ବିଶ୍ୱକପ୍‌ ଫାଇନାଲ୍‌ରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମୁକାବିଲା, ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ପରାସ୍ତ

ଲଣ୍ଡନ୍‌ : ଆଇସିସି ବିଶ୍ୱକପ୍‌ ୨୦୧୯ ଫାଇନାଲ୍‌ରେ ମୁକାବିଲା ହେବ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଆଜି ଏଜ୍‌ବାଷ୍ଟନ୍‌ ଠାରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ସବୁ ଆକଳନକୁ ମାଟିରେ ମିଶାଇ ଆୟୋଜକ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆକୁ ଅତି ସହଜରେ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି ।
ଆସନ୍ତା ୧୪ ତାରିଖ ଦିନ ଲର୍ଡ଼ସରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏଯାଏ କେବେବି ବିଶ୍ୱକପ୍‌ ଜିତି ନାହାନ୍ତି । ଯିଏ ବି ଜିତିବ ନୂଆ ଚାମ୍ପିଅନ୍‌ ହେବ ।
ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ୪୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୨୨୩ ରନ୍‌ ହିଁ କରି ପାରିଥିଲା । ତେବେ ୨୨୪ ରନ୍‌ର ଟାର୍ଗେଟ୍‌ ପାଇଁ ଇଂଲଣ୍ଡକୁ କିଛିଟା ସଂଘର୍ଷ କରିବାକୁ ପଡ଼ିବ ବୋଲି ଆଶା କରାଯାଉଥିଲା । ହେଲେ ଏହାର ବ୍ୟାଟ୍‌ସମ୍ୟାନ୍‌ମାନେ ବଢ଼ିଆ ବ୍ୟାଟିଂ କରି ଲକ୍ଷ୍ୟକୁ ଅତି ସହଜ କରି ଦେଇଥିଲେ । ଓପ୍ନର ଜେସନ୍‌ ରୟ ୬୫ ବଲ୍‌ରେ ୮୫ ଏବଂ ଜନୀ ବ୍ୟାରେଷ୍ଟୋ ୩୪ ରନ୍‌ କରିଥିଲେ । ସେମାନେ ପ୍ରଥମ ଓ୍ଵିକେଟ୍‌ରେ ୧୨୪ ରନ୍‌ ଯୋଡ଼ି ଅଷ୍ଟ୍ରେଲିଆ ବୋଲର୍‌ଙ୍କୁ ଠିକଣା ଜବାବ ଦେଇଥିଲେ । ଏମାନେ ଆଉଟ୍‌ ହେବା ପରେ ଜଏ ରୁଟ୍‌ ଓ ଇଆନ ମୋର୍ଗାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇ ଦେଇଥିଲେ । ଇଂଲଣ୍ଡ ମାତ୍ର ୩୨.୧ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୨୨୬ ରନ୍‌ କରିଥିଲା । ରୁଟ୍‌ ୪୯ ଓ ମୋର୍ଗନ୍‌ ୪୫ ରନ୍‌ କରି ଅପରାଜିତ ରହିଛନ୍ତି । ଇଂଲଣ୍ଡ ବୋଲର୍‌ କ୍ରିସ୍‌ ଓକ୍‌ସ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଲାଭ କରିଛନ୍ତି ।

ସ୍କୋର : ଅଷ୍ଟ୍ରେଲିଆ-୨୨୩/୧୦, ୪୯ ଓଭର (ସ୍ମିଥ୍‌ ୮୫, କ୍ୟାରୀ ୪୬, ଷ୍ଟାର୍କ ୨୯। ଓକ୍‌ସ ୩/୨୦, ରସିଦ ୩/୫୪, ଆର୍ଚର ୨/୩୨) । ଇଂଲଣ୍ଡ-୨୨୬/୨, ୩୨.୧ ଓଭର (ରୟ ୮୫, ବ୍ୟାରେଷ୍ଟୋ ୩୪, ରୁଟ୍‌ ଅପରାଜିତ ୪୯, ମୋର୍ଗାନ୍‌ ଅପରାଜିତ ୪୫) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.