ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର, ଦାମ୍‌ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

କୋଭିଡ-୧୯ ମହାମାରୀ ଓ ଲକ୍‌ଡାଉନ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇଦେଇଛି। ଏଥିଯୋଗୁ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ବେରୋଜଗାର ହୋଇଛନ୍ତି। କିନ୍ତୁ ଏହି ସମୟରେ ବ୍ୟବସାୟକୁ ଆହୁରି ବଢ଼ାଇବା ସହ ରେକର୍ଡ କରିବାକୁ ନେଦରଲାଣ୍ଡର ଏକ ଫୁଡ୍‌ ଆଉଟଲେଟ ଏକ ନିଆରା ପ୍ରକ୍ରିୟା ଆପଣାଇଛି। ଏହି ଆଉଟ୍‌ଲେଟରେ ଏମିତି ମହଙ୍ଗା ବର୍ଗର ଉପସ୍ଥାପନ କରାଯାଇଛି ଯେ, ଯାହାର ଦାମ୍‌ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏହି ବର୍ଗରର ନାଁ ଦିଆଯାଇଛି ‘ଦ ଗୋଲ୍ଡେନ ବୟ’। ଯାହାର ଦାମ୍‌ ରହିଛି ୫ହଜାର ପାଉଣ୍ଡ(ପ୍ରାୟ ୪ଲକ୍ଷ ୪୭ହଜାର ଟଙ୍କା)। ଏହି ମୂଲ୍ୟରେ ଏକ ରୋଲେକ୍ସର ଘଣ୍ଟା ଆସିଯିବ।

ସୂଚନା ମୁତାବକ ବୁର୍ଥୁଇଜେନ ସହର ସ୍ଥିତ ଫୁଡ୍‌ ଆଉଟ୍‌ଲେଟ ଡି ଡାଲଟୋନ୍ସର ମାଲିକ ରବର୍ଟ ଜେନ ଡି ବିନ ଏହି ମହଙ୍ଗା ବର୍ଗର ତିଆରି କରିଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଛୋଟବେଳୁ ହିଁ ରବର୍ଟ ଜେନଙ୍କ ଓ୍ବାଲ୍ଡ ରେକର୍ଡ କରିବାର ସ୍ବପ୍ନ ରହିଥିଲା। ବର୍ତ୍ତମାନ ସାରା ବିଶ୍ୱରେ ତାଙ୍କ ବର୍ଗର ରେକର୍ଡ କରିବା ପରେ ଏହା ଏକ ଅଦ୍ଭୁତ ଅନୁଭୂତି ବୋଲି ସେ କହିଛନ୍ତି। ଏଥିସହ କହିଛନ୍ତି, ଯେତେବେଳେ ସେ ଗିନିଜ୍‌ ଓ୍ବାଲ୍ଡ ରେକର୍ଡର ଅନୁସନ୍ଧାନରେ ଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ, ପୂର୍ବରୁ ଆମେରିକାର ଓରେଗାନର ଜୁସିସ୍‌ ଆଉଟ୍‌ଲୋ ଗ୍ରୀଲ୍‌ ବିଶ୍ୱର ସବୁଠାରୁ ଦାମୀ ବର୍ଗରର ରେକର୍ଡ କରିସାରିଛି। ୨୦୧୧ରେ ରେକର୍ଡ କରିଥିବା ଏହି ଫୁଡ ଆଉଟଲେଟର ବର୍ଗର ଦାମ୍‌ ହେଉଛି ୪୨୦୦ ପାଉଣ୍ଡ(ପ୍ରାୟ ୩ଲକ୍ଷ ୭୨ହଜାର ଟଙ୍କା)। ଯାହାର ଓଜନ ପ୍ରାୟ ୩୫୨.୪୪ କିଲୋଗ୍ରାମ୍‌ ରହିଥିଲା। ତେବେ ଏହାଠାରୁ ଅଧିକ ଭଲ କରିବାକୁ ସେ ଚେଷ୍ଟା କରିଥିଲେ ବୋଲି ରବର୍ଟ ଜେନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.