କାହିଁକି ଶ୍ରୀକୃଷ୍ଣ ନିଜ ପ୍ରିୟ ବଂଶୀ କୁ ଭାଙ୍ଗିଥିଲେ? କ’ଣ ରହିଛି ଏହାପଛରେ କାରଣ ଜାଣନ୍ତୁ?
ଆଜି ପାଳିତ ହେଉଛି ଶ୍ରୀକୃଷ୍ଣଙ୍କ ପବିତ୍ର ମହାଜନ୍ମାଷ୍ଟମୀ ପର୍ବ। ଏଥିପାଇଁ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟ ବେଶ ଉତ୍ସବ ମୁଖର। ବ୍ରଜନଗରୀରେ ଏହାକୁ ମହାଆଡମ୍ବରରେ ପୂଜା କରାଯାଏ। ଜନ୍ମ ସ୍ଥାନ ହୋଇଥିବାରୁ ଏହାର ପୂଜା ସାରା ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେବେ କୃଷ୍ଣଙ୍କ କଥା କହିବା ଆଉ ସେଠି ରାଧାଙ୍କ କଥା ନଥିବ। ଏହା ତ ଅସମ୍ଭବ। କାରଣ ଦୁହେଁ ଦୁହିଁଙ୍କ ବିନା ଅଧୁରା। ଏଣୁ ପୁରାଣଶାସ୍ତ୍ର ହେଉବା ଗୀତ ଗୋବିନ୍ଦ ସମସ୍ତ ସ୍ଥାନରେ ରାଧାଙ୍କ ସହ କୃଷ୍ଣଙ୍କ ନାମ ଯୋଡ଼ା ଯାଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ରାଧାକୃଷ୍ଣ ଦୁହେଁ ଦୁହିଁଙ୍କ ପାଇଁ, ତାଙ୍କୁ କିଏ ମଧ୍ୟ ଅଲଗା କରିପାରିବେ ନାହିଁ। ମନ୍ଦିର ଏବଂ ସମସ୍ତ ସ୍ଥାନରେ ରାଧାକୃଷ୍ଣଙ୍କୁ ପୂଜା କରାଯାଇଥିଲେ ମଧ୍ୟ ଆପଣ ଜାଣିଛନ୍ତି କି ରାଧାଙ୍କ ମୃତ୍ୟୁ ପଛର ରହସ୍ୟ? କଣ ରହିଥିଲା ରାଧାଙ୍କ ଶେଷ ଇଛା ଏବଂ କିପରି ରହିଥିଲା କୃଷ୍ଣଙ୍କ ଅବସ୍ଥା ଯେତେବେଳେ ରାଧା ତାଙ୍କୁ ଛାଡ଼ି ପଳାଇଥିଲେ..
ଯେତେବେଳେ କୃଷ୍ଣଙ୍କୁ ମଥୁରାକୁ ଆମନ୍ତ୍ରଣ କରାଯାଇଥିଲା ସେତେବେଳେ ପ୍ରଥମ ଥର ପାଇଁ କୃଷ୍ଣ ରାଧାଙ୍କଠୁ ଅଲଗା ହୋଇଥିଲେ। କିନ୍ତୁ ବିଧିର ବିଧାନ କିଛି ଅଲଗା ହିଁ ଥିଲା, ଏଣୁ ପୁଣି ଥରେ ରାଧା ଏବଂ କୃଷ୍ଣଙ୍କର ମିଳନ ହୋଇଥିଲା। ରାଧାରାଣୀ କୃଷ୍ଣଙ୍କୁ ଦେଖା କରିବା ପାଇଁ ତାଙ୍କ ଦ୍ବାରିକା ନଗରୀରେ ପହଞ୍ଚିଯାଇଥିଲେ। ସେଠାରେ କୃଷ୍ଣ, ରାଧାଙ୍କୁ ଦେଖି ଖୁବ୍ ପ୍ରସନ୍ନ ହୋଇଯାଇଥିଲେ। ଦୁହେଁ ସେଠାରେ ସାଙ୍କେତିକ ଭାଷାରେ ଅନେକ ସମୟ କଥା ହୋଇଥିଲା। ପୁରାଣରେ ବର୍ଣ୍ଣିତ ଅଛି କି, ସେହି ସମୟରେ ଦ୍ବାରିକାରେ ରାଧାଙ୍କୁ କେହି ଚିହ୍ନି ନଥିଲେ। ତେଣୁ ରାଧାଙ୍କୁ କୃଷ୍ଣ ତାଙ୍କ ରାଜଭବନରେ ଦେବିକା ଭାବେ ନିଯୁକ୍ତ କରିଥିଲେ। ଏଣୁ ରାଧା ଦିନ ଯାକ ମହଲରେ ରହୁଥିଲେ ଏବଂ ମଝିରେ ମଝିରେ କୃଷ୍ଣଙ୍କୁ ଦେଖା କରୁଥିଲେ।
ବଦଳୁଥିବା ସମୟ ଏବଂ ବଢ଼ୁଥିବା ବୟସ ସହ ରାଧା, କୃଷ୍ଣଙ୍କୁ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ। ବିନା କୌଣସି ଲକ୍ଷ୍ୟରେ ରାଧା ବାହାରି ଯାଇଥିଲେ । ଏକୁଟିଆ ଚାଲୁଥିବା ରାସ୍ତାରେ ହଠାତ ଏପରି ଏକ ମୂହୂର୍ତ୍ତ ଆସିଲା ଯେତେବେଳେ ରାଧା କୃଷ୍ଣଙ୍କ ଆବଶ୍ୟକତା ଲୋଡ଼ିଥିଲେ। ସେହି ସମୟରେ ରାଧା କୃଷ୍ଣଙ୍କୁ ସ୍ମରଣ କରିବା ମାତ୍ରେ ସେ ତାଙ୍କ ନିକଟରେ ଯାଇ ପହଞ୍ଚି ଯାଇଥିଲେ। କୃଷ୍ଣଙ୍କୁ ଦେଖି ରାଧାଙ୍କ ଖୁସିର ସୀମା ରହି ନଥିଲା କିନ୍ତୁ ସେହି ସମୟରେ ରାଧା ମୃତ୍ୟୁର ଅତି ନିକଟତର ହୋଇପଡ଼ିଥିଲେ। କୃଷ୍ଣ ରାଧାଙ୍କୁ ତାଙ୍କର ଶେଷ ଇଛା ପଚାରିଥିଲେ କିନ୍ତୁ ରାଧା କିଛି କହିନଥିଲେ। ଆଉଥରେ କୃଷ୍ଣ ପଚାରିବାରୁ ରାଧା ତାଙ୍କୁ ବଂଶୀ ବଜାଇବାକୁ ଅନୁରୋଧ କରିଥିଲେ। ଏହିପରେ କୃଷ୍ଣ ଶୋକଭର ହୋଇ ମଧୁର ବଂଶୀ ବଜାଇଥିଲେ। ଯାହାକୁ ଶୁଣିଶୁଣି ରାଧା ନିଜର ପ୍ରାଣ ତ୍ୟାଗ କରିଥିଲେ।
ସେହି ସମୟରେ ରାଧାଙ୍କୁ ନିଜଠୁ ଅଲଗା ହେଉଥିବା ଦୁଃଖରେ ମ୍ରିୟମାଣ ହୋଇ କୃଷ୍ଣ ନିଜର ବଂଶୀ ଭାଙ୍ଗି ଦେଇଥିଲେ। ଯେଉଁ ସ୍ଥାନରେ ରାଧା ନିଜର ମରଣ ପର୍ୟ୍ୟନ୍ତ କୃଷ୍ଣଙ୍କର ପ୍ରତିକ୍ଷା କରିଥିଲେ ଆଜି ତାହା ରାଧାରାଣୀ ମନ୍ଦିର ଭାବେ ପରିଚିତ।