ଶେଷ ମ୍ୟାଚ୍‌ରେ ୬୭ ରନ୍‌ରେ ଜିତିଲା ଭାରତ, ଇଣ୍ଡିଜ୍‌ ଠାରୁ ୨-୧ରେ ଛଡ଼ାଇ ନେଲା ଟି-୨୦ ସିରିଜ୍‌

ମୁମ୍ବାଇ : ଠିକଣା ସମୟରେ ଅସଲ ରୂପ ଦେଖାଇଲେ ଭାରତର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ । ଆଉ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌କୁ ୬୭ ରନ୍‌ରେ ହରାଇ ଭାରତ ୨-୧ରେ ଟି-୨୦ ସିରିଜ୍‌ ଜିତିଲା । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ୩ ଓ୍ଵିକେଟ୍‌ରେ ୨୪୦ ରନ୍‌ର ବଡ଼ ସ୍କୋର ଛିଡ଼ା କରାଇଥିଲା । ଜବାବରେ ଇଣ୍ଡିଜ୍‌ ଟିମ୍‌ ୨୦ ଓଭର୍‌ ମଧ୍ୟରେ ୮ ଓ୍ଵିକେଟ୍‌ ହରାଇ ୧୭୩ ରନ୍‌ କରି ପାରିଛି ।

INDIA-2ମୁମ୍ବାଇର ଓ୍ଵଙ୍ଖଡ଼େ ଷ୍ଟାଡିୟମରେ ଭରପୂର ଦର୍ଶକ ଆଜି ପୂରା ମଜା ଉଠାଇ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଭାରତ ପକ୍ଷରୁ ଆଜି ଯେମିତି ପ୍ରତ୍ୟେକ ବ୍ୟାଟ୍‌ସମ୍ୟାନ୍‌ ପଣ କରି ଆସିଥିଲେ ଦଳକୁ ଜିତାଇବା ପାଇଁ । ତେଣୁ ଓପନିଂ ଯୋଡ଼ି ରୋହିତ ଶର୍ମା ଓ କେ.ଏଲ୍‌ ରାହୁଲ ପ୍ରଥମ ଓ୍ଵିକେଟ୍‌ରେ ୧୩୫ ରନ୍‌ ଯୋଡ଼ିଥିଲେ । ରୋହିତଙ୍କ ୨୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିବା ସହ ୩୪ ବଲ୍‌ରେ ୭୧ ରନ୍‌ ସ୍କୋର କରିଥିଲେ । ଏଥିରେ ଥିଲା ୬ ଚୌକା ଓ ୫ ଛକା । ସେହିପରି ରାହୁଲ ୨୯ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଶତକ ଆକୁ ଅଗ୍ରସର ହେଉଥିବା ବେଳେ ୫୬ ବଲ୍‌ରେ ୯୧ ରନ୍‌ କରି ଆଉଟ୍‌ ହୋଇଥିଲେ । ରାହୁଲଙ୍କ ଇନିଂସ୍‌ରେ ଥିଲା ୯ ଚୌକା ଓ ୪ ଛକା । ଏମାନଙ୍କ ଭଳି ଅଧିନାୟକ ବିରାଟ କୋହଲି ମଧ୍ୟ ଇଣ୍ଡିଜ୍‌ ବୋଲରଙ୍କୁ ନିର୍ଧୁମ୍‌ ପ୍ରହାର କରିଥିଲେ । ସେ ଅପରାଜିତ ୭୦ ରନ୍‌ କରିଥିଲେ । ୨୯ ବଲ୍‌ ଖେଳି ୪ଟି ଚୌକା ଓ ୭ଟି ଛକା ମାରିଥିଲେ ବିରାଟ ।

INDIA-3ପରେ ଇଣ୍ଡିଜ ଦଳ ପକ୍ଷରୁ ମ୍ୟାଚ୍‌ ଜିତିବା ପାଇଁ ଚେଷ୍ଟା ତ କରାଯାଇଥିଲା । ହେଲେ ତାହା ଯଥେଷ୍ଟ ହୋଇନଥିଲା । ହେଟମେୟାର ୪୧ ଏବଂ କିରେନ୍‌ ପୋଲାର୍ଡ ସର୍ବାଧିକ ୬୮ ରନ୍‌ (୩୯ ବଲ୍‌, ୫ ଚୌକା ଓ ୬ ଛକା) କରିଥିଲେ । ଭାରତ ପକ୍ଷରୁ ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.