ଞାସା କଲେ, ରାଜା କହିଲେ ଯେ ସେ ନିଜର ବରପାତ୍ରର ସନ୍ଧାନରେ ଯାଇଥିଲେ। ତତକ୍ଷଣାତ ରାଜା ଦରବାରକୁ ରାଜକୁମାରୀଙ୍କୁ ଡକାଇ ବରପାତ୍ର ଚୟନ ବିଷୟରେ ପଚାରିଲେ । ଏହାର ଉତ୍ତରରେ ସାବିତ୍ରୀ କହିଲେ ଯେ ସେ ଶାଲ୍ଵଦେଶର ରାଜାଙ୍କ ପୁତ୍ର ସତ୍ୟବାନ ଯିଏ କି ଜଙ୍ଗଲରେ ଲାଳନ ପାଳନ ହୋଇ ବଡ ହୋଇଛନ୍ତି, ତାଙ୍କୁ ସ୍ୱାମୀ ରୂପରେ ସ୍ୱୀକାର କରିଛନ୍ତି।
ରାଜକୁମାରୀଙ୍କ ପାଖରୁ ଏହା ଶୁଣି ନାରଦ କହିଲେ ରାଜେନ୍ଦ୍ର ଏହା ଅତ୍ୟନ୍ତ ବହୁତ ଦୁଃଖର ବିଷୟ କାରଣ ରାଜକୁମାରୀ ଯେଉଁ ବରକୁ ଚୟନ କରିଛନ୍ତି ସେ ସ୍ୱଳ୍ପାୟୁ ଏବଂ ମାତ୍ର ଏକ ବର୍ଷ ପରେ ସେ ମୃତ୍ୟୁବରଣ କରିବାକୁ ଯାଉଛନ୍ତି। ତେଣୁ ରାଜକୁମାରୀଙ୍କର ବିବାହ ସତ୍ୟବାନଙ୍କ ସହ କରାଯିବା ଅନୁଚିତ । କିନ୍ତୁ ଏଥିରେ ସାବିତ୍ରୀ ନିଜର ଅନିଚ୍ଛା ପ୍ରକାଶ କରି କହିଲେ ଯେ ପିତା ଯେପରି ଥରେ ମାତ୍ର କନ୍ୟାଦାନ କରିଥାନ୍ତି, ଠିକ ସେହିଭଳି ସେ ମଧ୍ୟ ନିଜର ବରପାତ୍ର ଚୟନ କରିସାରିଛନ୍ତି ଏବଂ ସେ ତାଙ୍କୁ ହିଁ ବିବାହ କରିବେ । ତେଣୁ ଅନୋନ୍ୟପାୟ ହୋଇ ରାଜା ସତ୍ୟବାନଙ୍କ ସହ ସମ୍ପୂର୍ଣ ବୈଦିକ ରୀତିନୀତିରେ ତାଙ୍କର ବିବାହ କରାଇଲେ ।
ବିବାହ ପରେ ସତ୍ୟବାନ ଏବଂ ସାବିତ୍ରୀଙ୍କ ହସଖୁସିର ଜୀବନ ବିତି ଚାଲିବା ସହିତ ସତ୍ୟବାନଙ୍କ ମୃତ୍ୟୁର ଦିନ ମଧ୍ୟ ନିକଟବର୍ତ୍ତୀ ହେଉଥିଲା। ସାବିତ୍ରୀ ଗୋଟିଏ ପରେ ଗୋଟିଏ ଦିନ ଗଣି ଚାଲିଥିଲେ। ତାଙ୍କୁ ସବୁବେଳେ ନାରଦ ମୁନିଙ୍କର ବଚନ ସ୍ମରଣ ହେଉଥିଲା। ଯେତେବେଳେ ସତ୍ୟବାନଙ୍କ ମୃତ୍ୟୁକୁ ଆଉ ମାତ୍ର ଚାରିଦିନ ବାକି ଥିଲା, ସାବିତ୍ରୀ ତିନି ଦିନର ବ୍ରତ ଧାରଣ କଲେ। ଶେଷଦିନ ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ ହାଣିବାକୁ ଗଲେ ସାବିତ୍ରୀ ତାଙ୍କ ସହ ଯିବାର ଇଛା ପ୍ରକଟ କଲେ। କିନ୍ତୁ ଜଙ୍ଗଲର ରାସ୍ତା ଅତ୍ୟନ୍ତ କଠିନ ଏବଂ ବିପଦପୂର୍ଣ୍ଣ ହୋଇଥିବାରୁ ସତ୍ୟବାନ ତାଙ୍କୁ ଏଥିରୁ ବାରଣ କଲେ। ମାତ୍ର ସାବିତ୍ରୀ ସତ୍ୟବାନଙ୍କ କଥା ନ ମାନି ତାଙ୍କ ସହ ଜଙ୍ଗଲକୁ ଗଲେ।
