ପ୍ରକୃତରେ ସୁରକ୍ଷା ଦେଉଥିବା ଗଛ ଡାଳରେ ରାକ୍ଷୀ ବାନ୍ଧି ନିଆରା ରକ୍ଷା ବନ୍ଧନ ପାଳନକଲେ ମହିଳା

ଅସ୍ତରଙ୍ଗ ନିକଟରେ ଦେଖିବାକୁ ମିଳିଛି ଏକ ନିଆରା ରକ୍ଷାବନ୍ଧନ । ଛୁରିଅନା ଗ୍ରାମପଞ୍ଚାୟତର ସହନ ଗ୍ରାମର ମହିଳା ମାନେ ଜଙ୍ଗଲରେ ରହିଥିବା ଗଛ ଡାଳରେ ବାନ୍ଧିଛନ୍ତି ରାକ୍ଷୀ । ଏହି ରାକ୍ଷୀ ସୁରକ୍ଷାର ପ୍ରତୀକ ଭାବରେ ଆଜି ସାକ୍ଷୀ ହୋଇ ରହିବା ପାଇଁ ଗଛଗୁଡ଼ିକ ସାଜିଛନ୍ତି ସମସ୍ତଙ୍କର ଭାଇ ।

ଭାଇ ହାତରେ ତ ସବୁ ଭଉଣୀ ରାକ୍ଷୀ ବାନ୍ଧିଥାନ୍ତି । କିନ୍ତୁ ଆମକୁ ପ୍ରକୃତରେ ସୁରକ୍ଷା ଦେଉଥିବା, ଜୀବନ ଜିଇଁବା ପାଇଁ ସାହାରା ଦେଉଥିବା ଗଛ କଥା ଖୁବ କମ ଲୋକ ଚିନ୍ତା କରନ୍ତି । ରାକ୍ଷୀ ବନ୍ଧନର ଏହି ପବିତ୍ର ଦିନରେ କିଛି ମହିଳା ଗଛରେ ରାକ୍ଷୀ ବାନ୍ଧି ପାଳନ କରିଛନ୍ତି ଏକ ନିଆରା ରକ୍ଷା ବନ୍ଧନ । ଭଉଣୀର ସୁରକ୍ଷା ପାଇଁ ଭାଇ ଯେମିତି ସବୁକିଛି କରିଥାଏ, ଗଛ ମଧ୍ୟ ବିନା ସ୍ୱାର୍ଥରେ ସମଗ୍ର ମାନବ ସମାଜର ହିତ ପାଇଁ ଅଙ୍ଗାରକାମ୍ଳକୁ ଶୋଷି ନେଇ ଅମ୍ଳଜାନ ଦାନ କରିଥାଏ । ଗଛରୁ କେବଳ ଅମ୍ଳଜାନ ମିଳିଥାଏ ତାହା ନୁହେଁ ପୃଥିବୀର ବାତାବରଣ ଠିକ ରଖିବାରେ ମଧ୍ୟ ଗଛ ଆମକୁ ସାହାଯ୍ୟ କରିଥାଏ । ତେବେ ଗଛରେ ଫୁଲ ଚନ୍ଦନ ଦେଇ ରାକ୍ଷୀ ବାନ୍ଧି ଏକ ଭିନ୍ନ ରକ୍ଷା ବନ୍ଧନ ପାଳନ କରିଛନ୍ତି ଅସ୍ତରଙ୍ଗ ଅଞ୍ଚଳର ମହିଳାମାନେ । ଅସ୍ତରଙ୍ଗ ନିକଟସ୍ଥ ଜଙ୍ଗଲରେ ଥିବା ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ମହିଳାମାନେ ପାଳନ କରିଛନ୍ତି ରାକ୍ଷୀ ପୂର୍ଣ୍ଣିମା ।

