ଛତିଶଗଡ଼ରେ ରହିଛି ବିଶ୍ୱର ତୃତୀୟ ସବୁଠୁ ବଡ଼ ଗଣେଶ ପ୍ରତିମା, ଏଠି ପର୍ଶୁରାମଙ୍କ ସହ ଯୁଦ୍ଧ କରି ଭାଙ୍ଗିଥିଲା ଗଜାନନଙ୍କ ଦାନ୍ତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତରକୁ ଆଦିମ ସଭ୍ୟତାର ଗଡ଼ ବୋଲି କୁହାଯାଇଥାଏ । ଏଠାରେ କେଉଁ କାଳରୁ ଉମା ମହେଶ୍ୱର ଉପାସକ ରହିଛନ୍ତି । ସେଥିପାଇଁ ଶିବ, ପାର୍ବତୀ,ଗଣେଶ, କାର୍ତିକ, ନନ୍ଦି ଏବଂ ନାଗରାଜଙ୍କ ମୂର୍ତ୍ତି ସବୁଠୁ ଅଧିକ ଏହି ଅଞ୍ଚଳରେ ଦେଖିବାକୁ ମିଳେ। ଶିବ ପାର୍ବତୀଙ୍କ ମୂର୍ତ୍ତି ଗ୍ରାମୀଣ ଭୈରବ, ମାବଲି ଏବଂ ଦନ୍ତେଶ୍ୱରୀ ମାତା ରୂପରେ ପୂଜା ପାଇଥାନ୍ତି । ଦନ୍ତେୱାଡା ଜିଲ୍ଲାର ବାରସୁର ଠାରେ ୭ ଫୁଟ ଉଚ୍ଚତାର ଭଗବାନ ଗଣେଶ ମୂର୍ତ୍ତି ଏବଂ ୫ ଫୁଟର ଦକ୍ଷିଣାମୁଖୀ ଯୁଗଳ ପ୍ରତିମା ସ୍ଥାପିତ ହୋଇଛି । ଏହି ଦୁଇ ମୂର୍ତ୍ତି ଗୋଟିଏ ଚଟାଣରେ ରହିଛନ୍ତି। ଗଣେଶଙ୍କ ଏହି ପ୍ରତିମା ବିଶ୍ଵର ତୃତୀୟ ବଡ଼ ଗଣେଶ ପ୍ରତିମା ବୋଲି କୁହାଯାଇଥାଏ ।

ଛିନ୍ଦକ ନାଗବଂଶୀ ରାଜାଙ୍କ ଦ୍ୱାରା ଦନ୍ତେୱାଡାର ଦନ୍ତେଶ୍ୱରୀ ମନ୍ଦିର ଏବଂ ଗଣେଶଙ୍କ ୫ ଫୁଟର ପ୍ରତିମା ସ୍ଥାପିତ କରାଯାଇଛି। କେବଳ ମୁଗୁନି ପଥରରେ ଏହି ଆକର୍ଷଣୀୟ ମୂର୍ତ୍ତି ଗଢାଯାଇଛି । ଦନ୍ତେୱାଡା ଜିଲ୍ଲାର ଢୋଲକାଲ ପାହାଡ଼ ଉପରେ ପାଖାପାଖି ଦସବୀ ଶତାବ୍ଦୀ ବେଳେ ୨୫ ଶହ ଫୁଟ ଉଚ୍ଚତା ରେ ଦୁର୍ଗମ ଅଞ୍ଚଳରେ ଗଣେଶଙ୍କ ପ୍ରାଚୀନ ଦୁର୍ଲ୍ଲଭ ପ୍ରତିମା ସ୍ଥାପିତ ହୋଇଥିବା କୁହାଯାଉଛି । ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ ପଥର ସାହଯ୍ୟରେ ହିଁ ଚଢ଼ିବାକୁ ପଡିଥାଏ।

ଏହି ଅଞ୍ଚଳର କିମ୍ବଦନ୍ତୀ ହେଲା ଭଗବାନ ପର୍ଶୁରାମ ଏବଂ ଭଗବାନ ଗଣେଶଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଯେଉଁଥିରେ ପର୍ଶୁରାମଙ୍କ ଫାର୍ସା ଚୋଟରେ ଭଗବାନ ଗଣେଶଙ୍କ ଗୋଟିଏ ଦାନ୍ତ ପଡିଯାଇଥିଲା। ସେଥିପାଇଁ ଏହି ନିକଟରେ ଥିବା ଗାଁ’ର ନାଁ ଫରସାପାଲ ଭାବେ ନାମିତ ହୋଇଛି। ଢୋଲକଲରେ ବିରାଜ ଏହି ଗଣେଶ ପ୍ରତିମା ଏକ ହଜାର ବର୍ଷ ପୂର୍ବେ ମୁଗୁନି ପଥର ରେ ନିର୍ମିତ ହୋଇଥିଲା , ଏହି ପ୍ରତିମା ବାସ୍ତୁକଳା ଦୃଷ୍ଟିରେ ଏହା ଅତ୍ୟନ୍ତ କଳାତ୍ମକ। ତେବେ ଏକଦନ୍ତ ଗଣେଶ ଏହି ଠାରୁ ନାମିତ ହୋଇଛି ବୋଲି କୁହାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.