ବଜେଟ୍ ୨୦୧୯ ନିର୍ବାଚନରେ ବିଜେପିକୁ ଫାଇଦା ଦେବ ତ ?

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। ନିର୍ବାଚନୀ ବର୍ଷରେ ମୋଦି ସରକାରଙ୍କ ଶେଷ ବଜେଟ ଉପରେ ଦେଶବାସୀଙ୍କ ନଜର ରହିଥିଲା। ବଜେଟ ତ ଆସିଲା, ଅନେକ କିଛି ଘୋଷଣା ହେଲା। ଏବେ କାର୍ଯ୍ୟକାରିତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଚର୍ଚ୍ଚା ବି ହେଉଛି, କେବଳ ଭୋଟ୍ ପାଇଁ ଉଣ୍ଡାର ଖୋଲି ଦେଇଛନ୍ତି କି ମୋଦି ସରକାର? ଚଳିତ ବଜେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ କରି ମଧ୍ୟବିତ୍ତଙ୍କୁ ଖୁସି କରିଛନ୍ତି ସରକାର। ସେହିପରି ଚାଷୀ ଓ ଅଣସଂଗଠିତ ଶ୍ରମିକଙ୍କୁ ଗିଫ୍ଟ ଦେଇଛନ୍ତି ମୋଦି ସରକାର। ପ୍ରଶ୍ନ ଉଠୁଛି ଯେଉଁ ଲକ୍ଷ୍ୟ ନେଇ ବଜେଟରେ ଘୋଷଣାନାମା କରିଛନ୍ତି ସରକାର, ବିଜେପିକୁ ନିର୍ବାଚନୀ ବର୍ଷରେ ଫାଇଦା ଦେବ ତ ?

କାଳିଆ-ରୟତୁ ବନ୍ଧୁ-କିଷାନ ସମ୍ମାନ ନିଧି

ଆଶା କରାଯାଉଥିଲା ବଜେଟରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା ହୋଇପାରେ। କିନ୍ତୁ ସେମିତି କିଛି ଖାସ୍ ଘୋଷଣା ହେଲା ନାହିଁ। ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା ହେଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏଥିରେ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଥିବା କୃଷକଙ୍କୁ ୩ଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ବର୍ଷକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ଉପକୃତ ହେବେ ୧୨ କୋଟି ଚାଷୀ। ତେବେ ଓଡ଼ିଶା ଓ ତେଲେଙ୍ଗାନା ସରକାର ନିଜ ରାଜ୍ୟରେ ଚାଷୀଙ୍କ ପାଇଁ ଏଭଳି ଯୋଜନା କରିଛନ୍ତି। ତା ସହ କେନ୍ଦ୍ରର ଯୋଜନାର ସାମଞ୍ଜସ୍ୟ ରହିଛି। ତେଲେଙ୍ଗାନା ଯୋଜନାରେ ଅଧିକ କିଛି ବିଶେଷତ୍ୱ ବି ରହିଛି। ସେହିପରି ଓଡ଼ିଶାର ଚାଷୀଙ୍କ ପାଇଁ ନବୀନ ପଟ୍ଟନାୟକ ସରକାର କରିଛନ୍ତି କାଳିଆ ଯୋଜନା। ବର୍ଷକୁ ଦୁଇଟି କିସ୍ତିରେ ଚାଷୀଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କାର ଆର୍ଥିକ ସହାୟତା। କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ବି ଫାଇଦା ପାଉଛନ୍ତି। କିନ୍ତୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଫାଇଦା ପାଇବେ ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀ। ଜମିହୀନଙ୍କୁ କିଛି ଫାଇଦା ମିଳିବ କି ନାହିଁ ତାହା ଅସ୍ପଷ୍ଟ।