ଭାଇ ଭଉଣୀଙ୍କ ମଧ୍ୟରେ ଅନାବିଳ ପ୍ରେମ, ସ୍ନେହ ଓ ମମତା ଭରି ରହିଥାଏ । ଭାଇ ଭଉଣୀଙ୍କ ଏହି ସମ୍ପର୍କକୁ ଅଧିକ ମଜବୁତ ଭାବରେ ବାନ୍ଧି ରଖିବା ପାଇଁ ଭାରତୀୟ ପରମ୍ପରାରେ ପାଳନ ହୋଇଥାଏ ରକ୍ଷାବନ୍ଧନ ଭଳି ଏକ ମହାନ ପର୍ବ । ଏହି ଦିନ ଭଉଣୀଟିଏ ନିଜର ସୁରକ୍ଷା ପାଇଁ ଭାଇର ହାତରେ ବାନ୍ଧିଥାଏ ରାକ୍ଷୀ । ଭାଇର ଦୀର୍ଘ ଜୀବନ କାମନା କରି ଦିଅଁଙ୍କ ନିକଟରେ ଗୁହାରି କରିଥାଏ ଭଉଣୀ । କିନ୍ତୁ ଅସ୍ତରଙ୍ଗ ନିକଟରେ ଦେଖିବାକୁ ମିଳିଛି ଏକ ନିଆରା ରକ୍ଷାବନ୍ଧନ । ଛୁରିଅନା ଗ୍ରାମପଞ୍ଚାୟତର ସହନ ଗ୍ରାମର ମହିଳା ମାନେ ଜଙ୍ଗଲରେ ରହିଥିବା ଗଛ ଡାଳରେ ବାନ୍ଧିଛନ୍ତି ରାକ୍ଷୀ । ଏହି ରାକ୍ଷୀ ସୁରକ୍ଷାର ପ୍ରତୀକ ଭାବରେ ଆଜି ସାକ୍ଷୀ ହୋଇ ରହିବା ପାଇଁ ଗଛଗୁଡ଼ିକ ସାଜିଛନ୍ତି ସମସ୍ତଙ୍କର ଭାଇ । ମା ଗଙ୍ଗାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରି ପୂଜାଥାଳିରେ ଦୀପ, ଫୁଲ, ଦୁବ, ବରକୋଳି ପତ୍ର ସହିତ ରାକ୍ଷୀକୁ ରଖି, ଜଙ୍ଗଲ ଭିତରକୁ ଯାଇ ସେମାନଙ୍କୁ ସୁରକ୍ଷା ଦେଉଥିବା ଗଛରେ ରାକ୍ଷୀ ବାନ୍ଧି ବନ୍ଦାପନା କରି ପୂଜା କରିଛନ୍ତି ମହିଳାମାନେ ।

ଭାଇଟିଏ ଯେଉଁଭଳି ଭଉଣୀ ପାଇଁ ଏକ ସୁରକ୍ଷା ପ୍ରାଚୀର ଭାବରେ ଠିଆ ହୋଇଥାଏ ପ୍ରତିଟି ସମୟରେ । ସେହିଭଳି ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳ ବାସୀଙ୍କ ସୁରକ୍ଷା ବଳୟ ଭାବରେ ଗୋଟିଏ ଭାଇଟିଏ ପରି ଏହି ଗଛଗୁଡ଼ିକ ଅଣ୍ଟାଭିଡି ଲଢେଇ କରିଥାନ୍ତି ଝଡ ସହିତ । ସମୁଦ୍ରର ଉଚ୍ଚ ଉଚ୍ଚ ଜୁଆର ଯେତେବେଳେ ମାଡ଼ିଆସେ ଉପକୂଳ ଆଡକୁ ସେତେବେଳେ ଏହି ଜଙ୍ଗଲ ସମୁଦ୍ରର ଉଚ୍ଚ ଜୁଆରକୁ ଛାତି ଦେଖେଇ ଅଟକାଇ ଥାଏ । ଉପକୂଳ ବାସୀଙ୍କ ଭିଟାମାଟିକୁ ସୁରକ୍ଷା ଦେବା ସହ ସେମାନଙ୍କ ଜୀବନ ଜୀବିକାକୁ ବଞ୍ଚାଇ ରଖି ବଞ୍ଚିବାର ସାହାରା ପାଲଟିଥାଏ ଏହି ଜଙ୍ଗଲ । ଦୀର୍ଘ କୋଡିଏ ବର୍ଷ ଧରି ଏହି ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦେବା ସହ କାଠ ମାଫିଆଙ୍କ ଠାରୁ ସୁରକ୍ଷା ଯୋଗାଇଦେଇ ଆସୁଛନ୍ତି ଗଙ୍ଗାଦେବୀ ବନ ସୁରକ୍ଷା ସମିତିର ଏହି ମହିଳାମାନେ ।

ଗଛ ଡାଳରେ ରାକ୍ଷୀ ବାନ୍ଧି ମହିଳାମାନେ ଗଛଗୁଡ଼ିକୁ ସମ୍ମାନ ଦେବା ସହ ଧନ୍ୟବାଦ ଜଣାଇଛନ୍ତି । ସମସ୍ତ ବିପଦରୁ ଏହି ଗଛ ସେମାନଙ୍କୁ ସୁରକ୍ଷା ଦେଉଥିବାରୁ ମହିଳାମାନେ ଗଛକୁ ରାକ୍ଷୀ ବାନ୍ଧିଥିବା ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି । ତେବେ ଏହି ଜଙ୍ଗଲ ହିଁ ପ୍ରକୃତରେ ଏହି ଅଞ୍ଚଳ ବାସୀଙ୍କ ରକ୍ଷା କବଚ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.