ଆଜି ଉଦଘାଟିତ ହେବ ଏସିଆ ମହାଦେଶର କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ା-୨୦୧୮

ନୂଆଦିଲ୍ଲୀ (କେ ନ୍ୟୁଜ୍) : ଆଜି ଉଦଘାଟିତ ହେବ ଏସିଆ ମହାଦେଶର କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ା-୨୦୧୮ । ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଆୟୋଜକ ହେଉଛି ଦ୍ୱୀପପୁଞ୍ଜର ଦେଶ ଇଣ୍ଡୋନେସିଆ । ଜାକର୍ତ୍ତାର ଗେଲୋରା ବଙ୍ଗ କାର୍ଣ୍ଣୋ ବା ଜିବିକେ ଷ୍ଟାଡିୟମରେ ହେବ ଉଦଘାଟନୀ ଉତ୍ସବ । ଭାରତୀୟ ସମୟ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଆରମ୍ଭ ହେବ ଏହି ବର୍ଣ୍ଣାଢ୍ୟ ଉତ୍ସବ । ପ୍ରଥମଥର ଦୁଇଟି ସହରରେ କ୍ରୀଡ଼ା ଇଭେଣ୍ଟ ଗୁଡ଼ିକର ଆୟୋଜନ କରାଯାଉଛି । ତେବେ ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଜାକର୍ତ୍ତାରେ ଅନୁଷ୍ଠିତ ହେବ । ପାଲେମବଙ୍ଗଠାରେ ବର୍ଣ୍ଣାଢ୍ୟ ଉଦ୍ଘାଟନୀ ଉତ୍ସବରେ ଖୁବ୍ ଜମିବ ସାଂସ୍କୃତିକ କାର୍ୟ୍ୟକ୍ରମ । ଇଣ୍ଡୋନେସିଆର କଳା ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିବ । ପୁଣି ଦେଶର ସବୁଠୁ ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିବେ । ୪ ହଜାର ଡ୍ୟାନସରଙ୍କୁ ନେଇ ଆୟୋଜିତ ହେବ ଏକ ବିଶାଳ ନୃତ୍ୟ କାର୍ୟ୍ୟକ୍ରମ । ଏହାର କୋରିଓ ଗ୍ରାଫର ହେଉଛନ୍ତି ଡେନୀ ମଲିକ ଓ ଇକୋ ସୁପ୍ରିଆନ୍ତୋ । ୬ଟା ୧୫ରେ ଖେଳାଳିମାନେ ମାର୍ଚ୍ଚପାଷ୍ଟ କରିବେ । ଭାରତୀୟ ଦଳର ଧ୍ୱଜା ଧରିବେ ଜାଭେଲିନ୍ ଖେଳାଳି ନୀରଜ କୁମାର । ସେପ୍ଟେମ୍ବର ୨ରେ ଶେଷ ହେବ ଏହି ମେଗା ଇଭେଣ୍ଟ ।

ସେପ୍ଟେମ୍ବର ୨ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ଭାଗ ନେବେ ଏସିଆ ମହାଦେଶର ୪୫ଟି ଦେଶ । ୪୦ଟି କ୍ରୀଡ଼ାର ୬୭ଟି ଇଭେଣ୍ଟରେ ପ୍ରତିଯୋଗିତା ଚାଲିବ । ୨୮ଟି ଅଲିମ୍ପିକ୍ କ୍ରୀଡ଼ା, ୪ଟି ନୂଆ କରି ସାମିଲ ହୋଇଥିବା ଅଲିମ୍ପିକ୍ କ୍ରୀଡ଼ା ଏବଂ ୮ଟି ଅଣଅଲିମ୍ପିକ୍ କ୍ରୀଡ଼ା । ଏସୀୟ କ୍ରୀଡ଼ାରେ ଭାରତରୁ ୫୭୨ ଜଣ ଆଥଲେଟ୍ ଭାଗ ନେଉଛନ୍ତି । ଏମାନଙ୍କ ଭିତରେ ଅଛନ୍ତି କିଟ୍ ଛାତ୍ରୀ ଦୂତୀ ଚାନ୍ଦ, ଋତୁପର୍ଣ୍ଣା ପଣ୍ଡା ଓ କିସ୍ ଛାତ୍ରୀ ପୂର୍ଣ୍ଣିମା ହେମ୍ବ୍ରମ୍, ଜଉନା ମୁର୍ମୁଙ୍କ ସମେତ ଓଡ଼ିଶାର ୧୨ ଜଣ ଖେଳାଳି । ସେହିପରି ମହିଳା ହକି ଟିମ୍ରେ ଅଛନ୍ତି ଚାରି ଜଣ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ ।

Leave A Reply

Your email address will not be published.