କମନୱେଲଥ ଗେମ୍ସ ୨୦୨୨ : ଡୋପିଂ ଟେଷ୍ଟରେ ଧରାପଡିଲେ ପୁଣି ଜଣେ ଭାରତୀୟ ଆଥ୍‌ଲେଟ୍‌, ସଙ୍କଟରେ ୪୦୦ ମିଟର ରିଲେ ଟିମ୍‌

କମନୱେଲଥ ଗେମ୍ସ ଆରମ୍ଭ ହେବା ପୂର୍ବରୁ ପୁଣି ଭାରତକୁ ଆଉ ଏକ ଝଟକା ଲାଗିଛି। ଭାରତ ପକ୍ଷରୁ ପୂର୍ବରୁ ୪୦୦ ମିଟର ରିଲେ ରେସରେ ଭାଗ ନେବାକୁ ଥିବା ଧାବିକା ଧନଲକ୍ଷ୍ମୀ ଡୋପ ଟେଷ୍ଟରେ ଧରାପଡିଥିଲା। ଏବେ ଆଉ ଜଣେ ପ୍ରତିଯୋଗୀ ଡୋପ ଟେଷ୍ଟରେ ଧରାପଡିଛନ୍ତି। ଏନଏଡିଏ ପକ୍ଷରୁ ଭାରତୀୟ ଆଥଲେଟ୍‌ଙ୍କ ପରୀକ୍ଷଣ କରିଥିଲା। ଯେଉଁଥିରେ ଧାବିକା ଜଣକ କିଛି ନିଶା ପଦାର୍ଥ ନେଇଥିବା ଜଣାପଡିଛି।

ତେବେ ଭାରତୀୟ ଆଥଲେଟିକ୍ସ ମହାସଂଘ(ଏଏଫଆଇ)ର ଜଣେ ଅଧିକାରୀ ଖେଳାଳିଙ୍କ ନାଁ ଘୋଷଣା ନ କରି ଏକଥା କହିଛନ୍ତି। ଏହି ଖେଳାଳି ଜଣକ ଦୁଇବର୍ଷ ପୂର୍ବରୁ ଜାତୀୟ ଶିବିରରେ ଭାଗ ନେଇଥିଲେ। ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା କମନୱେଲଥ ଗେମ୍ସରେ ତାଙ୍କୁ ଟିମ୍‌ ଇଣ୍ଡିଆ ତରଫରୁ ସାମିଲ କରାଯାଇଥିଲା। କିନ୍ତୁ ପ୍ରତିଯୋଗିତା ହେବାର ମାତ୍ର ୪ ଦିନ ପୂର୍ବରୁ ସେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ। ଏବେ ଦୁଇ ଦୁଇ ଜଣ ଖେଳାଳି ଡୋପ ଟେଷ୍ଟରେ ବିଫଳ ହେବା ପରେ ୪୦୦ ମିଟର ରିଲେ ରେସରେ ଥିବା ଟିମ୍‌ ସଙ୍କଟରେ ପଡିଛି।

୪୦୦ ମିଟର ରିଲେ ଟିମ୍‌ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ। ୨୦୧୧ର ଡୋପିଂ ସ୍କାଣ୍ଡାଲ ପରେ ଭାରତୀୟ ଆଥଲେଟ୍ସଙ୍କ ପାଇଁ ସବୁଠାରୁ ଖରାପ ସମୟ ଚାଲିଛି। ଗତଥର ଟୋକିଓ ଅଲମ୍ପିକ୍ସ ପରେ ଅତିକମରେ ୯ ଜଣ ଆଥଲେଟ୍‌ ଡୋପିଂ ଟେଷ୍ଟରେ ଧରାପଡିଥିଲେ। ଏଥିରେ ଦୁଇଜଣ ଆଥଲେଟ୍‌ ଜାପାନରେ ହୋଇଥିବା ଅଲମ୍ପିକ୍ସ ଖେଳରେ ଭାରତୀୟ ଦଳର ସଦସ୍ୟ ଥିଲେ।

୨୦୨୧ରେ ଜାରି ହୋଇଥିବା ବିଶ୍ୱ ଆଣ୍ଟିଂ ଡୋପିଂ ଏଜେନ୍ସୀ ରିପୋର୍ଟ ଅନୁସାରେ, ଡୋପିଂ ମାମଲାରେ ଭାରତ ୩ୟ ସ୍ଥାନରେ ରହିଛି। ଦେଶରେ ୧୫୨ଟି ମାମଲା ଡୋପ ଟେଷ୍ଟର ସାମ୍ନାକୁ ଆସିଛି। ଏହି ମାମଲାରେ ଭାରତ ରୁଷ ଏବଂ ଇଟାଲି ତଳେ ରହିଛି। ସୂଚନାଯୋଗ୍ୟ, ସପ୍ତାହେ ପୂର୍ବରୁ ଧାବିକା ଧନଲକ୍ଷ୍ମୀ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.