ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୫ ବର୍ଷ ହେଲେ କୋଳରେ ସ୍ବାମୀଙ୍କୁ ବୋହି ଚାଲିଛନ୍ତି ସ୍ତ୍ରୀ, ନିଶା ସ୍ବାମୀଙ୍କୁ ଦେବେ ଚାକିରି

ଜଣେ ପତ୍ନୀ ଲୋକଙ୍କୁ ଆଇନା ଦେଖାଇ ଏହା ପ୍ରମାଣିତ କରିଦେଇଛନ୍ତି ଯେ ସମାଜରେ ଆଜି ବି ଏମିତି ସ୍ତ୍ରୀ ଅଛନ୍ତି ଯେଉଁମାନେ ନିଜ ସ୍ବାମୀଙ୍କୁ ପରମଇଶ୍ବର ମାନୁଛନ୍ତି ।

ଜଣେ ପତ୍ନୀ ଲୋକଙ୍କୁ ଆଇନା ଦେଖାଇ ଏହା ପ୍ରମାଣିତ କରିଦେଇଛନ୍ତି ଯେ ସମାଜରେ ଆଜି ବି ଏମିତି ସ୍ତ୍ରୀ ଅଛନ୍ତି ଯେଉଁମାନେ ନିଜ ସ୍ବାମୀଙ୍କୁ ପରମଇଶ୍ବର ମାନୁଛନ୍ତି । ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ କିନ୍ତୁ ଇଏ ସେମିତି ସ୍ତ୍ରୀ ନୁହେଁ ଯେ ସ୍ବାମୀଙ୍କୁ ନିଜ ଆଙ୍ଗୁଠିରେ ନଚାଉଥିବ କିମ୍ବା ଉଚ୍ଚ ପଦରେ ରହିଗଲା ପରେ ସ୍ବାମୀକୁ ଭୁଲିଯିବ । ଏବେ ତ ଆପଣ ପ୍ରାୟ ସବୁବେଳେ ଶୁଣୁଥିବେ ପରକୀୟା ପ୍ରେମ କଥା । ଏବେ ଯେପରି ଭାବେ ପରକୀୟା ପ୍ରେମ ବା ଏକ୍ସଟ୍ରା ମ୍ୟାରିଟାଲ ର ଖବର ଆସୁଛି ଲାଗୁଛି ଯେପରି ଆଜିର ଲୋକଙ୍କ ପାଇଁ ଏକ ଫ୍ୟାସନ୍ ହୋଇଗଲାଣି ଅତି ସାଧାରଣ ହୋଇଗଲାଣି । କିନ୍ତୁ ନା ଆଜି ବି ସାବିତ୍ରୀଙ୍କ ଭଳି ସ୍ତ୍ରୀ ଅଛନ୍ତି ଯିଏ ଏହାକୁ ପ୍ରମାଣିତ କରି ଦେଖାଉଛନ୍ତି ଯେ ସେ ହେଉଛନ୍ତି ଅଦ୍ଧାର୍ଗିନୀ । ସ୍ବାମୀଙ୍କର କୌଣସି ଅଙ୍ଗ କାମ ନକଲେ କଣ ହେଲା ସେ ଅଙ୍ଗ ହୋଇ ତାଙ୍କ ଅଧୂରା ଅଙ୍ଗକୁ ସମ୍ପୂର୍ଣ୍ଣ କରିବେ । ଆଉ ଏମିତି ହିଁ ପ୍ରମାଣ କରିଛନ୍ତି ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ପ୍ରିୟଙ୍କା ଗୌଡ । ଯିଏ ନିଜର ବିକଳାଙ୍ଗ ସ୍ବାମୀଙ୍କୁ ଅନୁକମ୍ପା ଚାକିରି ଦେବା ପାଇଁ କୋଳରେ ଉଠାଇ ଅଫିସରଙ୍କ ପାଖକୁ ଗତ ୫ ବର୍ଷ ହେଲା ଦୌଡୁଛନ୍ତି । ସ୍ବାମୀଙ୍କ ପ୍ରତି ପ୍ରିୟକାଙ୍କର ଏପରି ସମର୍ପଣ ସମାଜରେ ଏକ ଅନନ୍ୟ ଚିତ୍ର ସୃଷ୍ଟି କରୁଛି ।

କୋଳରେ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସରୁ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୫ ବର୍ଷ ଧରି ଏଭଳି ଭାବେ ସ୍ୱାମୀଙ୍କୁ କୋଳରେ ବୋହି ଦୁଆର ଦୁଆର ବୁଲି ଗୁହାରୀ କରୁଛନ୍ତି ସେ। ତାଙ୍କ ମନରେ ଏତେ ଯନ୍ତ୍ରଣା ଯେ କିଛି ପଚାରିଲେ ପାଟିରୁ କଥା ବାହାରୁନି ହେଲେ ଆଖିରୁ ଝରିପଡୁଛି ଅମାନିଆ ଲୁହ । ନେତାଙ୍କ ଓ ଅଫିସରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିସାରିଲେଣି । ହେଲେ କେହି ବୁଝୁନାହାଁନ୍ତି ତାଙ୍କ ଆକୁଳ ନିବେଦନ । ଗୋଟେପଟେ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କର ସ୍ୱାମୀଙ୍କ ପ୍ରତି ବିଶ୍ୱାସଘାତକତା ଖବର ଇଣ୍ଟରନେଟରେ ଭାଇରାଲ ହୋଇ ଖୁବ୍ ଚର୍ଚ୍ଚାରେ ଥିବାବେଳେ ପ୍ରିୟକାଙ୍କର ସ୍ୱାମୀଙ୍କ ପ୍ରତି ନିଷ୍ଠା ଓ ସେବା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଜଣେ ନିଜ ପଦ ଓ କ୍ଷମତା ପାଇବା ପରେ ସ୍ୱାମୀଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏ ମହିଳା ଜଣକ କିନ୍ତୁ ନିଜର ସବୁ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ସ୍ୱାମୀକୁ କୋଳରେ ବୋହି ନ୍ୟାୟ ପାଇଁ ଦ୍ୱାରଦ୍ୱାର ଘୁରି ବୁଲୁଛନ୍ତି । ଏ ମହିଳା ଜଣକ ହେଉଛନ୍ତି ପ୍ରିୟଙ୍କା ଗୌଡ ।

୨୩ ବର୍ଷୀୟା ପ୍ରିୟଙ୍କା ଗୌଡ ସ୍ୱାମୀ ଅଂଶୁଲ ଗୌଡଙ୍କୁ କୋଳରେ ବୋହି ନ୍ୟାୟ ପାଇଁ ନେତା ମନ୍ତ୍ରୀ , ଅଧିକାରୀ ସମସ୍ତଙ୍କ ପାଖରେ ଗୁହାରୀ କରୁଛନ୍ତି । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ଲବକୁଶ ନଗର ପରସନିଆ ଗାଁର ପ୍ରିୟଙ୍କା ଆଦିବସୀ ୨୧୦୧୭ରେ ଅଂଶୁଲ ଗୌଡଙ୍କୁ ବିବାହ କରିଥିଲେ । ସ୍ୱାମୀ , ଶାଶୁ, ଶ୍ୱଶୁରଙ୍କୁ ନେଇ ଖୁସିରେ ଚାଲିଥିଲା ତାଙ୍କ ସଂସାର । ହେଲେ ୨୦୧୯ ଫେବୃଆରୀ ୨୨ ତାରିଖରେ ଏକ ସଡକ ଦୁର୍ଘଟଣାର ଶିକାର ହେଲେ ଅଂଶୁଲ । ସେବେଠାରୁ ସର୍ଭିକାଲ ସ୍ପାଇନ୍ ରୋଗରେ ଆକ୍ରାନ୍ତ ହୋଇ ଅଂଶୁଲଙ୍କର ଅଣ୍ଟାଠାରୁ ଅଚଳ ହୋଇପଡିଲା । ଏଭଳି ଦୁଃସମୟରେ ହାତ ଛାଡିଲେନି ସ୍ତ୍ରୀ ପ୍ରିୟଙ୍କା । ସାହାଯ୍ୟ ପାଇଁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ କୋଳରେ ବୋହି ପ୍ରଶାସନର ଦ୍ୱାରସ୍ଥ ହେଲେ ।

