ବିସିସିଆଇ ସିଲେକ୍ଟର ପ୍ରସାଦଙ୍କ ନାଁ କହି ଶିଳ୍ପପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ଏତଲା ଦେଲେ ପ୍ରସାଦ

ହାଇଦ୍ରାବାଦ : ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ନାଁରେ ବଡ଼ ଠକେଇ ଅଭିଯୋଗ । ଅବଶ୍ୟ ପ୍ରସାଦ ନିଜେ ଏହି କାଣ୍ଡ କରି ନାହାନ୍ତି, ତାଙ୍କ ନାମ ଓ ପଦବିର ଦୁରୁପଯୋଗ କରି ଜଣେ ଯୁବକ କେତେଜଣ ବଡ଼ ଶିଳ୍ପପତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି । ଯୁବକ ଜଣକର ଘର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରେ । ତା ନାଁ ବୁଦୁମୁରୀ ନାଗରାଜୁ । ଏକଥା ଜାଣିବା ପରେ ପ୍ରସାଦ ତା ନାଁରେ ବିଜୟଓ୍ଵାଡ଼ା ଓ ହାଇଦ୍ରାବାଦ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ସଂପୃକ୍ତ ଯୁବକକୁ ଖୋଜୁଛି ।
ଗତକାଲି ପ୍ରସାଦ ବିଶାଖାପାଟଣା ଠାରେ ଦିବ୍ୟାଙ୍ଗ ପିଲାମାନଙ୍କ ସହ ନିଜ ଜନ୍ମଦିନ ପାଳନ କରିବା ବେଳେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଯୁବକ ଜଣକ ନିଜକୁ ଏମ୍‌ଏସ୍‌କେ ପ୍ରସାଦ ଭାବେ ପରିଚୟ ଦେଇ ଗୋଟିଏ କମ୍ପାନୀର ୨ ଲକ୍ଷ ୮୮ ହଜାର ଓ ଅନ୍ୟ ଏକ କମ୍ପାନୀରୁ ୩ ଲକ୍ଷ ୮୮ ହଜାର ଟଙ୍କା ଠକି ନେଇଛି । ଏମିତିକି ତାର ଫୋନ୍‌ ଟ୍ରୁ-କଲରରେ ସେ ନିଜ ନାମ ଏମ୍‌ଏସ୍‌କେ ପ୍ରସାଦ ଭାବେ ରଖିଛି । ଫୋନ୍‌ରେ ସେ ଶିଳ୍ପପତିମାନଙ୍କୁ ଭୁଆଁ ବୁଲାଉଥିଲା । କହୁଥିଲା, ନାଗରାଜୁ ନାମକ ଜଣେ ଯୁବ କ୍ରିକେଟର୍‌ କୋଲକାତା ନାଇଟ୍‌ ରାଇଡର୍ସ ତରଫରୁ ଖେଳିବ । ତାର ସ୍ପନସରସିପ୍‌ ପାଇଁ ସହାୟତା କର । ଶିଳ୍ପପତିମାନେ ପ୍ରସାଦ ଫୋନ୍‌ କରିଛନ୍ତି ଭାବି ରାଜି ହୋଇ ଯାଆନ୍ତି ଏବଂ ଯୁବକ ଜଣକ ଫୋନ୍‌ରେ କହେ ଯେ ନିଜେ ନାଗରାଜୁ ଯାଇ ଟଙ୍କା ନେଇ ଆସିବ । ଏହାପରେ ନାଗରାଜୁ ନିଜେ ଯାଇ ଟଙ୍କା ନେଇ ଆସେ । ତେବେ ବ୍ୟବସାୟୀମାନେ ପ୍ରସାଦଙ୍କୁ ଫୋନ୍‌ କରିବା ପରେ ଏକଥା ଜଣାପଡ଼ିଥିଲା ।

 

Leave A Reply

Your email address will not be published.