ବିଶ୍ୱକପ୍ : ଆଫଗାନର ଚ୍ୟାଲେଞ୍ଜ, ଭାରତ ସାମନାରେ ବିଜୟ ଲକ୍ଷ୍ୟ ୨୭୩ ରନ୍
ଆଫଗାନିସ୍ତାନ ଟିମ୍ ୫୦ ଓଭର ଖେଳି ୮ ଓ୍ଵିକେଟ ବିନିମୟରେ ୨୭୨ ରନ୍ କରିଛି । ଭାରତ ସାମ୍ନାରେ ୨୭୩ ରନର ଲକ୍ଷ୍ୟ ରହିଛି ।
ଦିଲ୍ଲୀ : ଆଶାର ବିପରୀତ ଭାବେ ଭଲ ଖେଳିଛି ଆଫଗାନିସ୍ତାନ । ବିଶ୍ୱ ମାନ୍ୟତାର ଏକ ନମ୍ବର ଦଳକୁ ଦେଇଛି ଚ୍ୟାଲେଞ୍ଜ । ବିଶ୍ୱକପ୍ର ଆଜିର ମ୍ୟାଚ୍ରେ ଘରୋଇ ଭାରତୀୟ ଦଳକୁ ଦେଇଛି ୨୭୩ ରନ୍ର ବିଜୟଲକ୍ଷ୍ୟ ।
ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଏହାର ବ୍ୟାଟରମାନେ ପୂରା ୫୦ ଓଭର ଖେଳିଲେ ଶକ୍ତିଶାଳୀ ଭାରତୀୟ ବୋଲିଂ ଆକ୍ରମଣର ମୁକାବିଲା କରି । ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ବିନିମୟରେ ୨୭୨ ରନ୍ କରିଛି ଆଫଗାନିସ୍ତାନ।
ଆଫଗାନିସ୍ତାନ ଟିମ ପକ୍ଷରୁ ଅଧିନାୟକ ହସମତୁଲା ସାହିଦି ୮୮ ବଲରେ ୮୦ ରନ୍ କରିଛନ୍ତି । ସେହିପରି ମଜମତୁଲା ଓମରଜାଇ ୬୯ ବଲରେ ୬୨ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୁରୁବାଜ ୨୧ ରନ୍, ଇବ୍ରାହିମ ଜାରଦାନ ୨୨ ରନ, ରହମତ ଶାହା ୧୬ ରନ୍, ମହମ୍ମଦ ନବି ୧୯ ରନ୍ କରି ଆଉଟ୍ ହୋଇଛନ୍ତି ।
ସଫଳତମ ଭାରତୀୟ ବୋଲର ଭାବେ ଯଶପ୍ରୀତ ବୁମରା ୩୯ ରନରେ ୪, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ ନେଇଛନ୍ତି । ଶାର୍ଦ୍ଦୁଳ ଠାକୁର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି ।
ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସ୍ପିନର ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦିଆଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବାରେ ଭାରତୀୟ ଦଳ ସଫଳ ହୋଇଛି। ତେଣୁ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ୍ ଭାରତ । ଅନ୍ୟପଟେ ବାଂଲାଦେଶ ଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇ ସାରିଛି ଆଫଗାନିସ୍ତାନ।
୨୦୧୯ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସେହି ମ୍ୟାଚରେ ୧୧ ରନରେ ଜିତିଥିଲା ଭାରତ ।