ସନ୍ଧ୍ୟାରେ ହକି ବିଶ୍ୱ କପ୍‌ ଉଦ୍‌ଘାଟନ, ହେଲେ ସକାଳୁ ଷ୍ଟାଡିୟମ୍‌ ପାଖରେ ଭିଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : ଠିକ୍‌ ସନ୍ଧ୍ୟା ହେଲେ ଆଜି ଇତିହାସ ସୃଷ୍ଟି କରିବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ । ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର ହେବ ଉଦ୍‌ଘାଟନ । ମନୋରଞ୍ଜନର ଏମିତି ରଙ୍ଗ ଲାଗିବ ଯେ ଓଡ଼ିଶାବାସୀ କଣ ସାରା ବିଶ୍ୱ ଦେଖିବ ଭବ୍ୟ ଆୟୋଜନ । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ସନ୍ଧ୍ୟା ୬ଟାରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ । ତେବେ ଆଜି ସକାଳୁ ଗେଟ୍‌ ପାଖରେ ଦର୍ଶକଙ୍କ ଭିଡ଼ ଜମିଥିଲା । ଟିକେଟ୍‌ କିଣିଥିବା ଲୋକେ ପହଞ୍ଚିଥିଲେ ଗେଟ୍‌ ସାମନାରେ । ସେପଟେ ଅନ୍‌ଲାଇନ୍‌ରେ ଟିକେଟ୍‌ କିଣିଥିବା ଦର୍ଶକ ମଧ୍ୟ ଧାଡ଼ି ଲଗାଇଥିଲେ ଟିକେଟ୍‌ କାଉଣ୍ଟର ପାଖରେ । ଟିକେଟ୍‌ର ହାର୍ଡ଼ କପି ନେବାକୁ ଅପେକ୍ଷାରେ ଥିଲେ ଶହ ଶହ ଲୋକ ।

FANS-1
ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ଓଡ଼ିଶାର ପରମ୍ପରା ଓ ସଂସ୍କୃତିର ଝଲକ ସାଙ୍ଗକୁ ଉଭା ହେବେ ବଲିଉଡ୍‌ ଷ୍ଟାର ଶାହାରୁଖ ଓ ମାଧୁରୀ । ମାଧୁରୀ ଜଣେ ନୃତ୍ୟାଙ୍ଗନା ଏବଂ ଶାହାରୁଖ ଜଣେ ହକିପ୍ରେମୀ ଭାବରେ ଉପସ୍ଥିତ ରହିବେ । ତାଙ୍କ ସହିତ ସାମିଲ ହେବେ ଓଲିଉଡ୍‌ର ହିଟ୍‌ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା । ଏମାନଙ୍କ ସହିତ ନାଚିବେ ହଜାର ହଜାର ସ୍କୁଲ ଛାତ୍ର ଛାତ୍ରୀ । ପରିବେଶ ସୁରକ୍ଷା ଏବଂ ବିଶ୍ୱରେ ଏକତା ଆଦି ପ୍ରସଙ୍ଗରେ ପର୍ଯ୍ୟବସିତ କାର୍ଯ୍ୟକ୍ରମ ପରିବେଷଣ ହେବ । ଏସବୁ ଭିତରେ ସବୁଠାରୁ ବଡ଼ ଆକର୍ଷଣ ହେବେ ସଂଗୀତ ଦୁନିଆଁର ସୁପ୍ରସିଦ୍ଧ ବ୍ୟକ୍ତିତ୍ୱ ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ୍‌ । ଯିଏକି ବିଶ୍ୱ କପ୍‌ ଥିମ୍‌ ସଙ୍ଗ୍‌ର ମ୍ୟୁଜିକ୍‌ ଦେଇଛନ୍ତି । ଅବଶ୍ୟ ସବୁଠାରୁ ଖୁସିର କଥା ଯେ କ୍ରିକେଟ୍‌ ପାଗଳ ଦୁନିଆଁରେ ଆଜି ଓଡ଼ିଶା ଦେଖାଇଛି ହକି ପ୍ରତି ଆକର୍ଷଣ ।
ଆସନ୍ତାକାଲି କଟକରେ ଉଦ୍‌ଘାଟନ ଉତ୍ସବ ସାଙ୍ଗକୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଟାଇଟଲ୍‌ ପାଇଁ ଘମାଘୋଟ ଲଢ଼େଇ ।

