କାରରେ ଏକା ଥିଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ୍, ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ବି ଗଭୀର କ୍ଷତ ନେଇଗଲା ତାଙ୍କ ଜୀବନ

କ୍ରୀଡା ଜଗତ ପାଇଁ ଦୁଃଖଦ ଖବର। ଆଉ ନାହାଁନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍ । କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ସେ। ସାଇମଣ୍ଡସଙ୍କ ମୃତ୍ୟୁକୁ ନେଇ ସାରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶର ଖେଳାଳି ସାଇମଣ୍ଡସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ସାଇମଣ୍ଡ ଶନିବାର ରାତିରେ କୁଇନ୍ସଲାଣ୍ଡ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ଦୁର୍ଘଟଣା ସମୟରେ ସାଇମଣ୍ଡସ୍ କାରରେ ଏକା ଉପସ୍ଥିତ ଥିଲେ । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା। ପୋଲିସର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ତାଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । କୁଇନ୍ସଲ୍ୟାଣ୍ଡ ପୋଲିସ କହିଛି ଯେ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ଜରୁରୀ କାଳୀନ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ବଞ୍ଚାଇବାର ସମସ୍ତ ପ୍ରୟାସ କରାଯାଇଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।

saimond୨୦୦୪ରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ। ସେ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବାବେଳେ ୨୦୦୬-୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ବକ୍ସିଂ ଡେ ଟେଷ୍ଟ ୧୫୬ ରନ୍ କରିଥିଲେ। ୨୦୦୮ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍। ସେହିପରି ୧୯୯୮ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ଆଉ ୨୦୦୯ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଆଣ୍ଡ୍ରୁ ସାଇମଣ୍ଡ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ ଖେଳିଥିଲେ । ସାଇମଣ୍ଡ୍ସଙ୍କ ସମୟରେ ଅଷ୍ଟ୍ରେଲିଆ ଲଗାତର ଦୁଇ ଦୁଇଟି (୨୦୦୩, ୨୦୦୭) ବିଶ୍ୱକପ ଟ୍ରଫି ଜିତିଥିଲା। ୨୦୦୦ ମସିହା ମଧ୍ୟ ଭାଗରେ ସେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପ୍ରମୁଖ ସଦସ୍ୟ ଥିଲେ। ତାଙ୍କ ସମୟରେ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଜଣେ ଘାତକ ଅଲରାଉଣ୍ଡର ଥିଲେ। ସେ ଜଣେ ଉତ୍କୃଷ୍ଟ ମିଡିୟମ ପେସର ସହ ଫିଲ୍ଡର ମଧ୍ୟ ଥିଲେ।

anfrewଆଣ୍ଡ୍ର୍ୟୁ ସାଇମଣ୍ଡସ୍ ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୧୯୯୫ ମସିହାରେ ଇଂଲଣ୍ଡ ପକ୍ଷରୁ ଖେଳିବା ପାଇଁ ଅଫର ମିଳିଥିଲା। କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଉ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ଟିମରେ ସିଲେକସନ ହୋଇ ଦୀର୍ଘ ଦୁଇ ଦଶନ୍ଧୀ ପର୍ଯ୍ୟନ୍ତ ନିଜ ପ୍ରତିଭା ଦେଖାଇଥିଲେ। ୨୦୦୩ ବିଶ୍ୱକପର ଅଷ୍ଟ୍ରେଲିଆର ଉଦଘାଟନୀ ମ୍ୟାଚରେ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ନିଜର ପାରଦର୍ଶିତା ଦେଖାଇଥିଲେ। ପାକିସ୍ତାନ ବିପକ୍ଷରେ କଙ୍ଗାରୁ ୪ ୱିକେଟ ହରାଇ ମାତ୍ର ୮୬ ରନ କରିଥିଲା, ସେତେବେଳେ ଆଣ୍ଡ୍ର୍ୟୁ ଦଳର ମଙ୍ଗ ଧରିଥିଲେ। ଆଉ ସେ ୧୨୫ଟି ବଲରେ ୧୪୩ ରନ୍ କରିଥିଲେ। ତା ପରେ ପାଞ୍ଚଟି ଦିନି କିଆରେ ଆଣ୍ଡ୍ର୍ୟୁଙ୍କ ବ୍ୟାଟରେ ସେଞ୍ଚୁରୀ ଲାଗିଥିଲା।
୨୦୦୪ରେ କ୍ୟାଣ୍ଟରେ ଖେଳା ଯାଇଥିବା ଟି-୨୦ରେ ଆଣ୍ତ୍ର୍ୟୁ ମାତ୍ର ୩୪ଟି ବଲରେ ଶତକ କରିଥିଲେ। ୨୦୦୮ରେ ପ୍ରଥମ ଆଇପିଏଲ୍ ନିଲାମରେ ସେ ୧.୩୫ ମିଲିୟନ୍ ଡଲାର ରୋଜଗାର କରିଥିଲେ। ୨୦୧୨ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ପରେ ସାଇମଣ୍ଡ୍ସଙ୍କୁ ଅଷ୍ଟ୍ରେଲିଆର କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳୁଥିଲା।

ସାଇମଣ୍ଡଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା । ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ମୃତ୍ୟୁକୁ ନେଇ ଅଷ୍ଟ୍ରେଲିଆ ସମେତ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.