କିଛି ସମୟ ପରେ ହକି ବିଶ୍ୱ କପ୍ ମ୍ୟାଚ୍, ଦ୍ୱିତୀୟ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର (କେନ୍ୟୁଜ୍) : ଆଉ କିଛି ସମୟ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବ ଚତୁର୍ଦ୍ଦଶ ହକି ବିଶ୍ୱ କପ୍ର ପ୍ରଥମ ମ୍ୟାଚ୍ । ଆଜି ଗ୍ରୁପ୍-ସି’ର ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ବେଲଜିୟମ୍ ଓ କାନାଡ଼ା ମଧ୍ୟରେ ଠିକ୍ ସନ୍ଧ୍ୟା ୫ଟା ବେଳେ ଏବଂ ଏହା ପରେ ରାତି ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ ।
ଭାରତ ତାର ପୂର୍ବ ୧୩ଟି ବିଶ୍ୱ କପ୍ରେ ଓପ୍ନିଂ ମ୍ୟାଚ୍ ଜିତିଛି । ତେଣୁ ଆଜି ବି ଜିତିବ ବୋଲି ଆଶା କରାଯାଉଛି । କାରଣ ଭାରତ ବିଶ୍ୱ ମାନ୍ୟତାରେ ୫ ନମ୍ବର ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ରହିଛି ୧୫ ନମ୍ବର ସ୍ଥାନରେ । ଏହା ବ୍ୟତୀତ କ୍ୱାର୍ଟରଫାଇନାଲକୁ ଯିବା ପାଇଁ ନିଜ ପୁଲ୍ରେ ଏକନମ୍ବର ହେବାକୁ ପଡ଼ିବ । କାରଣ ପ୍ରତ୍ୟେକ ପୁଲ୍ର ଶ୍ରେଷ୍ଠ ଦଳ ହିଁ କ୍ୱାର୍ଟର ଫାଇନାଲ୍କୁ ଯିବ ।
ଭାରତ ଓ ଦକ୍ଷିଣ ଆଫ୍ରିକା ଚାରି ବର୍ଷ ବ୍ୟବଧାନରେ ମୁହାଁମୁହିଁ ହେଉଛନ୍ତି । ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ ଦୁଇ ଦଳ ଭିତରେ ମୁକାବିଲା ହୋଇଥିଲା । ସେଥିରେ ଭାରତ ୫-୨ ଗୋଲ୍ରେ ବିଜୟୀ ହୋଇଥିଲା । ତେବେ ଶେଷ ୫ଟି ମ୍ୟାଚ୍ରେ ଉଭୟ ଦଳ ୨ଟି ଲେଖାଏଁ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ୍ ୩-୩ ଗୋଲ୍ରେ ଡ୍ର ରହିଥିଲା । ମୋଟ୍ ଉପରେ ଆନ୍ତର୍ଜାତିକ ସ୍ତରରେ ଉଭୟ ଦଳ ୪୨ ଥର ସାମନା ସାମନି ହୋଇଛନ୍ତି । ସେଥିରୁ ୨୫ଟିରେ ଭାରତ ଜିତିଥିବା ବେଳେ ୮ଟି ମ୍ୟାଚ୍ ହାରିଛି । ବିଶ୍ୱ କପ୍ରେ ଶେଷଥର ପାଇଁ ଦୁଇ ଦଳ ଦିଲ୍ଲୀରେ ମୁହାଁମୁହିଁ ହୋଇଥିଲେ । ମ୍ୟାଚ୍ ୩-୩ ଗୋଲ୍ରେ ଡ୍ର ରହିଥିଲା ।
ଚଳିତ ବିଶ୍ୱ କପ୍ରେ ଭରତର ନେତୃତ୍ୱ ନେଉଛନ୍ତି ମନପ୍ରୀତ ସିଂହ ଏବଂ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଅଛନ୍ତି ଟିମ୍ ଡ୍ରମଣ୍ଡ ।
ସଚିନ୍ଙ୍କ ଶୁଭେଚ୍ଛା
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇ ଟ୍ଵିଟ୍ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ସେ ଲେଖିଛନ୍ତି ମୁଁ ଆପରମାନଙ୍କ ଉପରେ ଆସ୍ଥା ରଖିଛି ଓ ସାରା ଦେଶ ମଧ୍ୟ ଆପଣମାନଙ୍କ ଉପରେ ବିଶ୍ୱାସ ରଖିଛି । ପ୍ରତିପକ୍ଷଙ୍କୁ ହରାଅ । ଚକ୍ ଦେ ଇଣ୍ଡିଆ.. ।
Best wishes to Team India for the #HWC2018 commencing in Bhubaneswar, Odisha today. I believe in you, the nation believes in you. Go get ‘em. Chak de, India! #HumBhiHockey pic.twitter.com/3tX8HVWhEg
— Sachin Tendulkar (@sachin_rt) November 28, 2018
୪୩ ବର୍ଷ ବିତିଲାଣି। ବିଶ୍ୱକପ୍ରେ ପୋଡିୟମ ଫିନିସ କରି ପାରିନି ଭାରତୀୟ ଦଳ। ୨୦୧୪ରେ ନବମ ସ୍ଥାନରେ ଥିଲା ଦଳ। ଏଥର କଣ କରିବ? ଦଳର ଷ୍ଟ୍ରେନ୍ଥ ଆଟାକିଂ ଗେମ୍। ବଡ଼ ଦୁର୍ବଳତା, ଶେଷ ମୂହୁର୍ତ୍ତରେ ଗୋଲ୍ ବରଣ କରିବା। ଦ୍ୱିତୀୟ, ପ୍ରତିପକ୍ଷ ଦଳଙ୍କ କାଉଣ୍ଟର ଆଟାକକୁ ଠିକ୍ରେ ସମ୍ଭାଳି ନ ପାରିବା। ଏହି ଦୁର୍ବଳତାକୁ ଦୂର କରି ପାରିଛି କି ଭାରତୀୟ ଦଳ।
ବର୍ତ୍ତମାନର ଟିମ୍ରେ ଅନେକ ଅନୁଭବୀ ଖେଳାଳି ନାହାନ୍ତି। ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ ଆନ୍ତର୍ଜିକ ଖେଳରୁ ଅବସର ନେଇ ସାରିଛନ୍ତି। ଏସ୍ ବି ସୁନିଲ ଏବଂ ରୁପିନ୍ଦର ପାଲ ସିଂହ ଆହତ ଯୋଗୁଁ ଖେଳୁ ନାହାନ୍ତି। ବର୍ତ୍ତମାନ କୋଚ୍ ହରେନ୍ଦର ସିଂହ ଓ ଅଧିନାୟକ ମନପ୍ରିତ ସିଂହଙ୍କ ଯୋଡ଼ି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଦୁଇ ବର୍ଷ ତଳେ ଭାରତ ଜୁନିଅର ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା। ସେହି ଦଳର କୋଚ୍ ଥିଲେ ହରେନ୍ଦର ଓ ଅଧିନାୟକ ଥିଲେ ମନପ୍ରିତ। ଏବେ ଉଭୟ ସିନିଅର ଦଳ କୋଚ୍ ଓ ଅଧିନାୟକ ଅଛନ୍ତି। ଏବେ ଏହି ଯୋଡ଼ି କମାଲ ଦେଖାଇ ପାରିବେ କି? ଦଳର ଯୁବ ଖେଳାଳି ଫିଟ୍ ଅଛନ୍ତି। ବିଶ୍ୱକପ୍ ଦଳରେ ଅଛନ୍ତି ୧୮ ଜଣ ଯୁବ ଓ ଅଭିଜ୍ଞ ତାରକା। ହୋମ୍ ଗ୍ରାଉଣ୍ଡରେ ଦର୍ଶକଙ୍କ ସମର୍ଥନ ଓ ସୁହାଇଲା ଭଳି ପରିବେଶରେ ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଭାରତୀୟ ଖେଳାଳି। ପୂର୍ବରୁ ୨୦୧୦ରେ ଘରୋଇ ମାଟିରେ ବିଶ୍ୱକପ୍ ଖେଳିଥିଲା ଦଳ। ଦିଲ୍ଲୀରେ ହୋଇଥିବା ବିଶ୍ୱକପ୍ରେ ଭାରତ ଅଷ୍ଟମ ସ୍ଥାନରେ ଥିଲେ। ଏଥର ଘରୋଇ ମାଟିରୁ କେତେ ଫାଇଦା ନେବ ଦଳ।
ଭାରତ ଏପର୍ଯ୍ୟନ୍ତ ୧୩ଟି ବିଶ୍ୱକପ୍ ଖେଳିଥିବା ବେଳେ ମାତ୍ର ଥରେ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି। ଅଜିତ୍ ପାଲ ସିଂହଙ୍କ ନେତୃତ୍ୱରେ ୧୯୭୫ରେ ଭାରତ ପ୍ରଥମ ଓ ଶେଷ ଥର ବିଶ୍ୱ ବିଜୟୀ ହୋଇଥିଲା। ୮ ଥର ଅଲିମ୍ପିକ୍ସ ଚାମ୍ପିଅନ୍ ଭାରତ ୧୯୭୩ ବିଶ୍ୱକପ୍ରେ ରୌପ୍ୟ ଓ ୧୯୭୧ରେ ଜିତିଥିଲା ବ୍ରୋଞ୍ଜ ମେଡାଲ୍।