MODI-PIYUSH

ଋଣ ଛାଡ ବନାମ ୬ ହଜାର ପ୍ରୋତ୍ସାହନ

ବଜେଟ ପୂର୍ବରୁ ବିରୋଧୀ ଦାବି କରୁଥିଲେ କୃଷି ଋଣ ଛାଡ଼ କରାଯାଉଛି। ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ବଜେଟରେ ଘୋଷଣା କଲେ ଚାଷୀଙ୍କୁ ଦେବେ ୬ ହଜାର ଟଙ୍କା ଲେଖାଏଁ ସହାୟତା। କିନ୍ତୁ କାର୍ଯ୍ୟକାରିତା ଦିଗ ଅନେକ ପ୍ରଶ୍ନବାଚୀ ଠିଆ କରୁଛି।
୧- ଆମ ଦେଶରେ ଜମିଜମା ରେକର୍ଡ ବଡ଼ ଗୋଳମାଳିଆ । ବାପା, ଜେଜେବାପା ଓ ତାଙ୍କ ପୂର୍ବ ପୀଢ଼ିଙ୍କ ଜମି ଏଯାଏଁ ଗୋଟିଏ ପଟ୍ଟାରେ ସଂଲଗ୍ନ ରହିଛି। ଏଭଳି ସ୍ଥିତିରେ ଯୋଜନା ପାଇବା ପାଇଁ ପ୍ରକୃତ ଚାଷୀଙ୍କୁ ସରକାରୀ ବାବୁଙ୍କ ନିକଟରେ ପ୍ରମାଣ କରିବାକୁ ହେବ ସେମାନଙ୍କ ପାଖରେ ଦୁଇ ହେକ୍ଟର କିମ୍ବା ତାଠୁ କମ୍ ଜମି ରହିଛି।
୨- ଜମି ରେକର୍ଡ ପାଇଁ ଚାଷୀଙ୍କୁ ଏବେ ରାଜସ୍ୱ ବିଭାଗ ଅଧିକାରୀଙ୍କ ଦପ୍ତରକୁ ଦୌଡ଼ିବାକୁ ପଡ଼ିବ। ଏହାଦ୍ୱାରା ଦଲାଲ ବି ସକ୍ରିୟ ହେବେ। ବଢ଼ିବ ହାତଗୁଞ୍ଜା କାରବାର। ଭ୍ରଷ୍ଟାଚାର ବଢ଼ିବ।
୩- କିଷାନ ସମ୍ମାନ ନିଧି ଯୋଜନା ଡିସେମ୍ବର ୨୦୧୮ରୁ ଲାଗୁ ହେବ। ଖୁବଶୀଘ୍ର ପ୍ରଥମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ। କମ୍ ସମୟରେ ଶେଷ ହୋଇ ପାରିବ କି ସମସ୍ତ ପ୍ରକ୍ରିୟା ? କାରଣ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଲାଗୁ ହୋଇପାରେ ନିର୍ବାଚନ ଆଚରଣ ବିଧି।
୫- ଚାଷୀଙ୍କୁ ବର୍ଷକୁ କେବଳ ୬ ହଜାର ଟଙ୍କା ମିଳିବ। କିନ୍ତୁ ପ୍ରକୃତ ଖର୍ଚ୍ଚ ଢେର ଗୁଣା ଅଧିକ। କୃଷି ସରଞ୍ଜାମ, ସାର, ବିହନ, ଯନ୍ତ୍ରପାତି ଆଦି କିଣିବାରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ଭଳି।

ଶ୍ରମିକ କେତେ ଲାଭବାନ ହେବେ ?

ବଜେଟରେ ଶ୍ରମିକଙ୍କ ପାଇଁ ମାସିକ ପେନସନ୍ ବ୍ୟବସ୍ଥା ନେଇ ଘୋଷଣା ହୋଇଛି। ଅଣସଂଗଠିତ ଶ୍ରମିକଙ୍କ ପାଇଁ ଶ୍ରମଯୋଗୀ ମାନଧନ ଯୋଜନା ହେବ। ଶ୍ରମିକଙ୍କୁ ମିଳିବ ମାସିକ ୩ ହଜାର ଟଙ୍କା ପେନସନ୍। ୬୦ ବର୍ଷ ପରେ ଏହି ପେନସନ୍ ମିଳିବ। ଭଲ ଯୋଜନା। ଶ୍ରମିକଙ୍କ ପାଇଁ ଖୁସି ଖବର। କିନ୍ତୁ ଯୋଜନା କାର୍ଯ୍ୟକାରୀ ଓ ହିତାଧିକାରୀ ଚୟନରେ ବି ସମସ୍ୟା ରହିଛି।
୧- ସରକାରଙ୍କ ପାଖରେ ଶ୍ରମିକଙ୍କ ଠିକ୍ ତାଲିକା ନାହିଁ। ସରକାର କେମିତି ସ୍ଥିର କରିବେ କେଉଁ ଶ୍ରମିକଙ୍କ ଆୟ ୧୫ ହଜାର ଟଙ୍କା କିମ୍ବା ତାଠୁ କମ୍ ?

LABOUR CLASS
୨- ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଆୟ ସବୁବେଳେ ସମାନ ନଥାଏ। କେତେବେଳେ ୫ ହଜାର ତ କେବେ କେବେ ୨୦ ହଜାର ପର୍ଯ୍ୟନ୍ତ ରୋଜଗାର ହୁଏ। ଉଦାହରଣ, ଜଣେ ମୁମ୍ବାଇରେ କାମ କରିବା ବେଳେ ୧୫ ହଜାରରୁ ଅଧିକ ରୋଗାର କରୁଛି। କିଛି ମାସ ପାଇଁ ନିଜ ଗାଁକୁ ଆସିଲା। ଗାଁରେ ଛୋଟମୋଟ କାମ କଲା। ତାର ରୋଜଗାର କମିବ ନିହାତି। ତେଣୁ ହିତାଧିକାରୀ ଚୟନ ଓ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନରେ ବି ସମସ୍ୟା ଉପୁଜିପାରେ।
ସରକାର କହୁଛନ୍ତି, ଏହା ହେଉଛି ଅନ୍ତରୀଣ ବଜେଟ୍। କିନ୍ତୁ ଘୋଷଣା ପୂର୍ବ ବଜେଟ ଭଳି କରାଯାଇଛି। ମୋଟାମୋଟି ଭାବରେ କୁହାଯାଇପାରେ ଯେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କାମଚଳା ବଜେଟ ଆଣିଛନ୍ତି ମୋଦି ସରକାର। କେହି କେହି ବି କହୁଛନ୍ତି ଏହା ଅନ୍ତରୀଣ ବଜେଟ ନୁହେଁ, ପ୍ରଧାନମନ୍ତ୍ରୀ ବଞ୍ଚାଅ ଯୋଜନା।

ଅଜିତ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.