ଚତୁର୍ଥ ଦିନିକିଆ : ବିନା କୋହଲି ଓ ଧୋନିରେ ଶୋଚନୀୟ ଭାବେ ହାରିଗଲା ଭାରତ

ହାମିଲଟନ୍‌ : ଦିନିକିିଆ ସିରିଜ୍‌ରେ ୩-୦ରେ ଅପରାଜେୟ ଅଗ୍ରଣୀ ନେଇଥିବା ଭାରତକୁ ଚତୁର୍ଥ ମ୍ୟାଚ୍‌ରେ ପାନେ ଦେଇଛି ଘରୋଇ ନ୍ୟୁଜିଲାଣ୍ଡ ଦଳ । ବାମହାତୀ ଫାଷ୍ଟ ବୋଲର୍‌ ଟ୍ରେଣ୍ଟ ବୋଲ୍‌ଟ ଏବଂ କଲିନ୍‌ ଡି’ଗ୍ରାଣ୍ଡହୋମ୍‌ ଆଜି ଚମତ୍କାର ବୋଲିଂ କରି ଭରତକୁ ଧୂଳି ଚଟାଇଛନ୍ତି । ପୂରା ୫-୦ରେ ସିରିଜ୍‌ ପୋଛି ନେବା ଲକ୍ଷ୍ୟରେ ଥିବା ଭାରତୀୟ ଦଳକୁ ଅତି ସହଜରେ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ଦଳ । ମାତ୍ର ୧୪.୪ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୯୩ ରନ୍‌ର ଅତି ଛୋଟିଆ ଲକ୍ଷ୍ୟକୁ ହାସଲ କରିଛି ନ୍ୟୁଜିଲାଣ୍ଡ ଦଳ । ଫଳରେ ସିରିଜ୍‌ ଏବେ ୪-୧ ସ୍ଥିତିକୁ ଆସିଛି । ପଞ୍ଚମ ତଥା ଶେଷ ମ୍ୟାଚ୍‌ େଓ୍ଵଲିଂଟନ୍‌ରେ ୩ ତାରିଖ ଦିନ ଖେଳାଯିବ ।

BOLT-1
ବୋଲ୍‌ଟ : ୫/୨୧ :  ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ୨୦ ରନ୍‌ ପର୍ଯ୍ୟନ୍ତ ସେଭଳି କିଛି ବିପତ୍ତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉନଥିଲା । ତେବେ ବୋଲ୍‌ଟ ପ୍ରଥମ ଓ୍ଵିକେଟ୍‌ ଭାବେ ଶିଖର ଧବନ୍‌ଙ୍କୁ ଆଉଟ୍‌ କରିବା ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ଦୁଇ ଫାଷ୍ଟ ବୋଲର୍‌ ବୋଲ୍‌ଟ ଓ ଗ୍ରାଣ୍ଡହୋମ୍‌ ଜଣକ ପରେ ଜଣେ ଭାରତୀୟ ଖେଳାଳିଙ୍କ ପଡ଼ିଆରୁ ବିଦା କରି ଚାଲିଥିଲେ । କେବଳ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା (୧୬), କୁଲଦୀପ ଯାଦବ (୧୫) ଏବଂ ସର୍ବାଧିକ ସ୍କୋରର୍‌ ଯୁଜବେନ୍ଦ୍ର ଚହଲ (ଅପରାଜିତ ୧୮)ଙ୍କ ଯୋଗୁଁ ଭ୍ରମଣକାରୀ ଦଳ ୯୨ ରନ୍‌ରେ ପହଞ୍ଚି ପାରିଥିଲା । ନଚେତ ଭାରତୀୟ ଦଳ ୫୦ ରନ୍‌ ଟପିବା ବି କଷ୍ଟକର ହୋଇଥାନ୍ତା । ବୋଲ୍‌ଟ ୨୧ ରନ୍‌ରେ ୫ଟି ଏବଂ ଗ୍ରାଣ୍ଡହୋମ୍‌ ୨୬ ରନ୍‌ରେ ୩ଟି ଓ୍ଵିକେଟ୍‌ ନେଇଛନ୍ତି ।
ପରେ ନିକୋଲ୍‌ସ (୩) ଓ ରଜ୍‌ ଟେଲର୍‌ (୩୭) ଅପରାଜିତ ରହି ନ୍ୟୁଜିଲାଣ୍ଡକୁ ସହଜରେ ଜିତାଇ ଦେଇଥିଲେ । ୫୦ରୁ କମ୍‌ ଓଭର ଭିତରେ ପୂରା ମ୍ୟାଚ୍‌ ଶେଷ ହୋଇଗଲା ।
ପରାଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଅନେକ ଦିନ ପରେ ଆମେ ଅତି ଖରାପ ପ୍ରଦର୍ଶନ କରିଛୁ । ତେବେ ଏଥିରେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଶ୍ରେୟ ଯିବ । ସେମାନଙ୍କ ଠାରୁ ଆମକୁ କିଛି ଶିଖିବାର ଅଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ଵିଲିୟମସନ୍‌ କହିଛନ୍ତି, ଆମେ ଭାବି ନଥିଲୁ ହାମିଲଟନ୍‌ ପିଚ୍‌ ଏଭଳି ଭାବେ ପେସ୍‌ ବୋଲରଙ୍କୁ ସହାୟତା ଦେବ ବୋଲି । ବୋଲର୍‌ମାନେ ବହୁତ ଭଲ ବୋଲିଂ କଲେ । ଏହି ବିଜୟ ଆମକୁ ଟନିକ୍‌ ଭଳି କାମ କରିବ । େଓ୍ଵଲିଂଟନ୍‌ରେ ଆସନ୍ତା ମ୍ୟାଚ୍‌ରେ ଖେଳ ଅଲଗା ପ୍ରକାର ହେବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.