ଘୋର ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପ୍ରିୟଙ୍କା ଶୁଣିବାକୁ କିନ୍ତୁ କାହାରି ପାଖରେ ସମୟ ନାହିଁ । ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣୀ ହେଉଥିବାବେଳେ ସ୍ୱାମୀଙ୍କୁ ନେଇ ସେଠାରେ ପହଞ୍ଚିଥିଲେ ପ୍ରିୟଙ୍କା । କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇବା ପରେ ସହାୟତା କରିବାକୁ କହିଥିଲେ ଜିଲ୍ଲାପାଳ । ହେଲେ ତାହା କେବେ ପୂରଣ ହେବ ଠିକଣା ନାହିଁ । କାରଣ ଏହା ପୂର୍ବରୁ ସ୍ୱାମୀଙ୍କୁ ନ୍ୟାୟ ଦେବାକୁ ଯାଇ ବିଧାୟକଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିରାଶ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବାସଭବନ ଆଗରେ ସପ୍ତାହେ ଧରି ଅପେକ୍ଷା କରିବା ପରେ ବି କିଛି ସୁଫଳ ମିଳିଲାନାହିଁ ।

ସ୍ୱାମୀ ଅଂଶୁଲଙ୍କ ଦୁର୍ଘଟଣା ପୂର୍ବରୁ ଆଉ ଏକ ଦୁର୍ଘଟଣାରେ ଚାଲିଯାଇଥିଲେ ଶାଶୁ, ଯିଏ ଶିକ୍ଷା ବିଭାଗରେ ଜଣେ ଶିକ୍ଷୀୟତ୍ରୀ ଥିଲେ । ତେଣୁ ଶାଶୁଙ୍କ ଚାକିରିରେ ରିହାବିଲିଟେସନ୍ ସ୍କିମରେ ସ୍ୱାମୀ ଅଂଶୁଲଙ୍କୁ ଚାକିରୀ ଖଣ୍ଡେ ଦେବାକୁ ସେବେ ଠାରୁ ଗୁହାରୀ କରିଆସୁଛନ୍ତି ପ୍ରିୟଙ୍କା । ଦିବ୍ୟାଙ୍ଗ ସ୍ୱାମୀଙ୍କୁ ଭଲ କରିବାକୁ ଯାଇ ଚିକିତ୍ସାରେ ଗଲାଣି ଲକ୍ଷଲକ୍ଷ ଟଙ୍କା । ବନ୍ଧୁବାନ୍ଧବଙ୍କଠାରୁ ପାଖାପାଖି ୪ଲକ୍ଷ ଟଙ୍କା ହାତ ଉଧାରୀ ହୋଇସାରିଲାଣି । ଏଭଳି ସ୍ଥଳେ ସରକାରଙ୍କ ସାହାଯ୍ୟ ଏବଂ ଶାଶୁଙ୍କ ପଦ ବଦଳରେ ଖଣ୍ଡେ ଚାକିରି ମିଳିଲେ ଅନ୍ତତଃ ଜୀବନଟା ବଞ୍ଚିଯାଆନ୍ତା ବୋଲି ଛଳଛଳ ଆଖିରେ କହୁଛନ୍ତି ପ୍ରିୟଙ୍କା । ତେବେ ,ଏବେ କେବଳ ଏହା ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଦେଇଥିବା ପ୍ରତିଶୃତିକୁ କେବେ ପୂରଣ କରୁଛନ୍ତି ସେ ।