ଟ୍ରାଫିକ୍‌ ବ୍ୟବସ୍ଥାକୁ ନଜର ଦିଅନ୍ତୁ

ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ୭ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ଚାରିଚକିଆ ଯାନ ପାଇଁ ୫୦ଟଙ୍କା ଓ ୨ ଚକିଆ ଯାନ ପାଇଁ ୨୫ ଟଙ୍କା ପାର୍କଂ ଫି ରଖାଯାଇଛି । ଶାସ୍ତ୍ରୀନଗର ସ୍ଥିତ ପୁରୁଣା ଏଜି କଲୋନୀ ପଡିଆ, ଗେଟ୍‌ ନମ୍ବର ୧ ନିକଟ ବେହେରାସାହି ପଡିଆ, ନୟାପଲ୍ଲୀ ରାବଣପୋଡି ପଡିଆ ଓ ନୟାପଲ୍ଲୀ ଦୁର୍ଗାପୂଜା ପଡିଆରେ ୨ ଚକିଆ ଯାନ ପାର୍କିଂ କରାଯିବ । ସେହିପରି ହୋଟେଲ କ୍ରାଉନ୍‌ ନିକଟ ଇଡକଲ୍‌ ପଡିଆରେ ଚାରିଚକିଆ ଯାନ, ନିକୋ ପାର୍କ ରୋଡ୍‌ ଏବଂ ଜନତା ମଇଦାନରେ ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାର୍କିଂ କରିବାର ବ୍ୟବସ୍ଥା ରହିଛି । ଖଣ୍ଡଗିରିପଟୁ ଆସୁଥିବା ଦର୍ଶକ ନୟାପଲ୍ଲୀ ଦୁର୍ଗାପୂଜା ପଡିଆରେ ଚାରି ଚକିଆ ଏବଂ ରାବଣପୋଡି ପଡିଆରେ ଦୁଇ ଚକିଆ ଯାନ ପାର୍କିଂ କରିବେ । ନନ୍ଦନକାନନ ପଟୁ ଆସୁଥିବା ଦର୍ଶକଙ୍କ ପାଇଁ ଜନତା ମଇଦାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି କଟକ ପଟୁ ଆସୁଥିବା ବ୍ୟକ୍ତି ଆଚାର୍ଯ୍ୟ ବିହାର, ସୈନିକ ସ୍କୁଲ ଦେଇ ଜନତା ମଇଦାନରେ ପାର୍କିଂ କରିବେ । ନିକୋପାର୍କ ଏବଂ ଶାସ୍ତ୍ରୀନଗର ଛକଠାରେ ଚେକ୍‌ ପୋଷ୍ଟ କରାଯାଇଛି ।
ତେଣୁ ଉଦଘାଟନ ଉତ୍ସବ ପାଇଁ ଟିକେଟ୍‌ କିଣିଥିବା ଦର୍ଶକମାନେ ଆଗୁଆ ଆସି ନିଜର ଗାଡ଼ିକୁ ଯଥାସ୍ଥାନରେ ରଖି ସଅଳ ଷ୍ଟାଡିୟମରେ ପ୍ରବେଶ କଲେ ଭିଡ଼କୁ ଏଡ଼ାଇ ପାରିବେ । ଟିକେଟ୍‌ କିଣିଥିବା କିମ୍ବା ପାସ୍‌ ପାଇଥିବା ଲୋକେ ଟିଏ ଭଲ ଭାବେ ଧ୍ୟାନ ଦିଅନ୍ତୁ । ଉଦ୍‌ଘାଟନୀ ଉତସବ କଳିଙ୍ଗ ଷ୍ଟାଡିୟମ୍‌ର ହକି କଂପ୍ଲେକ୍ସ ନୁହେଁ ଆଥଲେଟିକ୍‌ କଂପ୍ଲେକ୍ସ ବା ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ହେଉଛି । ତେଣୁ ଆପଣ ଆପରଙ୍କ ଗେଟ୍‌ ନମ୍ବର ଅନୁସାରେ ଷ୍ଟାଡିୟମ ଭିତରେ ପ୍ରବେଶ କରନ୍ତୁ ।

ଟିକେଟ୍‌ ପାଇ ନଥିବା ବ୍ୟକ୍ତି ନିରାଶ ହୁଅନ୍ତୁ ନାହିଁ

ଅଜିର ଉଦଘାଟନୀ ଉତ୍ସବରେ ହଜାର ହଜାର ଟିକେଟ୍‌ ଆଶାୟୀ ନିରାଶ ହୋଇଛନ୍ତି । ତେବେ ସେମାନେ ଘରେ ବସି ଆରାମରେ ଟେଲିଭିଜନରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖି ପାରିବେ । ବିଭିନ୍ନ ଚ୍ୟାନେଲରେ ଏହାର ପ୍ରସାରଣ ହେବ । ଏମିତିକି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବଡ ବଡ଼ ଏଲଇଡି ଲଗା ଯାଇଛି ଖାସ୍‌ ଦର୍ଶକଙ୍କ ପାଇଁ । ଭୁବନେଶ୍ୱରରେ ବରମୁଣ୍ଡ ଖେଳପଡ଼ିଆ, କିଟ୍‌ କ୍ୟାମ୍ପସ ଏବଂ ବିଜେବି ଗ୍ରାଣ୍ଡ ସମେତ ଆଉ କିଛି ଜାଗାରେ ମଧ୍ୟ ଏଲଇଡି ଲାଗିଛି ଲୋକଙ୍କୁ ଖେଳା ଦେଖାଇବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.