ମୋଦି ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ଆଜି ରାଷ୍ଟ୍ରପତି ଭବନରେ ମନୋନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମଲ୍ଲିକାର୍ଜୁନ ଖଡ଼ଗେ । ସୂତ୍ର ମୁତାବକ, କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେ ନିଜ ଦଳ ଏବଂ ସହଯୋଗୀମାନଙ୍କ ସହ ଆଲୋଚନା ପରେ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ଖଡ଼ଗେଙ୍କୁ ଗତକାଲି ସନ୍ଧ୍ୟାରେ ଶପଥ ଗ୍ରହଣର ନିମନ୍ତ୍ରଣ ମିଳିଥିଲା । ଆଜିର ସମାରୋହ ପାଇଁ ବିଜେପି ନେତା ପ୍ରହ୍ଲାଦ ଯୋଶୀ ତାଙ୍କୁ ନିମନ୍ତ୍ରଣ ଦେଇଥିଲେ ।

କଂଗ୍ରେସ ଏକ ବୟାନରେ କହିଛି ଯେ ଇଣ୍ଡିଆ ବ୍ଲକ୍‌ର ଅଂଶୀଦାର ଦଳମାନଙ୍କ ସହ ଆଲୋଚନା ପରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିର୍ଣ୍ଣୟ ନିଆଯାଇଛି । ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଥିଲେ କି, ଦଳର ନେତାମାନଙ୍କୁ ପିଏମ୍‌ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ କୌଣସି ନିମନ୍ତ୍ରଣ ମିଳିନାହିଁ, ଯେତେବେଳେ କି, ଅନ୍ତର୍ଜାତୀୟ ନେତାମାନଙ୍କୁ ସମସ୍ତ ନିମନ୍ତ୍ରଣ ଯାଉଛି ।

ସେପଟେ ଆଜିଠୁ ଆରମ୍ଭ ହେଉଛି ମୋଦିଙ୍କ ତୃତୀୟ ଇନିଂସ । ହ୍ୟାଟ୍ରିକ୍ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭.୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ । ଏହାସହ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ’ଣ ରହିବ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ସମ୍ଭାବ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପିଏମଓରୁ ଯାଉଛି ଫୋନ୍ କଲ୍ । ଅମିତ ଶାହ, ନୀତିନ ଗଡ଼କରୀ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀଙ୍କୁ ଫୋନ୍ କଲ୍ ଯାଇଛି । ସେଭଳି TDP ସାଂସଦ ରାମମୋହନ ନାଇଡୁ, ଆପନା ଦଳର ଅନୁପ୍ରିୟା ପଟେଲ, HAMର ଜିତନ ରାମ ମାଝୀ, ଜେଡିଏସର ଏଚ୍.ଡି. କୁମାରସ୍ୱାମୀ ଏବଂ RLD ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ଫୋନ କଲ୍ ଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ରହିଛି ।

Leave A Reply

Your email address will not be published.