ଭାରତ ଆଗରେ ‘ଚାରି ଶହ ବିଶ୍‌’ ଟାର୍ଗେଟ୍‌, ଚେନ୍ନାଇରେ ଚମକିଲେ ଅଶ୍ୱିନ୍‌ ୬ ଓ୍ଵିକେଟ୍‌ ନେଇ ଇତିହାସ ରଚିଲେ

ଚେନ୍ନାଇ: ପ୍ରଥମ ଇନିଂସ୍‌ରେ ୫୭୮ ଆଉ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୭୮ ରନ୍‌ । ଇଏ ହେଉଛି ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର କାହାଣୀ । ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କୁ ପାଣି ପିଆଇଥିବା ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭଲ କରି ପାନେ ଦେଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ । ସେ ଏହି ପାଳିରେ ପ୍ରଥମେ ବୋଲିଂ କଲେ ଆଉ ୧୭.୩ ଓଭର୍‌ରେ ମାତ୍ର ୬୧ ରନ୍‌ ଦେଇ ୬ଟି ଓ୍ଵିକେଟ୍‌ ନେଇଛନ୍ତି । ଯାହା ଫଳରେ ଇଂଲଣ୍ଡ ୪୬.୩ ଓଭର ଖେଳି ୧୭୮ ରନ୍‌ରେ ସବୁ ଓ୍ଵିକେଟ୍‌ ହରାଇଛି ।

ପ୍ରଥମ ପାଳିରେ ଦ୍ୱିଶତକ କରିଥିବା ଇଂଲଣ୍ଡ ଅଧିନାୟକ ଜଏ ରୁଟ୍‌ ଏଥର ମଧ୍ୟ ସର୍ବାଧିକ ସ୍କୋରର୍‌ ଭାବେ ୪୦ ରନ୍‌ କରିଛନ୍ତି । ଆଉ ସମସ୍ତେ ୩୦ ରନ୍‌ ତଳେ ।

ଏବେ ଟିମ୍‌ ଇଣ୍ଡିଆ ଆଗରେ ୪୨୦ ରନ୍‌ ବିଜୟ ଲକ୍ଷ୍ୟ ରହିଛି । ଗୋଟିଏ ଦିନ ଖେଳ ବାକି ଥିବା ବେଳେ ଜିତିବା ପାଇଁ ଭାରତକୁ ଦରକାର ୩୮୧ ରନ୍‌ । ଆଉ ଶେଷ ଦିନରେ ଇଂଲଣ୍ଡକୁ ଦରକାର ଭାରତର ବାକି ୯ଟି ଓ୍ଵିକେଟ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ଗୋଟିଏ ୱିକେଟ୍‌ ହରାଇ ୩୯ ରନ୍‌ କରିଛି । ପୁଣି ଥରେ ଫେଲ୍‌ ମାରିଛନ୍ତି ଓପନର ରୋହିତ ଶର୍ମା ।
ଚେନ୍ନାଇ ଟେଷ୍ଟର ପ୍ରଥମ ତିନି ଦିନରେ ୧୬ ୱିକେଟ ଖସିଥିବା ବେଳେ ଆଜି ଗୋଟିଏ ଦିନରେ ୧୫ ଓ୍ଵିକେଟର ପତନ ହୋଇଛି ।

ରେକର୍ଡ଼ ବ୍ରେକର୍‌ ଅଶ୍ୱିନ୍‌ କଣ କହିଲେ ଶୁଣନ୍ତୁ

ଏପଟେ ଚିଦମ୍ବରମ ଷ୍ଟାଡିୟମରେ ଅଶ୍ୱିନ୍‌ ବେଶ୍‌ କେତୋଟି ରେକର୍ଡ଼ କରିଛନ୍ତି । ସେ ଗୋଟିଏ ପାଳିରେ ୨୮ଥର ପାଇଁ ୫ କିମ୍ବା ତାଠାରୁ ଅଧିକ ଓ୍ଵିକେଟ୍‌ ନେଇଛନ୍ତି । ଏହା କରିବାରେ ସେ ଇଂଲଣ୍ଡର ପୂର୍ବତନ ବୋଲର ଇଆନ୍‌ ବୋଥାମଙ୍କ ରେକର୍ଡ଼ ଭାଙ୍ଗି ବିଶ୍ୱର ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ଆଗକୁ ଅଛନ୍ତି ବର୍ତ୍ତମାନ ଖେଳୁଥିବା ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍‌ । ସେ ଏହି କାରନାମା ୩୦ ଥର କରିଛନ୍ତି ।

ଏପର୍ଯ୍ୟନ୍ତ ସେ ମୋଟ୍‌ ୩୮୬ଟି ଟେଷ୍ଟ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଏହା ତାଙ୍କର ୭୫ତମ ଟେଷ୍ଟ । ୭୫ ଟେଷ୍ଟରେ ଏତେ ସଂଖ୍ୟକ ଓ୍ଵିକେଟ୍‌ ନେବାରେ ଅଶ୍ୱିନ୍‌ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବୋଲର୍‌ । ଏଥିରେ ଏକ ନମ୍ବରରେ ଅଛନ୍ତି ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥେୟା ମୁରଲୀଧରନ୍‌ । ସେ ୭୫ ଟେଷ୍ଟରେ ୪୨୦ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଅଶ୍ୱିନ୍‌ଙ୍କ ପଛକୁ ତୃତୀୟରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେନ୍‌ (୩୮୩ ଓ୍ଵିକେଟ୍‌) ।

ତେବେ ୪୨୦ ରନ୍‌ର ଟାର୍ଗେଟ୍‌ ଭାରତ ପାଇଁ ମଧ୍ୟ କଷ୍ଟକର ହେବ । ଯଦି ସତର୍କତାର ସହ ଖେଳେ ତେବେ ଜିତି ଯିବ ନହେଲେ ଡ୍ର ରଖି ପାରିବ । ଏବେ ଦେଖିବାର କଥା କି ଖେଳ ଦେଖାଉଛନ୍ତିପ୍ରଥମ ପାଳିରେ ଇଂଲଣ୍ଡ ଠାରୁ ପଛରେ ପଡ଼ିଥିବା ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ।

score-1

score-2

score-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.