ସତ୍ୟବାନ ଯେତେବେଳେ କାଠ ହାଣିବାକୁ ଆରମ୍ଭ କଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଲା ଏବଂ ସେ ନିଜର ଅସୁସ୍ଥତା ବିଷୟରେ ସାବିତ୍ରୀଙ୍କୁ ଅବଗତ କରାଇବା ସହ ବସିବାରେ ମଧ୍ୟ ନିଜର ଅକ୍ଷମତା ପ୍ରକାଶ କଲେ । ବିଚଳିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ମସ୍ତକକୁ ନିଜ କୋଳରେ ରଖି ନାରଦଙ୍କ ବାକ୍ୟକୁ ସ୍ମରଣ କରିବାକୁ ଲାଗିଲେ । ଏହି ସମୟରେ ସେଠାରେ ଯମରାଜ ଆବିର୍ଭୁତ ହେଲେ ଏବଂ ସତ୍ୟବାନଙ୍କ ଶରୀରରୁ ପ୍ରାଣ ବାହାର କରି ତାକୁ ଦୌଡିରେ ବାନ୍ଧି ଦକ୍ଷୀଣ ଦିଗକୁ ଅଗ୍ରସର ହେଲେ । କିନ୍ତୁ ସାବିତ୍ରୀ ତାଙ୍କୁ ବାରମ୍ବାର ନିଜ ସ୍ୱାମୀଙ୍କର ପ୍ରାଣଭିକ୍ଷା କଲେ । ଏଥିରେ ଯମରାଜ ନିଜର ଅକ୍ଷମତା ପ୍ରକାଶ କରନ୍ତେ, ସାବିତ୍ରୀ ତାଙ୍କୁ ଅନୁସରଣ କରିବାକୁ ଲାଗିଲେ । ଯମରାଜ ଏଥିରୁ ତାଙ୍କୁ ବାରଣ କରିବା ସହ ସ୍ୱାମୀଙ୍କ ଜୀବନ ବଦଳରେ ଇଛାକୃତ ବର ମାଗି ନେବାକୁ କହିଲେ ।
ଏହାଶୁଣି ସାବିତ୍ରୀ ବର ସ୍ୱରୂପ ନିଜ ଶ୍ଵଶୁରଙ୍କ ଚକ୍ଷୁ, ତାଙ୍କର ହରାଇଥିବା ରାଜ୍ୟ ଏବଂ ନିଜ ପିତାଙ୍କ ପାଇଁ ଏକ ଶତ ପୁତ୍ରର ଜିଜ୍ଞାସା କଲେ । ଏ ସବୁ ବରପ୍ରାପ୍ତ କରିସାରିବା ପରେ ସେ ପୁନର୍ବାର ଯମରାଜାଙ୍କର ପଦାଙ୍କ ଅନୁସରଣ କରନ୍ତେ, ଯମରାଜ ତାଙ୍କୁ ଏକ ଶେଷ ବର ପ୍ରଦାନ କରିବାର ଆଶ୍ୱାସନା ଦେଲେ । ଏହି ସମୟରେ କଥା ଛଳରେ ସାବିତ୍ରୀ ତାଙ୍କ ପାଇଁ ତାଙ୍କ ସ୍ୱାମୀଙ୍କ ଔରସରୁ ଶହେଟି ଯଶସ୍ବୀ ପୁତ୍ର ପ୍ରାପ୍ତିର ବର ମାଗି ବସିଲେ। ଆଗପଛ ବିଚାର ନ କରି ଯମରାଜ ତଥାସ୍ତୁ କରନ୍ତେ, ସାବିତ୍ରୀ ତାଙ୍କୁ ନିଜ ସ୍ୱାମୀଙ୍କ ଜୀବନ ଫେରାଇଦେବାକୁ ଅନୁରୋଧ କଲେ କାରଣ ତାଙ୍କ ସ୍ୱାମୀଙ୍କ ବିନା ସେ ମା ହେବ ଅସମ୍ଭବ ଥିଲା । ଏବେ ଯମରାଜା ନିଜ ଭୁଲକୁ ହୃଦୟଙ୍ଗମ କରିବା ସହ ସାବିତ୍ରୀଙ୍କ ବାକ ଚାତୁରୀରେ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଏବଂ ତତକ୍ଷଣାତ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇଥିଲେ ।
ସେହିଦିନଠାରୁ ସାବିତ୍ରୀ ମହାସତୀ ସାବିତ୍ରୀ ଭାବରେ ଏ ଦୁନିଆରେ ପରିଚିତ ହେଲେ ଏବଂ ତାଙ୍କର ପଦାଙ୍କ ଅନୁସରଣ କରି ପ୍ରତ୍ୟେକ ବର୍ଷ ହିନ୍ଦୁ ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।