ବିସିସିଆଇର ୫ ଜଣିଆ ଚୟନ କମିଟି ଘୋଷିତ : ଚେତନା ଶର୍ମାଙ୍କୁ ପୁଣି ମିଳିଲା ଅଧ୍ୟକ୍ଷ ପଦ, ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ

ନୂଆଦିଲ୍ଲୀ : ବିସିସିଆଇର ୫ ଜଣିଆ ଚୟନ କମିଟି ଘୋଷିତ । ପୂର୍ବତନ କ୍ରିକେଟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି । ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି । କମିଟିର ଅନ୍ୟ ସଦସ୍ୟମାନେ ହେଲେ ସଲିଲ ଆଙ୍କୋଲା, ସୁବ୍ରତ ବାନାର୍ଜୀ ଓ ଶ୍ରୀଧରନ ଶରତ ।

ଗତ ଟି-୨୦ ବିଶ୍ଵକପରେ ଭାରତୀୟ ଦଳ ବିଦା ହେବା ପରେ ବିସିସିଆଇ ପକ୍ଷରୁ ଚୟନ କମିଟିକୁ ଭାଙ୍ଗି ଦିଆଯାଇଥିଲା ଓ ନୂଆ ସଦସ୍ୟ ପାଇଁ ଆବେଦନ ଆହ୍ଵାନ କରାଯାଇଥିଲା । ଚୟନ କମିଟି ସଦସ୍ୟ ପଦ ପାଇଁ ଗତ ନଭେମ୍ବର ମାସରେ ବିସିସିଆଇ ପକ୍ଷରୁ ଆବେଦନ ଆହ୍ଵାନ କରାଯାଇଥିଲା ।

ଏସବୁ ପଦ ପାଇଁ ମୋଟ ୬୦୦ଟି ଆବେଦନ ଆସିଥିଲା । ବିସିସିଆଇର ନିୟମ ଅନୁସାରେ ଚୟନ କର୍ତ୍ତା ହେବାକୁ ଜଣେ ବ୍ୟକ୍ତି ଅତିକମରେ ୭ଟି ଟେଷ୍ଟ ମ୍ୟାଚ କିମ୍ବା ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବେ କିମ୍ବା ୧୦ଟି ଦିନିକିଆ ଓ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବେ । ସେ ମଧ୍ୟ ଅତି କମରେ ୫ ବର୍ଷ ତଳୁ ଅବସର ନେଇଥିବେ ବୋଲି ଚୟନ କମିଟିରେ ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.