କ୍ୟାନସର ପୀଡ଼ିତ ସ୍ୱାମୀଙ୍କ ଚିକିତ୍ସା ପାଇଁ ହାତରେ ଭିକ୍ଷାଥାଳି ଧରିଲେ ପତ୍ନୀ, ତଥାପି ବଞ୍ଚେଇପାରିଲେନି ଜୀବନ

ହାତରେ ଭିକ୍ଷା ଥାଳି ସହ ଦୁଇ କୁନି କୁନି ପିଲାଙ୍କୁ ଧରି ଗାଁ ମଝିରେ ଭିକ ମାଗୁଛନ୍ତି ମହିଳା ଜଣକ। ଥାଳିରେ ନିଜ ଇଚ୍ଛା ଅନୁସାରେ 10 ରୁ 500 ଟଙ୍କା ପର୍ଯ୍ୟନ୍ତ ଯିଏ ଯାହା ପାରିଲା ଦେଉଛନ୍ତି। ହାତ ପତେଇବା ବେଳେ ମହିଳା ଜଣକ ନିଜ କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ। ରିପୋର୍ଟ ମୁତାବକ, ମହିଳାଙ୍କ ଉପରେ ଦୁଃଖର ପାହାଡ଼ ଛିଡି ପଡିଛି। ନିଜ ପାଇଁ ନୁହେଁ ନିଜ ରୋଗୀଣା ସ୍ୱାମୀଙ୍କ ପାଇଁ ଆଜି ଅସହାୟ ଭାବେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା। ସିନ୍ଦୁରର ଜୀବନ ବଞ୍ଚାଇବାକୁ ବାର ଦୁଆର ବୁଲୁଛନ୍ତି ଆଉ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି।
ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହନୁମାନପାଲି ଗାଁରେ। ଏହି ମହିଳା ଜଣକ ହେଉଛନ୍ତି ଗାଁର ସୌମିତ୍ରୀ ମେହେରଙ୍କ ପତ୍ନୀ ସୋଭାଗିନୀ ମେହେର । ଆଜିକୁ ଦୁଇବର୍ଷ ହେଲା କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି ସୌମିତ୍ରୀ । ସୌମିତ୍ରୀ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ଯକ୍ତି ହୋଇଥିବା ବେଳେ ତାଙ୍କ ଚିକିତ୍ସା ଲାଗି ପାଖରେ ଥିବା ସବୁତକ ଅର୍ଥ ସାରି ସାରିଲେଣି ଘର ଲୋକେ। ଏବେ ପରିବାର ତୁଣ୍ଡରେ ଦାନା ଦେବାକୁ ବି ପଇସା ନାହିଁ । ଏଭଳି ସ୍ଥିତିରେ ଚିକିତ୍ସା କରିବା ତ ବହୁ ଦୂରର କଥା । ଏଣୁ ଏବେ ସ୍ୱାମୀଙ୍କ ଚିିକିତ୍ସା ପାଇଁ ଗାଁରେ ଭିକ୍ଷାଥାଳ ଧରି ଘର ଘର ବୁଲି ସହଯୋଗ ମାଗୁଛନ୍ତି ପତ୍ନୀ ସୋଭାଗିନୀ ।
ଅଭାଗିନୀ ସୋଭାଗିନୀଙ୍କ ଏ ଅବସ୍ଥା ଦେଖି ଗାଁରେ ତୁରନ୍ତ ବୈଠକ ଡକାଯିବା ସହ ଗ୍ରାମବାସୀ ମଧ୍ଯ ସହଯୋଗର ହାତ ବଢାଇଛନ୍ତି। ତେବେ ଚିକିତ୍ସାରେ ଅଧିକ ଅର୍ଥର ଆବଶ୍ଯକତା ରହିଥିବାରୁ ଗଣମାଧ୍ଯମ ଜରିଆରେ ସହଯୋଗ କାମନା କରିଛନ୍ତି ଗ୍ରାମବାସୀ। ସୌମିତ୍ରୀଙ୍କୁ ସହଯୋଗ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।
ଠିକଣା- ସୌମିତ୍ରୀ ମେହେର,ହନୁମାନପାଲି,ବୀରମହାରାଜପୁର
ଜିଲ୍ଲା-ସୁବର୍ଣ୍ଣପୁର,ମୋ-7682096583
ଆକାଉଣ୍ଟ ନଂ- 33356642484, SBIN0007079
ସୋଭାଗିନୀ ମେହେର- ଆକାଉଣ୍ଟ ନଂ- 35160764327, SBIN0007079
ଦର୍ଶକବନ୍ଧୁ, ଦୁଃଖର ସହ ସୂଚନା ଦେଉଛୁ, ସୋଭାଗିନୀଙ୍କ ସ୍ୱାମୀ ଆଉ ଦୁନିଆରେ ନାହାନ୍ତି । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ।