ବିଶ୍ୱକପ୍‌ ସେମିଫାଇନାଲ୍‌ରେ ବିରାଟ ବାହିନୀ : ଭାରତକୁ ହରାଇବାର ସ୍ୱପ୍ନ ଅଧୁରା, ୨୮ ରନ୍‌ରେ ହାରିଲା ବାଂଲାଦେଶ

ବର୍ମିଂହାମ୍‌ : ପଡ଼ୋଶୀ ବାଂଲାଦେଶକୁ ୨୮ ରନ୍‌ରେ ହରାଇ ଆଇସିସି ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲ୍‌ରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ନକ୍‌ଆଉଟ୍‌ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତ କରିଥିଲା ୯ ଓ୍ଵିକେଟ୍‌ରେ ୩୧୪ ରନ୍‌ । ୩୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟରେ ବ୍ୟାଟିଂ କରିଥିବା ବାଂଲା ଦଳ ପ୍ରଥମରୁ ଦ୍ରୁତ ରନ୍‌ ସଂଗ୍ରହ କରି ବିରାଟ ବାହିନୀକୁ ଚମକାଇ ଦେଇଥିଲା । ହେଲେ ଶେଷରେ ୪୮ ଓଭରରେ ୨୮୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା ।

BUMARAବାଂଲାଦେଶ ସ୍କୋର ୩୯ରେ ପହଞ୍ଚିବା ପରେ ଫର୍ମରେ ଥିବା ପେସ୍‌ ବୋଲର୍‌ ମହମ୍ମଦ ସାମି ତମିମ ଇକବାଲଙ୍କୁ କ୍ଲିନ୍‌ ବୋଲଡ୍‌ କରି ଭାରତ ପାଇଁ ପ୍ରଥମ ସଫଳତା ଆଣି ଦେଇଥିଲେ । ଆଉ ନିୟମିତ ବ୍ୟବଧାନରେ ଭାରତୀୟ ବୋଲରମାନେ ବାଂଲାଦେଶକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଚାଲିଥିଲେ । ଜିତିବାର ସ୍ୱପ୍ନ ଦେଖିଥିବା ବାଂଲାଦେଶ ପଛରେ ପଡ଼ିଗଲା । ତଥାପି ଭଲ ଲଢ଼େଇ କରିଥିଲା ଦଳ ।
ଅନ୍ୟପଟେ ଆଜି ବ୍ୟାଟିଂରେ ଫେଲ୍‌ ମାରିଥିଲେ ମଧ୍ୟ ବୋଲିଂରେ କମାଲ୍‌ ଦେଖାଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ୧୦ ଓଭର୍‌ ବୋଲିଂ କରି ୬୦ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ବୁମରା ୧୦ ଓଭରରେ ୫୫ ରନ୍‌ ଦେଇ ୪ଟି ଓ୍ଵିକେଟ୍‌ ନେଇଛନ୍ତି । ସେ ଶେଷ ଦୁଇଟି ବଲ୍‌ରେ ଦୁଇଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

HARDIK PANDYA
ବାଂଲାଦେଶ ପକ୍ଷରୁ ସବୁଠାରୁ ଭଲ ଫର୍ମରେ ଥିବା ସାକିବ ଅଲ୍‌ ହାସାନ ସର୍ବାଧିକ ୬୬ ରନ୍‌ କରିଥିଲେ । ତମିମ୍‌ ଇକବାଲ ୨୨, ସୌମ୍ୟ ସରକାର ୩୩, ମୁସଫିକର ରହିମ ୨୪ ଏବଂ ଲିଟନ୍‌ ଦାସ ୨୨ ରନ୍‌ କରି ଆଉଟ୍‌ ହୋଇଥିଲେ । ତେବେ ଶବୀର ରେହମାନ ଓ ମହମ୍ମଦ ସଇଫୁଦ୍ଦିନଙ୍କ ଯୋଡ଼ି ବେଶ୍‌ କିଛି ସମୟ ଓ୍ଵିକେଟ୍‌ରେ ତିଷ୍ଠି ରହି ଭାରତର ବିଜୟକୁ ବିଳମ୍ବିତ କରିଥିଲେ । ସେମାନେ ଆକ୍ରମଣାତ୍ମକ ସଟ୍‌ ଖେଳି ସପ୍ତମ ଓ୍ଵିକେଟ୍‌ରେ ୬୬ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋରକୁ ୧୭୯ରୁ ଆଣି ୨୪୫ ରନ୍‌ରେ ପହଞ୍ଚାଇ ଦେଇଥିଲେ । ଶବୀରଙ୍କୁ ବୋଲଡ୍‌ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ ବୁମରା । ଶବୀର ୩୬ ବଲ୍‌ରେ ୩୬ ରନ୍‌ ଏବଂ ସଇଫଉଦ୍ଦିନ ମାତ୍ର ୩୮ ବଲ୍‌ରୁ ୫୧ ରନ୍‌ କରିଥିଲେ ।
ଏହି ବିଜୟ ପରେ ବି ଭାରତୀୟ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ହିଁ ରହିଛି । ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍‌ରୁ ୭ଟି ବିଜୟ ସହ ୧୪ ପଏଣ୍ଟ, ଭାରତ ୮ଟି ମ୍ୟାଚ୍‌ରୁ ୬ଟି ବିଜୟ ସହ ୧୩ ପଏଣ୍ଟ ହାସଲ କରିଛି । ଅନ୍ୟପକ୍ଷରେ ବାଂଲାଦେଶ ୮ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ୪ଟି ପରାଜୟ ସହ ୭ ପଏଣ୍ଟ ପାଇଛି ।
ଆସନ୍ତାକାଲି ଚେଷ୍ଟର-ଲି ଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ ।

POINT TABLE

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.