ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ ଚାଲିଥିବା ବେଳେ ସନ୍ନ୍ୟାସ ନେଲେ ଏହି କ୍ରିକେଟର, ଏବେ ଆମେରିକାରେ ଖେଳିବେ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଭିତରେ ଭାରତୀୟ କ୍ରିକେଟ ଖେଳାଳି ବିପୁଲ ଶର୍ମା ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ବିପୁଲ ଶର୍ମା ଭବିଷ୍ୟତରେ ଆମେରିକା ପାଇଁ କ୍ରିକେଟ ଖେଳିପାରନ୍ତି। ବିପୁଲ ଶର୍ମା ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲ ଚାମ୍ପିଅନ ହେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୩୮ ବର୍ଷୀୟ ବିପୁଲଙ୍କ ଘରୋଇ କ୍ରିକେଟରେ ବେଶ୍ ନାମ କମାଇଛନ୍ତି।
ବିପୁଲ ଶର୍ମାଙ୍କ ପୂର୍ବରୁ ଭାରତୀୟ ଅଣ୍ଡର-୧୯ ଟିମ୍ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ମଧ୍ୟ ଭାରତୀୟ ଟିମରେ ସୁଯୋଗ ନ ମିଳିବା ଯୋଗୁଁ ସନ୍ନ୍ୟାସ ନେଇଥିଲେ। ସେ ଏବେ ଆମେରିକାରେ କ୍ରିକେଟ ଖେଳି ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ବିପୁଲ ଶର୍ମା ପ୍ରଥମ ଶ୍ରେଣୀ କ୍ରିକେଟରେ ୫୯ଟି ମ୍ୟାଚରେ ୮ଟି ଶତକ ଏବଂ ୧୭ଟି ଅର୍ଦ୍ଧଶତକ କରି ୩୦୧୨ ରନ୍ କରିଛନ୍ତି। ଏହି ସମୟରେ ୧୨୬ ଓ୍ଵିକେଟ ନେଇଛନ୍ତି।
ଆଇପିଏଲରେ ବିପୁଲ ଶର୍ମାଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଥିଲା। କିନ୍ତୁ ତାଙ୍କୁ କେବେ ବି ଲଗାତାର ଖେଳିବାର ସୁଯୋଗ ମିଳିନଥିଲା। ୨୦୧୬ ଆଇପିଏଲ ସିଜନରେ ହାଇଦ୍ରାବାଦ ଟିମ୍ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ବିପୁଲ ଆଇପିଏଲ କ୍ୟାରିଅରରେ ୩୩ଟି ମ୍ୟାଚ ଖେଳି ୧୭ଟି ଓ୍ଵିକେଟ ନେଇଛନ୍ତି। ୧୫୨.୦୩ ଷ୍ଟ୍ରାଇକ୍ ରେଟ୍ ଦେଖି ୧୮୭ ରନ୍ କରିଛନ୍ତି। ବିପୁଲ କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ମଧ୍ୟ ଖେଳିସାରିଛନ୍ତି। ୨୦୧୦ରେ ପଞ୍ଜାବ ଟିମ୍ ସହିତ ରହିଛନ୍ତି। ୪ ବର୍ଷ ପଞ୍ଜାବ ଟିମ୍ ସହିତ ରହିବା ସତ୍ତ୍ୱେ ସେଠାରେ ଅଧିକ ସୁଯୋଗ ନ ମିଳିବାରୁ ହାଇଦ୍ରାବାଦ ସହିତ ଜଡିତ ହେଲେ।
ପଞ୍ଜାବ ବାସିନ୍ଦା ବିପୁଲ ଶର୍ମା ପଞ୍ଜାବ ଛଡା ହିମାଚଳ ପ୍ରଦେଶ ଏବଂ ସିକ୍କିମ ପଇଁ ମଧ୍ୟଖେଳିସାରିଛନ୍ତି। ଏବେ ବିପୁଲ ଆମେରିକା ପାଇଁ ଖେଳିବେ। ତେଣୁ ଭାରତୀୟ କ୍ରିକେଟ ପାଇଁ ଫେରିପାରିବେ ନାହିଁ। ବିସିସିଆଇ ନିୟମ ମୁତାବକ, ବିଦେଶୀ ଲିଗରେ ଭାଗ ନେବା ପାଇଁ ଆଇପିଏଲ ଏବଂ ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେବାକୁ ପଡିଥାଏ।