ଚଳନ୍ତା ବାଇକରେ ଠିଆ ହୋଇ ଷ୍ଟଣ୍ଟ କଲେ ଯୁବକ, ପୋଲିସ୍‌ ଗ୍ରହଣ କଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆର କ୍ରେଜ୍‌ ଆଜିର ଯୁବପିଢ଼ିଙ୍କୁ ପାଗଳ କରିଛି । ରିଲ୍ସ କରି କେମିତି ଲାଇକ୍‌ ଓ ସବସ୍କ୍ରାଇବର୍ସ ବଢ଼ାଇବେ ସେହି ଚିନ୍ତାରେ ଯୁବପିଢ଼ିଙ୍କୁ ଭୋକଶୋଷ ହେଉନି । ସାମାନ୍ୟ ଲାଇକ୍‌ ଓ ଫୋଲୋଅର୍ସ ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସମାନଭାବେ ଜଣେ ଯୁବକ ବାଇକ୍‌ ଉପରେ ଏମିତି ଷ୍ଟଣ୍ଟ କରିଛନ୍ତି ଯେ ତାଙ୍କ ଭିଡିଓ ଏବେ ଭାଇରାଲ ହେଉଛି । ଖାଲି ଭିଡିଓ ଭାଇରାଲ ହେଉଛି ତାହା ନୁହେଁ ଯୁବକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୨,୦୦୦ ଟଙ୍କାର ଜରିମାନା ଆଦାୟ କରିଛି ।

ତେବେ ଏଭଳି ଘଟଣା ଉତ୍ତରପ୍ରଦେଶ କାନପୁରର ଗଙ୍ଗା ବ୍ୟାରେଜରୁ ସାମ୍ନାକୁ ଆସିଛି । ଏହି ଗଙ୍ଗା ବ୍ୟାରେଜ୍‌ ସ୍ଥାନୀୟ ଲୋକଙ୍କର ସବୁଠାରୁ ପ୍ରିୟ ସ୍ଥାନ । ଏହି ସ୍ଥାନରେ ଯୁବପିଢ଼ିମାନେ ରିଲ୍ସ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରନ୍ତି । ସମାନ ଭାବେ ଜଣେ ଯୁବକ ଚଳନ୍ତା ବାଇକରେ ଠିଆ ହୋଇ ଷ୍ଟଣ୍ଟ କରି ରିଲ ତିଆରି କରୁଥିଲେ । ଯେଉଁ ଭିଡିଓ ଭାଇରାଲ ହେବା ପରେ କାନପୁର କମିଶନରେଟ ପୋଲିସ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଛାତ୍ରଛାତ୍ରୀ, ପ୍ରେମୀ ଯୁଗଳ ଏବଂ ପରିବାର କାନପୁରର ଗଙ୍ଗା ବ୍ୟାରେଜକୁ ବୁଲିବାକୁ ଆସନ୍ତି । କିନ୍ତୁ ଗଙ୍ଗା ବ୍ୟାରେଜରେ କିଛି ଯୁବପିଢ଼ିଙ୍କ ମୁଣ୍ଡରେ ରିଲ୍ସ ନିଶା ଏମିତି ଘାରିଛି ଯେ ସେମାନେ ଅନେକ ନିରୀହ ଲୋକଙ୍କ ଜୀବନ ନେଉଛନ୍ତି । ପୋଲିସର କଡା ସୁରକ୍ଷା ସତ୍ତ୍ୱେ ଏହି ଯୁବପିଢ଼ିଙ୍କ ଷ୍ଟଣ୍ଟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରୁ ଜଣାପଡ଼ୁଛି ଯେ ଯୁବକମାନଙ୍କର ପୋଲିସକୁ ଜମା ବି ଭୟ ନାହିଁ। ନିକଟରେ ପୋଲିସ ଅନେକ ଗାଡି ଉପରେ ଚାଲାଣ କାଟିଥିଲା ଏବଂ ଅନେକ ଦୁଇ ଚକିଆ ଗାଡ଼ିକୁ ଜବତ ମଧ୍ୟ କରାଯାଇଥିଲା। କିନ୍ତୁ ଏହା ପରେ ବି ଏଭଳି ରିଲ୍ସ ଓ ଷ୍ଟଣ୍ଟର ଘଟଣା ଥମିବାର ନାଁ ନେଉନି ।

ଏସିପି ମହେଶ କୁମାରଙ୍କ କହିବାନୁସାରେ ବାଇକରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ବିରୋଧରେ ମାମଲା ଗ୍ରହଣ କରାଯାଇଛି। ଆଇପିସିର ଧାରା ୩୩୬ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ବାଇକ ଉନ୍ନାଓ ଜିଲ୍ଲାର ବୋଲି ନମ୍ବର ପ୍ଲେଟରୁ ଜଣାପଡିଛି ।

ତେବେ ଗଙ୍ଗା ବ୍ୟାରେଜରେ ଷ୍ଟଣ୍ଟମ୍ୟାନଙ୍କ ଆତଙ୍କରେ ରହିଛନ୍ତି ସାଧାରଣ ଲୋକେ । ଯୁବକମାନେ ଷ୍ଟଣ୍ଟ କରି ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟ ଲୋକଙ୍କ ଜୀବନକୁ ବି ବିପଦରେ ପକାଉଛନ୍ତି । ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ଏମିତି ଷ୍ଟଣ୍ଟବାଜି ଦେଖୁଛନ୍ତି ତେବେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ ଏବଂ ଏଭଳି ଲୋକଙ୍କ ଠାରୁ ଯଥେଷ୍ଟ ଦୂରରେ ଯାତ୍ରା କରନ୍ତୁ ।

Leave A Reply

Your email address will not be published.