‘ହ୍ୟାଟ୍ରିକ୍‌’ ପଛରେ ଧୋନିଙ୍କ ହାତ, ନିଜେ ମାନିଲେ ମହମ୍ମଦ ସାମି, ଦେଖନ୍ତୁ ‘ହ୍ୟାଟ୍ରିକ୍‌’ର ଭିଡିଓ

ଲଣ୍ଡନ୍‌ : ସୁଯୋଗ ଏମିତି ଆସେ । ଆଉ ଭାଗ୍ୟ ସାଥ୍‌ ଦେଲେ ସଫଳତା ମିଳେ । ଯେମିତି ଗତକଲି ବିଶ୍ୱକପ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ ପେସ୍‌ ବୋଲର୍‌ ମହମ୍ମଦ ସାମି । ଭୁବନେଶ୍ୱର କୁମାର ଆହତ ଥିବାରୁ ତାଙ୍କ ସ୍ଥାନରେ ସାମିଙ୍କୁ ସାମିଲ କରାଯାଇଥିଲା । ପୁଣି ସୁଯୋଗ ମିଳିଲା ଶେଷ ଓଭର ବୋଲିଂ କରିବାକୁ । ପ୍ରଥମ ବଲ୍‌ରେ ନବି ତାଙ୍କୁ ଚୌକା ମାରିଥିଲେ । ସମସ୍ତଙ୍କ ଭିତରେ ଆଶଙ୍କା ସୃଷ୍ଟି ହେଲା ସାମି ପାରିବେ ତ ? ନାଁ ନବି ଏମିତି ଚୌକା, ଛକା ମାରି ଆଫଗାନିସ୍ତାନକୁ ଜିତାଇ ଦେବେ ? ହେଲେ ଏତିକି ବେଳେ ଧୋନି ଆସି ତାଙ୍କୁ ପଚାରିଲେ କଣ ପ୍ଲାନ୍‌ କରିଛ ? ସାମିଙ୍କ ଉତ୍ତର ଥିଲା ଖାଲି ୟର୍କର ପକାଇବି ।

ଧୋନି କହିଲେ ସେଇଆ କର,ଦେଖିବ ନିଶ୍ଚୟ ସଫଳ ହେବ । ଆଉ ସାମି ୟର୍କର ବଲ୍‌ରେ ପ୍ରଥମେ ନବିଙ୍କୁ ପାଣ୍ଡ୍ୟାଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କଲେ । ଧୋନି ପୁଣି ପରାମର୍ଶ ଦେଲେ, ସେମିତି ୟର୍କର ପକାଉଥା ତୁମର ହ୍ୟାଟ୍ରିକ୍‌ ଚାନ୍ସ ଅଛି । ଠିକ୍‌ ସେଇଆ କଲେ ସାମି ଏବଂ ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଲଗାତାର ୩ଟି ଓ୍ଵିକେଟ୍‌ ନେଲେ । ପରାଜୟ ଆଶଙ୍କାରେ ଥିବା ଭାରତକୁ ଜିତାଇ ତ ଦେଲେ ତା ସହିତ ବିଶ୍ୱ କପ୍‌ରେ ଭାରତ ପକ୍ଷରୁ ଚେତନ ଶର୍ମାଙ୍କ ପରେ ହ୍ୟାଟ୍ରିକ୍‌ ନେବାରେ ଦ୍ୱିତୀୟ ବୋଲର୍‌ର ମାନ୍ୟତା ପାଇଲେ । 

ବିଶ୍ୱକପ୍‌ ଇତିହାସରେ ଏହା ଥିଲା ଭାରତୀୟ ଦଳର ୫୦ତମ ମ୍ୟାଚ୍‌ ବିଜୟ । ଅର୍ଥାତ୍‌ ଗୋଲଡେନ୍‌ ଜୁବୁଲି । ତେବେ ତାଙ୍କର ଏହି ସଫଳତା ପଛରେ ‘କ୍ରାଇସିସି ମ୍ୟାନ୍‌’ ଧୋନିଙ୍କ ପରାମର୍ଶ ରହିଥିବା ସାମି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କହିବାକୁ ପଛାଇ ନାହାନ୍ତି ।

ଦେଖନ୍ତୁ ସାମିଙ୍କ ‘ହ୍ୟାଟ୍ରିକ୍‌’ର ଭିଡିଓ……

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.